ପୁରୀ ୨୮/୦୮: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା। ନୋ ଫ୍ଲାଇଂ ଜୋନ୍ରେ ଉଡିଲା ଡ୍ରୋନ୍। ବଡ଼ଦେଉଳ ଉପରେ ପଇଁତରା ମାରିଲା ଡ୍ରୋନ୍। ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍ରେ ଏକ ଅଜଣା ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ତେବେ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୁଲିସ ଠାବ କରିପାରିନାହିଁ । ଅନ୍ୟପଟେ ବୁଧବାର ଗୁପ୍ତ କ୍ୟାମେରା ଥିବା ଚଷମା ପିନ୍ଧିଥିବା ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ତାଙ୍କ ନାମରେ ମାମଲା ରୁଜୁ କରିଛି । ଏହି ବ୍ୟକ୍ତି ଜଣକ ହେଲେ କୋଲକାତାର ଅରୂପ ରାୟ(୩୧) ବୋଲି ଜଣାପଡିଛି।

ବୁଧବାର ଦିନ ପ୍ରାୟ ୧୧ଟା ୪୫ରେ ସେ ଜଗମୋହନସ୍ଥିତ ଭିତରକାଠ ପାଖରେ ପରିବାର ସହ ଠାକୁର ଦର୍ଶନ କରିବା ସହ ଏହାର ଫଟୋ ଉଠାଉଥିଲେ । ସନ୍ଦେହ ହେବାରୁ ଏଠାରେ ଉପସ୍ଥିତ ଜଣେ ଜେଟିପି ତାଙ୍କୁ ଚଷମାକୁ ନିରେଖି ଚାହିଁଥିଲେ । ଯାହାପରେ ଚଷମାରେ ଗୁପ୍ତ କ୍ୟାମେରା ଥିବା ଦେଖିବାକୁ ପାଇବା ପରେ ତାଙ୍କୁ ଗାରଦକୁ ନେଇଥିଲେ । ପରେ ତାଙ୍କୁ ପୁଲିସ ହାତରେ ଦିଆଯାଇଥିଲା । ସିଂହଦ୍ୱାର ଥାନାକୁ ଉକ୍ତ ବ୍ୟକ୍ତିଙ୍କୁ ଅଣାଯାଇ ପଚରାଉଚରା କରାଯାଇଥିଲା । ଯେଉଁଥିରେ ସମ୍ପୃକ୍ତ ଶ୍ରୀମନ୍ଦିର ଭିତରେ ବହୁ ଫଟୋ ଉଠାଇଥିବା ପୁଲିସ ଜାଣିବାକୁ ପାଇଥିଲା । ଯାଞ୍ଚ ପାଇଁ ତାଙ୍କ ଚଷମା ଏବଂ ମୋବାଇଲ୍ ଫାନ୍ ଜବତ କରାଯାଇଛି । ଫଟୋଗୁଡ଼ିକ ଉଠାଯିବା ପରେ କେଉଁଠି ଷ୍ଟୋର ହୋଇଛି ସେନେଇ ପୁଲିସର ଫୋରେନସିକ୍ ଟିମ୍ ଯାଞ୍ଚ କରିବ ବୋଲି ଏସ୍ପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନର ଧାରା ୩୦ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ନେଇ ଏସ୍ପି ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି । ଏହା ଏକ ରେକର୍ଡିଂ ଡିଭାଇସ୍ ବୋଲି ଚିହ୍ନଟ କରିଛି ପୁଲିସ । ଏହି ବ୍ୟକ୍ତି ଗତକାଲିଠାରୁ ଆସି ଏକ ହୋଟେଲରେ ରହୁଥିଲେ । ପୂର୍ବାହ୍ନରେ ଶ୍ରୀମନ୍ଦିର ଭିତରେ କ୍ୟାମେରା ଯୁକ୍ତ ଚଷମା ନେଇ ଭିତରକୁ ପଶିଥିଲେ । ଭିତରକାଠ ପାଖରେ ବାରମ୍ବାର କ୍ୟାମେରାକୁ ଟେକାପକା କରିବାରୁ ଜେଟିପିଙ୍କ ସନ୍ଦେହ ଆସିଥିଲା । ବିଗତ ୨୦ ଦିନ ଭିତରେ ଏହା ୪ର୍ଥ ଘଟଣା । ହିଡେନ୍ କ୍ୟାମେରା ଥିବା ଚଷମା ପିନ୍ଧି ଲୋକେ ଶ୍ରୀମନ୍ଦିର ଭିତର, ଦେବଦେବୀଙ୍କ ଭିଡିଓ ଓ ଫଟୋ ଉଠାଇବାକୁ ଚେଷ୍ଟା କରିବା ଉଦ୍ବେଗର ବିଷୟ ହୋଇଛି ।
