ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ’ ଶେଷ ହୋଇଛି। ଏହି ୨.୮ କିଲୋମିଟର ଲମ୍ବା ରୋଡ ଶୋ’ ଦିନକର ଗୋଲମ୍ବରରୁ ଆରମ୍ଭ ହୋଇ ନାଲା ରୋଡ, କଦମକୁଆଁ ଠାକୁରବାରୀ ରୋଡ, ବାକରଗଞ୍ଜ ଦେଇ ଭବନ ନିକଟରେ ଶେଷ ହୋଇଥିଲା। ୪୩ ମିନିଟର ରୋଡ ଶୋ’ ସମୟରେ ଲୋକଙ୍କ ଭିଡ଼ ଜମିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଜନତା ପାର୍ଟିର ଚିହ୍ନ ପଦ୍ମ ଦେଖାଇ ଲୋକଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ଏହି ସମୟରେ, ଲୋକମାନେ ବିଭିନ୍ନ ସ୍ଥାନରେ ଘରର ବାଲକୋନିରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିବାଦନ କରୁଥିବାର ଦେଖାଯାଇଥିଲା। କେବଳ ଏତିକି ନୁହେଁ, ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ସ୍ୱାଗତ ଷ୍ଟଲରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଫୁଲ ବର୍ଷା ମଧ୍ୟ କରାଯାଇଥିଲା।
ସାଧାରଣ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ ଏବଂ ଭାରତ ମାତା କି ଜୟ ନାରା ଦେଇଥିଲେ। ଏହା ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ରୋଡ୍ ଶୋ’ ଥିଲା। ଲୋକସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ରୋଡ୍ ଶୋ’ରେ ଅଂଶଗ୍ରହଣ କରିଥିଲେ, କିନ୍ତୁ ଏଥର ସେ ଉପସ୍ଥିତ ନଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଜନତା ଦଳ ୟୁନାଇଟେଡର କେନ୍ଦ୍ରମନ୍ତ୍ରୀ ଲଲ୍ଲନ ସିଂହ, ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସ୍ବାଲ, ବାଙ୍କିପୁର ପ୍ରାର୍ଥୀ ନୀତିନ ନବୀନ, ଦୀଘା ପ୍ରାର୍ଥୀ ସଞ୍ଜୀବ ଚୌରାସିଆ ଏବଂ ଦାନାପୁର ପ୍ରାର୍ଥୀ ରାମ କୃପାଳ ଯାଦବ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ’ରେ ନୀତୀଶ କୁମାରଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସ ଦଳ ଏନଡିଏକୁ ଟାର୍ଗେଟ କରିଛି । ସୋସିଆଲ ମିଡିଆରେ ରୋଡ ଶୋ’ର ଏକ ଫଟୋ ସେୟାର କରି କଂଗ୍ରେସ ଲେଖିଛି, ‘ଏବେ ସ୍ପଷ୍ଟ ହୋଇଛି ଯେ, ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଖେଳରୁ ବାହାର ହୋଇଛନ୍ତି। ପାଟନାବାସୀ ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ କେଉଁଠି?’
ସେପଟେ ରୋଡ୍ ଶୋ’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ହରମନ୍ଦିର ସାହିବ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ସେ ଏନଡିଏ ମେଣ୍ଟର ନେତାମାନଙ୍କ ସହିତ ଭୋଜନ କରିଛନ୍ତି । ଏହି ରୋଡ୍ ଶୋ’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନା ଜିଲ୍ଲାର ୧୪ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ। ସେ ଏନଡିଏ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନୱାଡା ଏବଂ ଆରାରେ ନିର୍ବାଚନୀ ରାଲି କରିଥିଲେ। ସେ ଆରଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଆରଜେଡି ଏବଂ କଂଗ୍ରେସ ନିଜ ନିଜ ମଧ୍ୟରେ ଲଢ଼ୁଛନ୍ତି। ଆରଜେଡି କଂଗ୍ରେସ କାନରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀ ପଦ ଛଡ଼ାଇ ନେଇଛି ବୋଲି ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।