ନୂଆଦିଲ୍ଲୀ: ବୁଧବାର ଉତ୍ତର କୋରିଆ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପାଞ୍ଚ ମାସ ମଧ୍ୟରେ ଦେଶର ପ୍ରଥମ। ଏହି ପରୀକ୍ଷଣ ଏଭଳି ଏକ ସମୟରେ ହୋଇଛି, ଯେତେବେଳେ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ନେତା ମାନେ ଦକ୍ଷିଣ କୋରିଆରେ ପରସ୍ପରକୁ ସାକ୍ଷାତ କରିବାକୁ ଯାଉଛନ୍ତି। ସୂଚନାଥାଉକି, ଆସନ୍ତା ସପ୍ତାହରେ ଦକ୍ଷିଣ କୋରିଆ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ସମ୍ମିଳନୀ ଆୟୋଜନ କରୁଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ ଷ୍ଟାଫ୍ ରିପୋର୍ଟ କରିଛନ୍ତି ଯେ, ଦକ୍ଷିଣ କୋରିଆର ସାମରିକ ବାହିନୀ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଦକ୍ଷିଣରେ ପ୍ରକ୍ଷେପଣ କରାଯାଇଥିବା ଏହି ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଚିହ୍ନଟ କରିଛି।
ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ରିପୋର୍ଟ କରିଛନ୍ତି ଯେ, କ୍ଷେପଣାସ୍ତ୍ର ଗୁଡ଼ିକ ପ୍ରାୟ ୩୫୦ କିଲୋମିଟର ଉତ୍ତର-ପୂର୍ବ ଦିଗରେ ଉଡ଼ାଣ କରିଥିଲା, କିନ୍ତୁ ସେଗୁଡ଼ିକ କେଉଁଠାରେ ପଡ଼ିଥିଲା ତାହା ସ୍ପଷ୍ଟ ହୋଇନାହିଁ । ଦକ୍ଷିଣ କୋରିଆର ସାମରିକ ବାହିନୀ କହିଛି ଯେ, ଏହା ଉତ୍ତର କୋରିଆର ଯେକୌଣସି ଉତ୍ତେଜନାର ଜବାବ ଦେବାକୁ ପ୍ରସ୍ତୁତ। ଆମର ସହଯୋଗୀ ରାଷ୍ଟ୍ର ଆମେରିକା ଆମକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି।
ଉତ୍ତର କୋରିଆ ସାଧାରଣତଃ କୋରିଆ ଉପଦ୍ୱୀପ ଏବଂ ଜାପାନ ମଧ୍ୟରେ ଥିବା ଜଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥାଏ। ପଡ଼ୋଶୀ ଦେଶ ଗୁଡ଼ିକୁ କୌଣସି କ୍ଷତି ପହଞ୍ଚାଇ ନ ଦେଇ ଏହି ପରୀକ୍ଷଣ କରିଥାଏ ସେ । ସେପଟେ ଜାପାନର ନୂତନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ଜାପାନ ଆମେରିକା ଏବଂ ଦକ୍ଷିଣ କୋରିଆ ସହିତ ଘନିଷ୍ଠ ଯୋଗାଯୋଗ ବଜାୟ ରଖିଛି । କୌଣସି କ୍ଷେପଣାସ୍ତ୍ର ଜାପାନର ଜଳଭାଗ କିମ୍ବା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ପହଞ୍ଚି ନାହିଁ।
ଉଲ୍ଲେଖନୀୟ କି,ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ଏହାର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି, ଯାହା ସାମ୍ପ୍ରତିକ ମାସ ଗୁଡ଼ିକରେ କୋରିଆ ଉପଦ୍ୱୀପରେ ଉତ୍ତେଜନାକୁ ଯଥେଷ୍ଟ ବୃଦ୍ଧି କରିଛି।