ନୂଆଦିଲ୍ଲୀ – ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ୟୁରୋପୀୟ ମାନବାଧିକାର ଅଦାଲତ (ଇସିଏଚଆର)ଙ୍କ ଠାରୁ କଡ଼ା ଝଟକା ଲାଗିଛି। ସେ ନିଜର ଶେଷ ଆଇନଗତ ଲଢେଇ ମଧ୍ୟ ହାରି ଯାଇଛନ୍ତି। ଅନ୍ତିମ ଆଇନଗତ ଆବେଦନ ଖାରଜ ହେବା ପରେ ଏବେ ତାଙ୍କର ପ୍ରତ୍ୟର୍ପଣର ରାସ୍ତାରେ କୌଣସି ପ୍ରତିବନ୍ଧକ ରହି ନାହିଁ। ରିପୋର୍ଟ ଅନୁସାରେ , ବ୍ରିଟେନ ସରକାର ନୀରବ ମୋଦିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାର ପ୍ରଶାସନିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ଏବଂ ଭାରତୀୟ ଅଧିକାରୀଙ୍କ ସହ କୂଟନୀତିକ ସମନ୍ୱୟ ଜାରି ରହିଛି।
ନ୍ୟୁଜ୍-୧୮ର ରିପୋର୍ଟ ଅନୁସାରେ , ବ୍ରିଟେନର ସବୁ ଘରୋଇ ଅଦାଲତ ଗୁଡ଼ିକରେ ଅପିଲ ସମାପ୍ତ ହେବା ପରେ ନୀରବ ମୋଦି ଅପ୍ରେଲ ୨୦୨୬ରେ ଇସିଏଚଆରରେ ଅନ୍ତିମ ଆବେଦନ ଦାଖଲ କରି ଥିଲେ। ଅଦାଲତ ତାଙ୍କୁ କୌଣସି ଅନ୍ତରୀଣ ଆଶ୍ୱସ୍ତି କି ସ୍ଥଗିତାଦେଶ ଦେଇ ନାହାନ୍ତି। ଏହାସହ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ ଦେବାର ଶେଷ ଆଇନଗତ ବିକଳ୍ପ ମଧ୍ୟ ଶେଷ ହୋଇ ଯାଇଛି। ଏହି ସ୍ଥିତିରେ କେବେ ବି ତାଙ୍କର ପ୍ରତ୍ୟର୍ପଣ ହୋଇ ପାରେ।
ନୀରବ ମୋଦି ମାର୍ଚ୍ଚ ୨୦୧୯ରୁ ଲଣ୍ଡନର ଏଚଏମପି ୱେଣ୍ଡସୱର୍ଥ ଜେଲରେ ବନ୍ଦୀ ଅଛନ୍ତି। ଏହି ସମୟରେ ସେ ବ୍ରିଟିଶ କୋର୍ଟରେ ଜାମିନ ଓ ପ୍ରତ୍ୟର୍ପଣ ରୋକିବା ପାଇଁ ଅନେକ ଆବେଦନ କରିଥିଲେ , କିନ୍ତୁ ପ୍ରତିଥର ବିଫଳ ହୋଇଛନ୍ତି। ଅପ୍ରେଲ ୨୦୨୧ରେ ତତ୍କାଳୀନ ଗୃହ ସଚିବ ପ୍ରୀତି ପଟେଲ ତାଙ୍କର ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇ ଥିଲେ। ମାର୍ଚ୍ଚ ୨୦୨୬ରେ ସେ ପୁଣି ଥରେ ପ୍ରତ୍ୟର୍ପଣ କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ପ୍ରୟାସ କରି ଥିଲେ ଏବଂ ଦାବି କରିଥିଲେ ଯେ, ଭାରତ ପଠାଗଲେ ତାଙ୍କ ସହ ନିର୍ଯାତନାର ବିପଦ ରହିଛି। ଏହି ପିଟିସନ ମଧ୍ୟ ଖାରଜ ହୋଇ ଯାଇଛି। ଏହାପରେ ଇସିଏଚଆରରେ ନିଷେଧାଜ୍ଞାର ଦାବି ପିଟିସନ ଦାଏର କରାଯାଇ ଥିଲା, ଯାହାକୁ ଏବେ ଖାରଜ କରି ଦିଆ ଯାଇଛି।
ଉଲ୍ଲେଖନୀୟ ଯେ, ନୀରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ପ୍ରାୟ ୨ ବିଲିୟନ ଆମେରିକୀୟ ଡଲାର ( ପ୍ରାୟ ୧୪,୦୦୦ କୋଟି ଟଙ୍କା)ର ଠକେଇ ଓ ମନି ଲଣ୍ଡରୀଂ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ। ସିବିଆଇ ଓ ଇଡି ଦୀର୍ଘ ଦିନରୁ ତାଙ୍କର ପ୍ରତ୍ୟର୍ପଣ ଦାବି କରି ଆସୁଛନ୍ତି। ଅଭିଯୋଗ ଯେ, ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସି ବିନା ପର୍ଯ୍ୟାପ୍ତ ସିକ୍ୟୁରିଟିର ଲେଟର୍ସ ଅଫ୍ ଅଣ୍ଟରଟେକିଂ (ଏଲଓୟୁ) ଜାରି କରାଇ ବ୍ୟାଙ୍କର ବହୁତ କ୍ଷତି କରିଥିଲେ ଏବଂ ସେହି ଟଙ୍କାରେ ହୀରା ବ୍ଯବସାୟ କରିଥିଲେ। ଭାରତରେ ତାଙ୍କ ବିରୋଧରେ ଆଉ ତିନୋଟି ଅଲଗା ଅଲଗା ଅପରାଧିକ ମାମଲା ରୁଜୁ ହୋଇଛି।
ଏହାସହ ମଧ୍ୟ ପଢନ୍ତୁ - Delhi Police bust ISI-linked terror : ଦିଲ୍ଲୀ ପୁଲିସର ବଡ଼ ଅପରେସନ , ଭଟ୍ଟି ଟେରର ମଡ୍ୟୁଲର ଆଉ ୬ ସନ୍ଦିଗ୍ଧ ଗିରଫ
ପ୍ରତ୍ୟର୍ପଣ ମାମଲା ସହ ନୀରବ ମୋଦିଙ୍କୁ ଆଉ ଏକ ବାଣିଜ୍ୟିକ ବିବାଦରେ ମଧ୍ୟ ଝଟକା ଲାଗିଛି। ଲଣ୍ଡନରେ ହାଇକୋର୍ଟଙ୍କ ସର୍କିଟ କମର୍ସିଆଲ କୋର୍ଟଙ୍କ ବିଚାରପତି ସାଇମନ ଟିଙ୍କଲର ରାୟ ଶୁଣାଇ ଥିଲେ ଯେ, ନୀରିବ ମୋଦି ଦୁବାଇର ଫାୟରଷ୍ଟାର ଡାଇମଣ୍ଡ ଏଫଜେଡଇକୁ ଦିଆଯାଇ ଥିବା ଋଣର ବ୍ୟକ୍ତିଗତ ଗାରେଣ୍ଟି ଅନୁସାରେ ,ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୧୧.୫ ମିଲିୟନ ଆମେରିକୀୟ ଡଲାର (ସୁଧ ସମେତ) ପରିଶୋଧ କରିବାକୁ ଦାୟୀ ।