ଭୁବନେଶ୍ୱର,୨୬/୦୨ : ଗାଇଡ୍‌ଲାଇନ୍‌ କହୁଛି, ରୋଗୀଙ୍କ ବେଡ୍‌ ପାଇଁ ସାତଦିନରେ ସାତରଙ୍ଗର ସଫା ବେଡ୍‌ସିଟ୍‌ ଦିଆଯିବ । ସାତଦିନରେ ସାତଟି ଦୂରେ ଥାଉ, ଖଣ୍ଡେ ବେଡସିଟ୍‌ ମିଳିବା ବି କଷ୍ଟ । କ୍ୟାପିଟାଲ ହସ୍ପିଟାଲରେ ସୃଷ୍ଟି ହୋଇଛି ଏମିତି ସ୍ଥିତି । କେତେବେଳେ କୁହାଯାଉଛି ଦୂରରେ ସଫା ହେଉଛି ସେଥିପାଇଁ ଏମିତି ହେଉଛି, ତ ଆଉ କେତେବେଳେ କୁହାଯାଉଛି ପର୍ଯ୍ୟାପ୍ତ ବେଡସିଟ୍‌ ନାହିଁ । ଆଉ କିଏ କହୁଛି ରୋଗୀ ବେଡସିଟ୍‌ ଚିରି ପକାଉଥିବାରୁ ବେଡସିଟ୍‌ ମିଳୁନି । ବେଡସିଟ୍‌ ମିଳୁନଥିବାରୁ ରୋଗୀ ବାଧ୍ୟ ହୋଇ ଘରୁ ବେଡସିଟ୍‌ ଆଣି ଶୋଉଛି । 

୨୦୧୮ରେ ରାଜ୍ୟ ସରକାର ଆଣିଥିଲେ ନିର୍ମଳ ଯୋଜନା । ଏହି ଯୋଜନା ଅନ୍ତର୍ଗତ ରୋଗୀଙ୍କ ବେଡ୍‌କୁ ସଫା ବେଡସିଟ୍‌ ଯୋଗାଇଦିଆଯିବ । ସାତ ଦିନରେ ଲାଲ, କମଳା, ନୀଳ, ଧୁସର, ସବୁଜ, ହଳଦିଆ, ବାଇଗଣୀ ରଙ୍ଗର ବେଡ୍‌ସିଟ ପକାଇବା କଥା । ହେଲେ ହସ୍ପିଟାଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବେଡ୍‌କୁ ସଫା ବେଡ୍‌ସିଟ୍‌ ମିଳୁନି । ଏପରିକି ବେଡସିଟ୍‌ ପାଇଁ ବିଭିନ୍ନ ସମୟରେ ରୋଗୀ ସଂପର୍କୀୟ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହେଉଛି । ବଡକଥା ହେଉଛି, ହସ୍ପିଟାଲ ପରିସରରେ ନୂତନ ଲଣ୍ଡ୍ରି ସେଣ୍ଟର(ଧୋବି କେନ୍ଦ୍ର) କାମ ଏପର୍ଯ୍ୟନ୍ତ ସରିନି । ପୁରୁଣା ଘରେ ଏବେବି ବେଡସିଟ୍‌ ସହ ଡାକ୍ତର ଓ ନର୍ସିଂଷ୍ଟାଫ୍‌ଙ୍କ ପୋଷାକ ସଫା ହେଉଛି । ଧୀରେଧୀରେ ହସ୍ପିଟାଲରେ ରୋଗୀଶଯ୍ୟା ଓ କର୍ମଚାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଛୋଟିଆ ଘରେ ସଫା କରିବା ଅସମ୍ଭବ ହୋଇପଡୁଛି । ଅଧିକ ସଂଖ୍ୟକ କପଡା ସଫେଇ ହୋଇପାରୁନଥିବାରୁ ସଫେଇ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାର ପାହାଳରେ ଥିବା ଏକ ସେଣ୍ଟରକୁ କପଡ଼ା ଯାଉଛି । 

