PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ: ନନ୍‌ ସୁଗାର ସ୍ୱିଟନର କ୍ଷତିକାରକ, ଟାଇପ୍‌ ୨ ଡାଇବେଟିସ ଓ ହୃଦରୋଗ କ୍ଷେତ୍ରରେ ଆତ୍ମଘାତୀ

ନୂଆଦିଲ୍ଲୀ,୨୭/୦୫: ଚିନି ପରିବର୍ତ୍ତେ ବ୍ୟବହୃତ ମିଠା ଉତ୍ପାଦ ବା ନନ୍‌ ସୁଗାର ସ୍ୱିଟନର (ଏନ୍‌ଏସ୍‌ଏସ୍‌ )କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଜାରି କରିଛି ନୂଆ ମାର୍ଗଦର୍ଶିକା । ଓଜନ ଏବଂ ନନ୍‌ କମ୍ୟୁନିକେବୁଲ ରୋଗକୁ ହ୍ରାସ କରିବା ଲାଗି ଏହା ସାଧାରଣତଃ ବ୍ୟବହାର ହେଉଛି । ତେବେ ଏହାକୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି ଡବ୍ଲ୍ୟୁଏଚ୍‌ଓ । ଦୀର୍ଘମିଆଦୀ ଭିତ୍ତିରେ ପ୍ରାପ୍ତ ବୟସ୍କ ଏବଂ ଶିଶୁଙ୍କ ଓଜନ ହ୍ରାସ କ୍ଷେତ୍ରରେ ଏନ୍‌ଏସ୍‌ଏସ୍‌ ଏତେଟା ପ୍ରଭାବୀ ନୁହେଁ ବୋଲି ତର୍ଜମାରୁ ଜଣାପଡିଛି ।

ତେବେ ଦୀର୍ଘମିଆଦୀ ଭିତ୍ତିରେ ଏନ୍‌ଏସ୍‌ଏସ୍‌ ବ୍ୟବହାର ଟାଇପ ୨ ଡାଇବେଟିସ, ହୃଦରୋଗ ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ ଆତ୍ମଘାତୀ ହୋଇପାରେ ବୋଲି ସତର୍କ କରାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଡବ୍ଲ୍ୟୁଏଚ୍‌ଓର ପୋଷଣ ଏବଂ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ଫ୍ରାନସେସ୍‌କୋ ବ୍ରେନକା କହିଛନ୍ତି, ଚିନି ପରିବର୍ତ୍ତେ ଏନ୍‌ଏସ୍‌ଏସ୍‌ ବ୍ୟବହାର ଦ୍ୱାରା ଦୀର୍ଘମିଆଦୀ ଭିତ୍ତିରେ ଓଜନ ନିୟନ୍ତ୍ରଣ କରିବା କଷ୍ଟକର । ଲୋକମାନେ ଚିନିର ବିକଳ୍ପ ମଧ୍ୟ ଗ୍ରହଣ କରିପାରିବେ । ପ୍ରାକୃତିକ ଫଳରେ ରହିଥିବା ଉପାଦାନ, ବିନା ସ୍ୱିଟନର ବ୍ୟବହାରରେ ପ୍ରସ୍ତୁତ ଖାଦ୍ୟ ଏବଂ ପାନୀୟ ବ୍ୟବହାର କରାଯାଇପାରିବ ।

ଡାଏଟ କ୍ଷେତ୍ରରେ ଏନ୍‌ଏସ୍‌ଏସ୍‌ ଅତି ଜରୁରୀ ଉପାଦାନ ନୁହେଁ । ପୋଷଣ କ୍ଷେତ୍ରରେ ମଧ୍ୟ ଏହା ଉପାଦେୟ ନୁହେଁ । ଖାଦ୍ୟାଭ୍ୟାସରେ ଚିନିର ମାତ୍ରା କମାଇବା, ଦିନ ଚର୍ଯ୍ୟା ଶୀଘ୍ର ଆରମ୍ଭ କରିବା ସହ ସ୍ୱାସ୍ଥ୍ୟକୁ ସୁଧାରି ହେବ ବୋଲି ବ୍ରେନକା ଉଲ୍ଲେଖ କରିଛନ୍ତି । ମଧୁମେହ ଥିବା ଲୋକଙ୍କୁ ଛାଡି ଦେଲେ ଏନ୍‌ଏସ୍‌ଏସ୍‌ ସମ୍ପର୍କିତ ଏହି ପରାମର୍ଶ ସବୁ ଲୋକଙ୍କ ଲାଗି କାର୍ଯ୍ୟକାରୀ ହେବ ।

ସାଧାରଣତଃ ଏନ୍‌ଏସ୍‌ଏସ୍‌ ମଧ୍ୟରେ ରହିଛି ଆସଲଫେମ୍‌ କେ, ଆସପରଟେମ, ଆଡଭାନ୍ସଟେମ, ସାଇକ୍ଲେମେଟସ, ନିଓଟେମ, ସାକାରିନ, ସୁକ୍ରାଲୋଜ, ଷ୍ଟିଭିଆ ଏବଂ ଷ୍ଟିଭିଆ ଡେରିଭେଟିଭ୍‌ସ । ସେହିଭଳି ଏନ୍‌ଏସ୍‌ଏସ୍‌ ବ୍ୟବହାର ହୋଇଥିବା ପର୍ସନାଲ କେୟାର ଏବଂ ହାଇଜିନ ପ୍ରଡକ୍ଟକୁ ଏହି ପରାମର୍ଶ ପରିସରରୁ ବାହାରେ ରଖାଯାଇଛି ।

ଏହି ସବୁ ଉତ୍ପାଦଗୁଡିକ ମଧ୍ୟରେ ଟୁଥପେଷ୍ଟ, ସ୍କିନକ୍ରିନ ଏବଂ ମେଡିକେସନ କିମ୍ବା ଲୋ କ୍ୟାଲୋରି ସୁଗାର, ସୁଗାର ଆଲକହଲ ରହିଛି । ଜୀବନବ୍ୟାପୀ ଏକ ସୁରକ୍ଷିତ ଖାଦ୍ୟାଭ୍ୟାସ, ଗୁଣବତ୍ତା ଡାଏଟ ଏବଂ ବିଶ୍ୱବ୍ୟାପୀ ଏନ୍‌ସିଡିର ହ୍ରାସ ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୂଚନା ମିଳିଛି । ସେହିଭଳି ତରଭୁଜ ରଙ୍ଗକୁ ଲାଲ ଏବଂ ମିଠା କରିବା ଲାଗି ଏନ୍‌ଏସ୍‌ଏସ୍‌ର ବ୍ୟବହାର ହେଉଥିବା ଦେଖାଯାଉଛି । ଏହାର ନିୟନ୍ତ୍ରଣ ମଧ୍ୟ ହେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।