​​​​​​​ଭୁବନେଶ୍ୱର, ୧୩।୧: ବଜାରରେ ଗୁଡ଼ି ବିକ୍ରି ଚାଲିଛି । ହେଲେ ରାଜଧାନୀ ଭୁବନେଶ୍ୱରରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ନାହିଁ । ଆଜି କି କାଲି ନୁହେଁ, ବର୍ଷବର୍ଷ ଧରି ଭୁବନେଶ୍ୱରରେ ପ୍ରତିଯୋଗିତା ହେବାର କେହି କେବେ ଦେଖିନାହାନ୍ତି । ଦିନକ ପରେ ମକର ସଂକ୍ରାନ୍ତି । ଏଥିପାଇଁ ରାଜଧାନୀରେ ଥିବା ଗୁଡ଼ି ବଜାରରେ ଭିଡ଼ । ଛୋଟ ପିଲାଙ୍କଠୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତେ ଗୁଡ଼ି କିଣୁଛନ୍ତି । କିନ୍ତୁ ଉଡ଼ାଇବେ କେଉଁଠି ତାକୁ ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ । ମକର ସଂକ୍ରାନ୍ତିର ଅନ୍ୟ ଏକ ଆକର୍ଷଣ ହେଉଛି ଗୁଡ଼ି । ଦେଶର ବିଶାଳ ଗୁଡ଼ି ଉଡ଼ା ପର୍ବ ଗୁଜରାଟରେ ଦେଖିବାକୁ ମିଳେ । ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏହା କେବଳ ପ୍ରତିଯୋଗିତା ନୁହେଁ, ପରମ୍ପରା ବି । ଆମର ଓଡ଼ିଶାରେ କେବଳ କଟକରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଦେଖିବାକୁ ମିଳେ । ଭୁବନେଶ୍ୱରରେ ଏଭଳି ପରମ୍ପରା ନାହିଁ । ତେଣୁ ଛାତ ଉପରେ, ଆଉ କେତେକ ବସ୍ତିରେ ଗୁଡ଼ି ଉଡ଼ାନ୍ତି ।

ବାଣୀଚିତ୍ରର ସମ୍ପାଦକ ତଥା ଲେଖକ ଭାସ୍କର ଜେନା କହିଛନ୍ତି, ଭୁବନେଶ୍ୱରରେ ଏହି ପରମ୍ପରା ନାହିଁ । ଆମେ କଟକର ମହାନଦୀ ଓ କାଠଯୋଡ଼ି ପଠାରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଦେଖୁ । ଦିନ ଆସିଲା, କଟକର ବାଲିଯାତ୍ରା ଭଳି ଭୁବନେଶ୍ୱରରେ ବାଲିଯାତ୍ରା ଚାଲିଲା, ହେଲେ ଗୁଡ଼ି ଉଡ଼ା ପ୍ରତିଯୋଗିତା ହୋଇପାରିନି । ଆମର ଏଠି ଦୟାନଦୀ, କୁଆଖାଇ ନଦୀ ପଠା ଥାଇ ବି ପ୍ରତିଯୋଗିତା ହୋଇପାରୁନି । ସେବା ପ୍ରତିନିଧିର ଆବାହକ ନୀଳମଣି ମିଶ୍ରଙ୍କ କହିବା କଥା, ଆମ ପିଲାଦିନେ ଆମେ ଗୁଡ଼ି ଉଡ଼ା ପ୍ରତିଯୋଗିତା କରୁଥିଲୁ । ତାହା ଖେଳ ଥିଲା । ବଡ଼ଧରଣର କି ମହୋତ୍ସବ ନୁହେଁ । ଏବେ ଆଉ ସେ ଖେଳ ନାହିଁ । ଅପରପକ୍ଷେ, କଟକଣା ସତ୍ତେ୍ୱ ମାଞ୍ଜା ସୂତା ବ୍ୟବହାର ଉପରେ ରୋକ ଲାଗୁନି । ଦୁଇଦିନ ତଳେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ୩ ଜଣ ବ୍ୟକ୍ତି ମାଞ୍ଜା ସୂତା ସଂସ୍ପର୍ଶରେ ଆସି ଆହତ ହୋଇଥିଲେ । ଗତକାଲି ପୁରୀ ଶ୍ରୀମନ୍ଦିର ଆଗରେ ବି ଜଣେ ଆହତ ହୋଇଥିଲେ । ପୁଲିସ ଏପର୍ଯ୍ୟନ୍ତ ମାଞ୍ଜା ସୂତା ବ୍ୟବହାର ଉପରେ ରୋକ ଲଗାଇବାର କୌଣସି ବ୍ୟବସ୍ଥା ଗ୍ରହଣ କରିନି ।