ନୂଆଦିଲ୍ଲୀ,୧୫/୦୯: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ୭ ୱିକେଟରେ ପାକିସ୍ତାନକୁ ହରାଇ ପ୍ରତିଶୋଧ ନେଇଛି ସୂର୍ଯ୍ୟସେନା । ମ୍ୟାଚ ପରେ ପାକିସ୍ତାନ ପ୍ଲେୟାରଙ୍କ ସହିତ ହାତ ମିଳାଇନାହିଁ ଟିମ୍ ଇଣ୍ଡିଆ । ଏହାକୁ ନେଇ ଚିଇଁକି ଉଠିଛି ପାକିସ୍ତାନ । ମ୍ୟାଚ ରେଫରୀଙ୍କ ଉପରେ ଭଡକିଛି ପିସିବି । ଟିମ୍ ଇଣ୍ଡିଆ ବିରୋଧରେ ଏସିଆନ କ୍ରିକେଟ କାଉନସିଲ ନିକଟରେ (ଏସିସି) ନିକଟରେ ଅଭିଯୋଗ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ସେପଟେ ପାକିସ୍ତାନ କୋଚ କହିଛନ୍ତି ଆମେ ପ୍ରସ୍ତୁତ ଥିଲୁ ହେଲେ ସେମାନେ ହାତ ମିଳାଇଲେ ନାହିଁ ।
ପୁଣି ଥରେ କ୍ରିକେଟ ମୈଦାନରେ ପରାସ୍ତ ହେବା ପରେ ପିସିବି ଏସିଆନ କ୍ରିକେଟ ପରିଷଦ ନିକଟରେ ଅଭିଯୋଗ କରିଛି । ବୋର୍ଡ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଭାରତୀୟ ଖେଳାଳିମାନେ ହାତ ନ ମିଳାଇ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିନାହାଁନ୍ତି । ଟିମ୍ ମ୍ୟାନେଜର ନବୀଦ ଅଖତର ଚିମା ଭାରତୀୟ ଟିମ୍ର ହାତ ନମିଳାଇବାକୁ ବିରୋଧ କରିଛନ୍ତି । ଏସିସି ନିକଟରେ ଅଭିଯୋଗ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଟସ୍ ସମୟରେ ସେ ଦୁଇ ଅଧିନାୟକଙ୍କୁ ହାତ ମିଳାଇବାକୁ କହିଥିଲେ ।
ସେପଟେ ପାକିସ୍ତାନ କୋଚ ମାଇକ୍ ହେସନ କହିଛନ୍ତି, ''ଖେଳ ସରିବା ପରେ ଆମ ଟିମ୍ ପ୍ରସ୍ତୁତ ଥିଲା ହେଲେ ସେମାନେ ହାତ ମିଳାଇଲେ ନାହିଁ । ସେମାନେ ଡ୍ରେସିଂ ରୁମ୍ ଡୋର ବନ୍ଦ କରିଦେଲେ । ଆମେ ମ୍ୟାଚ ହାରିବା ପରେ ନିରାଶ ଥିଲୁ ଏହା ପରେ ଏପରି ବ୍ୟବହାର ପାଇଁ ଅଧିକ ଅସନ୍ତୁଷ୍ଟ ଅଛୁ ।''
ଗତ ଏପ୍ରିଲ ମାସରେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପ୍ରଥମ ଥର ଏସିଆ କପ୍ରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଖେଳାଳି କେବଳ ଖେଳ ଉପରେ ହିଁ ଧ୍ୟାନ ଦେଇଥିଲେ । ଫଳରେ ଟସ୍ ପଡ଼ିବା ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକ୍ ଅଧିନାୟକ ସଲମାନ ଆଘାଙ୍କ ସହ କରମର୍ଦ୍ଦନ କରିବାକୁ ମନା କରିଦେଇଥିଲେ । ସେମିତି ମ୍ୟାଚ୍ ଶେଷ ହେବା ପରେ ଉଭୟ ଦଳର ଖେଳାଳି, କୋଚ ଏବଂ ସହଯୋଗୀ ଷ୍ଟାଫ୍ମାନେ ପଡ଼ିଆରେ ହାତ ମିଳାଇନଥିଲେ ।
ସୂର୍ଯ୍ୟକୁମାର ବିଶାଳ ଛକା ମାରି ଦଳକୁ ଜିତାଇବା ପରେ ଶିବମ ଦୁବେଙ୍କ ସହ ହାତ ମିଳାଇ ସିଧା ଡ୍ରେସିଂ ରୁମକୁ ପଳାଇ ଆସିଥିଲେ । ପାକ୍ ମୁଖ୍ୟ କୋଚ୍ ମାଇକ ହେସନ କରମର୍ଦ୍ଦନ ପାଇଁ ଭାରତୀୟ ଡ୍ରେସିଂ ରୁମ ଆଡ଼କୁ ଆସିଥିଲେ ବି କୌଣସି ଖେଳାଳି ବାହାରି ନଥିଲେ ।