ଭୁବନେଶ୍ୱର,୫ା୨(ବ୍ୟୁରୋ): ଏବେ ବି ରାଜ୍ୟର ୧୩ ହଜାର ୨୫୫ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ରାଜ୍ୟ ସରକାର ଏଭଳି ତଥ୍ୟ ଦେଇଛନ୍ତି ।
ସରକାରଙ୍କ ତଥ୍ୟ କହୁଛି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସ୍ୱାଇ)ର ରୋଡ୍ କୋର୍ ନେଟୱର୍କ ଅନୁଯାୟୀ ଓଡ଼ିଶାରେ ମୋଟ ୫୦ ହଜାର ୧୭୮ଟି ଗାଁ ରହିଛି । ପିଏମ୍ଜିଏସ୍ୱାଇ କାର୍ଯ୍ୟକାରୀ ହେବା ଆଗରୁ ୨୦ ହଜାର ୬୪୧ ଗାଁକୁ ସବୁଦିନିଆ ରାସ୍ତା ଥିଲା । ୨୯ ହଜାର ୫୩୭ଟି ଗାଁ ଅସଂଯୋଜିତ ରହିଥିଲା । ପିଏମ୍ଜିଏସ୍ୱାଇ ନିୟମ ଅନୁଯାୟୀ ୧୮, ୪୭୬ ଗାଁକୁ ଯୋଗ୍ୟ ବିବେଚିତ କରାଯାଇଥିଲା । ଏଥିମଧ୍ୟରୁ ୧୭ ହଜାର ୧୦୩ଟି ଗାଁ ପାଇଁ ସଡ଼କ ସଂଯୋଗ ପ୍ରସ୍ତାବକୁ କେନ୍ଦ୍ର ସରକାର ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଅନ୍ୟାନ୍ୟ ଯୋଜନାରେ ୧୩୨୫ ଗାଁକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣ କରାଯାଇଛି । କେନ୍ଦ୍ର ସରକାର ମଞ୍ଜୁର କରିଥିବା ୧୭ ହଜାର ୧୦୩ଟି ଗାଁ ମଧ୍ୟରୁ ୧୪ ହଜାର ୯୫୭ଟି ଗାଁକୁ ୨୦୧୯ ଜାନୁଆରୀ ସୁଦ୍ଧା ପିଏମ୍ଜିଏସ୍ୱାଇ-୧ରେ ସଂଯୋଗ କରାଯାଇଛି । ଅର୍ଥାତ୍ ଅସଂଯୋଜିତ ଥିବା ମୋଟ ୨୯ ହଜାର ୫୩୭ଟି ଗାଁ ମଧ୍ୟରୁ ମୋଟ ୧୬ ହଜାର ୨୮୨ ଗାଁକୁ ରାସ୍ତା ନିର୍ମାଣ ସରିଛି । ଏହି ହିସାବରେ ୧୩ ହଜାର ୨୫୫ ଗାଁକୁ ଏଯାବତ୍ ସବୁଦିନିଆ ରାସ୍ତା ନାହିଁ । ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ୨୧୪୬ ଗାଁକୁ ରାସ୍ତା ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପିଏମ୍ଜିଏସ୍ୱାଇ ଯୋଜନାରେ ମଞ୍ଜୁର ହୋଇଥିବା ୫୮୨ ସେତୁ ମଧ୍ୟରୁ ଅଦ୍ୟାବଧି ୨୫୧ଟି ସେତୁ ନିର୍ମାଣ ହୋଇ ରାସ୍ତା ସଂଯୋଗୀକରଣ କରାଯାଇଛି ।
୨୦୧୪-୧୫ରୁ ବର୍ତ୍ତମାନ ସୁଦ୍ଧା ପିଏମ୍ଜିଏସ୍ୱାଇ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୋଟ ୧୨ ହଜାର ୧୮୬ କୋଟି ୨୯ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ଏଥିରୁ ୭୫୮୦ କୋଟି ୬୫ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଓ ୪୬୦୫ କୋଟି ୬୪ ଲକ୍ଷ ଟଙ୍କା ରାଜ୍ୟ ସରକାର ଦେଇଛନ୍ତି । ଏହି ଅନୁମୋଦିତ ଅର୍ଥ ମଧ୍ୟରୁ ୧୦୫୬୯ କୋଟି ୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏଥିରେ ୨୪୫୯୮.୮୨ କିମି ରାସ୍ତା ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୧୭.୨୩ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ବଳକା ଅଛି । ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରୁ ଏଯାବତ୍ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାଜ୍ୟ ସରକାର ୧୨୭୦ କୋଟି ୪୫ ଲକ୍ଷ ଟଙ୍କା ଦେଇଛନ୍ତି । ଏଥିରୁ ଏଯାବତ୍ ୯୪୯ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୪୧୦ଟି ରାସ୍ତା ନିର୍ମାଣ ହୋଇଛି । ୩୨୦ କୋଟି ୯୯ ଲକ୍ଷ ଟଙ୍କା ବଳକା ଅଛି । ୨୦୧୪-୧୫ ଆର୍ଥିକ ବର୍ଷରୁ ଏଯାବତ୍ ପ୍ଲାନ୍ ରୋଡ୍ ଅନ୍ତର୍ଗତ ବିଭିନ୍ନ ଯୋଜନା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ଗ୍ରାମ୍ୟ ସଡ଼କ ବାବଦକୁ ୨୪୬୯.୮୭ କୋଟି ଟଙ୍କାର ଅନୁଦାନ ମିଳିଥିଲା । ଏଥିରୁ ୨୨୫୮.୭୮ କୋଟି ଟଙ୍କା ବ୍ୟୟରେ ୩୨୪୪.୩୯ କିମି ରାସ୍ତା ନିର୍ମାଣ ହୋଇଛି ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...