ଚ୍ୟାଲେଞ୍ଜ୍ ଗ୍ରହଣ କଲେ ନିରଞ୍ଜନ, ଦୁଇଟି ଆସନରୁ ଲଢିବେ

ଭୁବନେଶ୍ୱର,୧ ।୪(ବ୍ୟୁରୋ): ବଦ୍ରିଙ୍କ ଚ୍ୟାଲେଞ୍ଜ ଗ୍ରହଣ କଲେ ନିରଞ୍ଜନ । ଆସନ୍ତାକାଲି ଘସିପୁରାରୁ ବିଧାୟକ ପ୍ରାର୍ଥୀ ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୮ ତାରିଖରେ ଭଣ୍ଡାରୀପୋଖରୀରୁ ମଧ୍ୟ ବିଧାୟକ ପ୍ରାର୍ଥୀ ଭାବେ ନିରଞ୍ଜନ ପ୍ରାର୍ଥୀପତ୍ର ଦାଖଲ କରିବେ । ତେବେ ଉଭୟ ସ୍ଥାନରୁ ଲଢିବା ପାଇଁ ତାଙ୍କ ପ୍ରାର୍ଥୀତ୍ୱକୁ ଏଆଇସିସି ସବୁଜ ସଙ୍କେତ ଦେଇଛି ବୋଲି ନିରଞ୍ଜନ କହିଛନ୍ତି । ଉଲ୍ଲେଖଯୋଗ୍ୟ ନିରଞ୍ଜନଙ୍କୁ କେନ୍ଦୁଝର ଜିଲ୍ଲାର ଘସିପୁରାରୁ ଲଢିବା ପାଇଁ ଚ୍ୟାଲେଞ୍ଜ କରିଥିଲେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର । ଯାହାକୁ ଗ୍ରହଣ କରିଛନ୍ତି ନିରଞ୍ଜନ । ସମ୍ବେଦନଶୀଳ ଘସିପୁରା ନିର୍ବାଚନମଣ୍ଡଳୀରୁ ବଦ୍ରିଙ୍କ ବିରୋଧରେ ନିର୍ବାଚନ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେବଳ ଘସିପୁରା ନୁହଁ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରୁ ବି ସେ ଲଢିବେ । ତେବେ ନିର୍ବାଚନୀ ଯୁଦ୍ଧ ପୂର୍ବରୁ ଉଭୟଙ୍କର ଗଣମାଧ୍ୟମରେ କଥା କଟାକଟି ରାଜ୍ୟ ରାଜନୀତିରେ ବେଶ୍ ହଟଚମଟ ସୃଷ୍ଟି କରିଥିଲା ।