ନୀତା ମୁକେଶ ଅମ୍ୱାନି କଲ୍ଚରାଲ ସେଣ୍ଟରର ଶୁଭାରମ୍ଭ, ଏଠାରେ ଯୁବପିଢ଼ି କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ

ଭୁବନେଶ୍ୱର,୦୨/୦୪: ଦେଶବିଦେଶର କଳାକାର, ଧର୍ମଗୁରୁ, କ୍ରୀଡ଼ା ଓ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶୁକ୍ରବାର ନୀତା ମୁକେଶ ଅମ୍ୱାନି କଲ୍ଚରାଲ୍ ସେଣ୍ଟରର ଭବ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ୱାନି ଓ ନିର୍ଦ୍ଦେଶିକା ଝିଅ ଈଶା ଅମ୍ୱାନି ଅତିଥି ଭାବେ ଯୋଗ ଦେଇଥିଲେ ।
ଏ ଅବସରରେ ନୀତା ଅମ୍ୱାନି କହିଛନ୍ତି ଯେ, “କଲ୍ଚରାଲ୍ ସେଣ୍ଟରକୁ ମିଳିଥିବା ସମର୍ଥନକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଦୁନିଆର ଶ୍ରେଷ୍ଠ କଲ୍ଚରାଲ୍ ସେଣ୍ଟର ମଧ୍ୟରୁ ଅନ୍ୟତମ । ଏଠାରେ ସମସ୍ତ କଳା ଓ କଳାକାରଙ୍କୁ ସ୍ୱାଗତ କରୁଛୁ । ଏଠାରେ ଛୋଟ ସହର ଏବଂ ଦୂରଦୂରାନ୍ତ ଅଞ୍ଚଳର ଯୁବକଯୁବତୀମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ମୁଁ ଆଶା କରୁଛି ଯେ ଦୁନିଆର ଶ୍ରେଷ୍ଠ ସୋ’ ଏହିଠାରେ ଆୟୋଜିତ ହେବ ।’

ମୁକେଶ ଅମ୍ୱାନି କହିଛନ୍ତି ଯେ, ମୁମ୍ୱାଇ ସମେତ ସାରା ଦେଶ ପାଇଁ ଏହି କଲ୍ଚରାଲ୍ ସେଣ୍ଟର ସବୁଠୁ ବଡ଼ କେନ୍ଦ୍ର ଭାବେ ଉଭା ହେବ । ଏ ଅବସରରେ ଭାରତରତ୍ନ ସଚିନ ତେନ୍ଦୁଲକର, ଅଲିମ୍ପିକ ପଦକ ବିଜେତା ଅଭିନବ ବିନ୍ଦ୍ରା, ଲନ୍ ଟେନିସ୍ ତାରକା ସାନିଆ ମିର୍ଜା, କ୍ରୀଡ଼ାବିତ ଦୀପା ମଲ୍ଲିକ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
ସୁପରଷ୍ଟାର ରଜନୀକାନ୍ତ, ଅମିର ଖାନ୍, ରଣବୀର ସିଂହ, ଦୀପିକା ପାଦୁକୋନ୍, ପ୍ରିୟଙ୍କା ଚୋପ୍ରା, ବରୁଣ ଧାୱନ, ସୋନମ କପୁର, ଅନୁପମ ଖେର, ଜାଭେଦ ଅଖତର, ଶବାନା ଆଜ୍ମି, ସୁନିଲ ସେଟ୍ଟି, ସାହିଦ କପୁର, ବିଦ୍ୟା ବାଲାନ, ଆଲିୟା ଭଟ୍ଟ, ଦୀୟା ମିର୍ଜା, ଶ୍ରଦ୍ଧା କପୁର, ଶ୍ରେୟା ଘୋଷାଲଙ୍କ ଭଳି ଚର୍ଚ୍ଚିତ ବ୍ୟକ୍ତିତ୍ୱମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।