ନୂଆଦିଲ୍ଲୀ,୧୪/୦୪; ଉତ୍ତରପ୍ରଦେଶର ଗ୍ରେଡର ନୋଏଡ଼ା ହିଂସା ବଢିବାରେ ଲାଗିଛି । ଶ୍ରମିକ ଆନ୍ଦୋଳନକୁ ନେଇ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ହିଂସାକାଣ୍ଡ ପଛରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହ କରୁଛି ୟୁପି ପୁଲିସ୍। ଏନେଇ ତଦନ୍ତ ବି ଆରମ୍ଭ ହୋଇଛି । ଶ୍ରମିକଙ୍କ ଦରମା ବଢିଲା ତଥାପି ଉତ୍ତେଜନା ଥମୁନାହିଁ । ଜଳୁଛି ନୋଏଡା । ଆଜି ବି ଭଙ୍ଗାରୁଜ ସହ ପୁଲିସ ଉପରକୁ ପଥରମାଡ ହୋଇଛି । ପାକିସ୍ତାନ ହାତ ଥିବା ସନ୍ଦେହ ବଢିଛି । ହିଂସାକାଣ୍ଡରେ ୩୦୦ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି ।
ବଢିଲା ଦରମା, ଥମୁନି ହିଂସା- ରାଜ୍ୟ ସରକାର ସମସ୍ତ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବଢାଇଛନ୍ତି । ସଂଶୋଧିତ ହାର ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ । ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ମେଧା ରୂପମ୍ କହିଛନ୍ତି, ଏକ ଉଚ୍ଚ କ୍ଷମତାସମ୍ପର୍ଣ୍ଣ କମିଟି ଦ୍ୱାରା ମଜୁରୀ ବୃଦ୍ଧି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ୟୁପ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିକୁ ଅମୁମୋଦନ କରିଛନ୍ତି । ସରକାରୀ ବିବୃତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକମାନେ ଏବେ ମାସିକ ୧୧,୩୧୩ ଟଙ୍କା ପରିବର୍ତ୍ତେ ୧୩,୬୯୦ ଟଙ୍କା ପାଇବେ । ଅର୍ଦ୍ଧକୁଶଳୀ ଶ୍ରମିକ ୧୫, ୦୫୯ ଟଙ୍କା ଏବଂ କୁଶଳୀ ଶ୍ରମିକମାନେ ୧୬, ୮୬୮ ଟଙ୍କା ସର୍ବନମ୍ନ ମଜୁରୀ ପାଇବେ । ସରକାର ଶ୍ରମିକଙ୍କ ଦାବି ପୂରଣ କଲେ ତଥାପି ହିଂସା ଥମୁନାହିଁ । ବ୍ୟାପକ ଭଙ୍ଗାରୁଜା ସହ ପୋଡାଜଳା ଜାରି ରହିଛି । ପୁଲିସ୍ ଉପରକୁ ପଥରମାଡ ହୋଇଛି । ଯାହା ଫଳରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହରେ ତନାଘନା ଜାରି ରହିଛି ।
ଏହା ବି ପଢନ୍ତୁ...ଶ୍ରମିକ ଆନ୍ଦୋଳନ ଆଗରେ ନଇଲେ ଯୋଗୀ ସରକାର, ମଜୁରୀରେ ୨୧% ବୃଦ୍ଧି ଘୋଷଣା
୩୦୦ ଦଙ୍ଗାକାରୀ ଗିରଫ- ଉତ୍ତରପ୍ରଦେଶର ନୋଏଡାରେ ଶ୍ରମିକମାନଙ୍କ ଦ୍ୱାରା କରାଯାଉଥିବା ଏକ ବିଶାଳ ବିକ୍ଷୋଭ ହିଂସାତ୍ମକ ରୂପ ଧାରଣ କରିଛି । ଦରମା ବୃଦ୍ଧ ଓ ବିଭିନ୍ନ ସୁବିଧା ସୁଯୋଗ ଦାବିରେ ରାସ୍ତାକୁ ଓହ୍ଲାଇଥିବା ପ୍ରାୟ ୪୦ ହଜାରରୁ ଅଧିକ ଶ୍ରମିକ ପୁଲିସ ଗାଡି ସମେତ ଅନେକ ବାହାନ ଭଙ୍ଗାରୁଜା କରିଛନ୍ତି । ନୋଏଡାର ଫେଜ୍ -୨ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ବିକ୍ଷୋଭକାରୀ ପୁଲିସ୍ ଭ୍ୟାନ୍ ଏବଂ ଅନ୍ୟାନ ଗାଡିକୁ କ୍ଷତିଗ୍ରସ୍ତ କରିଛନ୍ତି । ପଡୋଶୀ ହରିୟାଣା ସରକାର ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫ ପ୍ରତିଶତ ବଢାଇଥିବାରୁ ନୋଏଡା ଶ୍ରମିକମାନେ ମଧ୍ୟ ସମାନ ପାରିଶ୍ରମିକ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଫେଜ ୨ ଏବଂ ସେକ୍ଟର ୨ ଭଳି ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ନିୟନ୍ତ୍ରଣ ପାଇଁ ପୁଲିସ୍ ଲୁହା ବୁହା ଗ୍ୟାସ ବ୍ୟବହାର କରିଥିଲା । ଏହି ମାମଲାରେ ଏ ପର୍ଯ୍ୟନ୍ତ ୩୦୦ ଜଣଙ୍କୁ ଗିରଫ କରାଯାଇଛି । ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଏବେ ପାକିସ୍ତାନ ଲିଙ୍କ୍ ତଦନ୍ତ ଆରମ୍ଭ ଉତ୍ତେଜନାକୁ ନୂଆ ମୋଡ ଦେଇଛି । ଶ୍ରମ ମନ୍ତ୍ରୀ ଅନିଲ ରାଜଭର ସୂଚିତ କରିଛନ୍ତି ଯେ ସମ୍ପ୍ରତି ଆତଙ୍କବାଦୀ ଗିରଫଦାରୀକୁ ଦୃଷ୍ଟିରେ ରଖି ହିଂସାକୁ ଉସକାଉଥିବା ପଛରେ ଏକ ବିଦେଶୀ ଷଡ଼ଯନ୍ତ୍ର ତଦନ୍ତ କରାଯାଉଛି ।