ବୁଧବାର ସନ୍ଧ୍ୟାରେ ମାର୍କେଟ ଛକରୁ ଏକ ଡ୍ରୋନ୍ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଉଡ଼ି ଯାଇଥିଲା । ପରେ ଶ୍ରୀମନ୍ଦିର ନିକଟରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଯାଇଥିଲା । ମାର୍କେଟ୍ ଛକରୁ ଡ୍ରୋନ୍ଟି ଅପରେଟ୍ କରାଯାଇଥିବା ଅନୁମାନ କରାଯାଉଛି । ଶ୍ରୀକ୍ଷେତ୍ରରେ ପାର୍ବଣର ଉଲ୍ଲାସ ରହିଛି । ବଡ଼ଦାଣ୍ଡ ଜାତୀୟ ରାଜପଥ ହୋଇଥିଲେ ହେଁ ଏହା ଉପରେ ଏକାଧିକ ଅନୁଷ୍ଠାନ ପକ୍ଷରୁ ଗଣେଶ ପୂଜା ପେଣ୍ଡାଲ ଓ ତୋରଣ କରାଯାଇଛି । ଲୋକେ ସନ୍ଧ୍ୟାରେ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ ପୂଜା ମଣ୍ଡପଗୁଡ଼ିକୁ ଆସି ବିଘ୍ନରାଜଙ୍କ ଦର୍ଶନ କରୁଛନ୍ତି । ବଡ଼ଦାଣ୍ଡ ସପିଙ୍ଗ ମଲ ଓ ପୂଜା ମଣ୍ଡପ ଆଗରେ ଏଥିନିମନ୍ତେ ଗାଡ଼ି ପାର୍କିଂ ଜନିତ ଭିଡ଼ ଜମୁଛି ।
ସେପଟେ ଶ୍ରୀମନ୍ଦିରକୁ ଠାକୁର ଦର୍ଶନ ନିମନ୍ତେ ଯାତ୍ରୀଙ୍କ ସୁଅ ଛୁଟିଛି । କେହି ଡ୍ରୋନ୍ ଉଡାଇ ଏହାର ଭିଡିଓ କରିଥିବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ଓ ପରିକ୍ରମା ମାର୍ଗ ଅଞ୍ଚଳ ସୁରକ୍ଷା ଦୃଷ୍ଟିରୁ ନୋ ଫ୍ଲାଇଂ ଜୋନ୍ କରାଯାଇଛି । ପୁଲିସର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ଶ୍ରୀମନ୍ଦିର ଉପରେ ଓ ଏହାର ଚାରିପାଖରେ ବାରମ୍ବାର ଡ୍ରୋନ୍ ଉଡ଼ୁଛି । ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ଆଣ୍ଟି ଡ୍ରୋନ୍ ସିଷ୍ଟମ କରାଯିବ ବୋଲି କିଛି ଦିନ ତଳେ ଆଇନମନ୍ତ୍ରୀ କହିଥିଲେ । ହେଲେ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ । ସେପଟେ ପୁଲିସ ବିଭାଗର ରକ୍ଷକ ଯାନ, ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଫୋର୍ସ, ଜିଲ୍ଲା ପୁଲିସ ଫୋର୍ସ ପ୍ରଭୃତି ମୁତୟନ କରିବା ସତ୍ତେ୍ୱ ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା କରାଯାଉଛି ।