ଦିଲ୍ଲୀ ସରକାର ପ୍ରସ୍ତୁତ କରିଥିବା ବଜେଟକୁ ମଞ୍ଜୁରୀ କଲାନି କେନ୍ଦ୍ର, ବର୍ଷିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: କେନ୍ଦ୍ର ଓ ଦିଲ୍ଲୀର ଆମ ଆଦାମୀ ପାର୍ଟି ସରକାର ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଦିଲ୍ଲୀ ସରକାର ପ୍ରସ୍ତୁତ କରିଥିବା ବଜେଟକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇନାହାନ୍ତି। ଫଳରେ ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଆଗତ ହୋଇପାରିବ ନାହିଁ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଦିଲ୍ଲୀ ବଜେଟ୍ ଉପରେ ସୋମବାର ରୋକ ଲଗାଇଛନ୍ତି । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏପରି ହୋଇଛି । ଆସନ୍ତକାଲି ସକାଳେ ଦିଲ୍ଲୀ ବଜେଟ୍ ଆଗତ ହେବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।
ସୂଚନା ଅନୁସାରେ, ଦିଲ୍ଲୀ ସରକାର ପ୍ରସ୍ତୁତ କରିଥିବା ବଜେଟରେ ବିଜ୍ଞାପନରେ ଅଧିକ ଖର୍ଚ୍ଚ ଏବଂ ଭିତ୍ତିଭୂମି ଉପରେ କମ ଗୁରୁତ୍ୱ ଦିଆଯାଇଥିବା ନେଇ କେନ୍ଦ୍ର ସରକାର ସ୍ପଷ୍ଠୀକରଣ ମାଗିଛନ୍ତି। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ବଜେଟକୁ ବର୍ତ୍ତମାନ ଅନୁମତି ଦେଇ ନାହିଁ। ଫଳରେ ବଜେଟ୍ ଆଗତ ତାରିଖ ଆଗକୁ ବଢିପାରେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରର ଏହି ପଦକ୍ଷେପ ଉପରେ କେନ୍ଦ୍ର ଉପରେ ବର୍ଷିଛନ୍ତି ।
ରିପୋର୍ଟ ଅନୁସାରେ, ବଜେଟରେ ବିଜ୍ଞାପନରେ ଅଧିକ ଖର୍ଚ୍ଚ ଏବଂ ଭିତ୍ତିଭୂମି ଉପରେ କମ ଗୁରୁତ୍ୱ କାହିଁକି ଦିଆଯାଉଛି ବୋଲି କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ବଜେଟ୍ ଉପରେ ନିଜର ମଞ୍ଜୁରୀ ପ୍ରଦାନ କରିନାହାନ୍ତି। ସୂଚନା ଥାଉକି ଦିଲ୍ଲୀ ସରକାର ବଜେଟ ପ୍ରସ୍ତୁତ କରିବା ପରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଆଣିବାକୁ ପଡ଼େ। କେନ୍ଦ୍ର ସରକାର ମଞ୍ଜୁରୀ ଦେବା ପରେ ଯାଇ ଦିଲ୍ଲୀ ସରକାର ବିଧାନସଭାରେ ବଜେଟ ଆଗତ କରିପାରିବେ।