ଦୈନିକ ୧୫୦୦ରୁ ଅଧିକ ବେଡ୍‌ସିଟ୍‌ ପାହାଳ ପଳାଉଛି । ତେଣୁ ସେଠାରୁ କପଡ଼ା ଆସିବାରେ ୫ରୁ ୬ଦିନ ଲାଗିଯାଉଛି । ବେଡସିଟ୍‌ ଷ୍ଟକ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ହସ୍ପିଟାଲରେ ଥିବା ବିଭିନ୍ନ ରୋଗୀ ୱାର୍ଡ, ଶିଶୁ ବିଭାଗ, ପ୍ରସୂତି ବିଭାଗ ଓ ଅନ୍ୟ ଆଇପିଡି(ଅନ୍ତର୍ବିଭାଗ)ରେ ଶଯ୍ୟା ସଂଖ୍ୟା ମିଶାଇଲେ ୭୫୦ ହେବ । ଆଗକୁ ଆହୁରି ଶଯ୍ୟା ସଂଖ୍ୟା ବଢ଼ିବ । ମାତ୍ର ପ୍ରତିଦିନ ରଙ୍ଗୀନ ବେଡ୍‌ସିଟ୍‌ ଯୋଗାଇବାରେ ଉକ୍ତ ସଂସ୍ଥା ଅସମର୍ଥ ହୋଇପଡିଛି । ଉକ୍ତ ସଂସ୍ଥାର ଏଥିରେ ବ୍ୟତିକ୍ରମ ରହୁଥିବାର ଅଭିଯୋଗ ହେଉଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ତାଗିଦ୍‌ କରୁନାହାନ୍ତି । କେବଳ ସେତିକିନୁହେଁ, ସଫେଇ ପାଇଁ ଏଠାରେ ଥିବା ଦୁଇଟି ସଫା ମେସିନ, ଗୋଟିଏ ଡ୍ରାଏର(ଶୁଖାଇବା ମେସିନ୍‌) ଓ ଗୋଟିଏ ଆଇରନ୍‌ ମେସିନ୍‌ ଅଚଳ ରହିଛି । ହେଲେ ଅଧିକାଂଶ ସମୟରେ ଡ୍ରାଏର ଓ ପ୍ରେସ୍‌ ମେସିନ୍‌ ଅଚଳ ପଡୁଛି । ଯାହା ମରାମତି ମଧ୍ୟ ହେଉନି । ତେଣୁ କେବେ ନୂଆ ଲଣ୍ଡ୍ରି ସେଣ୍ଟର କାମ ସରିବ ତାକୁ ଅପେକ୍ଷା ରହିଛି। 

ଲଣ୍ଡ୍ରି ସେଣ୍ଟରର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି, ସପ୍ତରଙ୍ଗୀ ବେଡସିଟ୍‌ ଯୋଗାଇ ଦିଆଯାଉଛି । ଏବେ ସେଣ୍ଟରରେ ଗୋଟିଏ ସଫା ମେସିନ୍‌ ରହିଛି । ଯେଉଁଥିରେ କେବଳ ଡାକ୍ତର ଓ ଓଟି(ଅପରେସନ ଥିଏଟର)ରେ ବ୍ୟବହୃତ କପଡ଼ା ସଫା ହେଉଛି । ଅନ୍ୟ ବେଡସିଟ୍‌ ପାହାଳ ଯାଉଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା, ଲଣ୍ଡ୍ରି କୋଠାର ନିର୍ମାଣ ଦାୟିତ୍ୱ ପୂର୍ତ୍ତି ବିଭାଗର ଅଧୀନରେ ରହିଛି । ଟ୍ରମାକେୟାର ସହ ଏହି କୋଠାର ମଧ୍ୟ ଉଦଘାଟନ କରାଯିବ । ଲଣ୍ଡ୍ରି ସେଣ୍ଟର ହେବାପରେ ଏହି ସମସ୍ୟା ଦୂର ହେବ ।

ଏହି ଖବରଟିକୁ ପଢନ୍ତୁ-କମୁଛି ଆଦର୍ଶ ବିଦ୍ୟାଳୟର ପାସ୍‌ ହାର, ୯୯%ରୁ ଖସି ୬୩%ରେ ପହଞ୍ଚିଲାଣି