କଣ୍ଟ ପୂରିଲା, କାମ ସରିନି: ଭୁବନେଶ୍ୱର ସ୍ମାର୍ଟ ସିଟି ହେବ ତ !

ଭୁବନେଶ୍ୱର,୫ା୨(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ହୋଇଯିବ । ସହରର ଚେହେରା ବଦଳିଯିବ । ସହରବାସୀଙ୍କ ପାଇଁ ପ୍ରଶସ୍ତ ରାସ୍ତା, ସାଇକେଲ ଟ୍ରାକ୍, ଫୁଟପାଥ୍, ଉନ୍ନତ ପରିବହନ ବ୍ୟବସ୍ଥା, ଅତ୍ୟାଧୁନିକ, ଟ୍ରାଫିକ୍ ସିଗ୍ନାଲ୍, ବହୁତଳ କାର୍ ପାର୍କିଂ, ସ୍ମାର୍ଟ ଜନପଥ ଓ ଭଳିକି ଭଳି ସ୍ମାର୍ଟ ସେବା ଏବଂ ସୁବିଧାସୁଯୋଗ ସବୁ ଖଞ୍ଜି ଦିଆଯିବ । ଆକାଶରୁ ତୋଳି ଆଣି ଏଭଳି ସ୍ୱପ୍ନ ଦେଖାଇଲେ । ଗ୍ରାଫିକ୍ସ ଡିଜାଇନ୍ରେ ଭୁବନେଶ୍ୱରକୁ ବିଦେଶର ସହର ଭଳି ପ୍ରଦର୍ଶିତ କଲେ କିନ୍ତୁ ସ୍ମାର୍ଟ ସିଟି ମିଶନକୁ ୩ ବର୍ଷ ପୂରିବାକୁ ବସିଲାଣି, ହେଲେ ଗୋଟିଏ ବି ବଡ଼ ପ୍ରକଳ୍ପ ସରିଲାନି । ମୋଟ ୧୦୩୧.୩୨ କୋଟି ଖର୍ଚ୍ଚରେ ବିଭିନ୍ନ ପ୍ରକଳ୍ପ ହେବାର ଥିଲା । ହେଲେ ଏପର୍ଯ୍ୟନ୍ତ ମୋଟ ପ୍ରକଳ୍ପ ରାଶିର ମାତ୍ର ୧୫ପ୍ରତିଶତ ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି ।
୨୦୧୬ ଜାନୁୟାରୀରେ କେନ୍ଦ୍ର ସରକାର ସ୍ମାର୍ଟ ସିଟି ମିଶନ ପାଇଁ ଦେଶର ୨୦ଟି ସହରକୁ ଚୟନ କରିଥିଲେ । ଏହି ତାଲିକାରେ ଭୁବନେଶ୍ୱର ଏକ ନମ୍ବର ସ୍ଥାନରେ ରହିଥିଲା । ସ୍ମାର୍ଟ ସିଟି ମିଶନ ଅଧୀନରେ ଭୁବନେଶ୍ୱର ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବାକୁ ଏକ ସ୍ପେଶିଆଲ ପରପୋଜ୍ ଭେହିକିଲ୍(ଏସପିଭି) ଗଢ଼ା ହେଲା । ଫେବ୍ରୁଆରୀ ୨୩ରେ ରାଜ୍ୟ ସରକାର ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ(ବିଏସ୍ସିଏଲ୍) ନାଁରେ ଏହି ଏସ୍ପିଭି ଗଠନ କରିଥିଲେ । ସେବେଠାରୁ ଭୁବନେଶ୍ୱରକୁ ସ୍ମାର୍ଟ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତି ଠାରୁ ନେଇ ଏହାକୁ କାର୍ଯ୍ୟକ୍ଷମ କରାଇବାକୁ ବିଏସ୍ସିଏଲ ଏକ ନୋଡାଲ ଏଜେନ୍ସି ବା ସ୍ୱାୟତ୍ତ ସଂସ୍ଥା ଭଳି କାମ କଲା ।
ସହରକୁ ସ୍ମାର୍ଟ କରିବାକୁ ପ୍ରାୟ ୧୦୩୧.୩୨ କୋଟି ବ୍ୟୟରେ ମୋଟ ୧୫ଟି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏହି ପ୍ରମୁଖ ପ୍ରକଳ୍ପ ଭିତରୁ ଦୁଇଟି ପାର୍କ ଓ ଆଉ କିଛି ଛୋଟ ମୋଟ ଯୋଜନାକୁ ଛାଡ଼ି ଅନ୍ୟ କିଛି ବାସ୍ତବ ରୂପ ନେଇନି । ସବୁ ବଡ଼ ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଛି । ଅନେକ ପ୍ରକଳ୍ପର ଡେଡଲାଇନ୍ ବି ସରିଗଲାଣି । କିନ୍ତୁ କାମ କେବେ ସରିବ ତା ଜଣାନାହିଁ ।
ଏ କଥା ଖୋଦ୍ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟରୁ ଜଣାପଡ଼ିଛି । ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀପୂଜାରୀ କହିଛନ୍ତି, ଏବେ ସୁଦ୍ଧା ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୯୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଉରକେଲା ପାଇଁ ୧୮୮କୋଟି ଟଙ୍କା ଦେଇଛନ୍ତି । ମୋଟ ୧୦୩୧.୩୨ କୋଟିର ପ୍ରକଳ୍ପରୁ ମାତ୍ର ୧୫ପ୍ରତିଶତ ବିନିଯୋଗ ହୋଇଛି । ଅଧିକାଂଶ ପ୍ରକଳ୍ପ ଆଣ୍ଠେଇଛି । ସହରକୁ ସ୍ମାର୍ଟ ସିଟି କରିବାକୁ ଦେଖାଇ ଥିବା ସ୍ୱପ୍ନ ପୂରା ହେବ ତ? ସତରେ ଭୁବନେଶ୍ୱର ସ୍ମାର୍ଟ ସିଟି ହେବ? ପ୍ରକଳ୍ପର ଷ୍ଟାଟସ୍ ରିପୋର୍ଟରୁ ଏଭଳି ପ୍ରଶ୍ନ ଛିଡ଼ା ହୋଇଛି ।
୧୦ଟି ସ୍ଥାନରେ ଲାଗିଛି ପ୍ରଦୂଷଣ ମାପିବା ଯନ୍ତ୍ର
ରାଜଧାନୀରେ ପ୍ରଦୂଷଣ ମାପିବାକୁ ୧୦ଟି ସ୍ଥାନରେ ପ୍ରଦୂଷଣ ପରିମାପକ ଯନ୍ତ୍ର ଲାଗିଛି । ଖଣ୍ଡଗିରି ଥାନା ପାଖ, କିଟ୍ ଛକ, ଇନ୍ଫୋସିଟି ଛକ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଲିଙ୍ଗରାଜ ମନ୍ଦିର, ୟୁନିଟ୍-୮ ଡିଏଭି, ଆର୍ପିଆରସି ସେଣ୍ଟର, ରମାଦେବୀ କଲେଜ ପାଖ, ନାଲ୍କୋ ଛକ ଓ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏହି ଯନ୍ତ୍ର ଲାଗିଛି । ଏଥିସହ ସହରର ପ୍ରଦୂଷଣ ମାତ୍ରା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବାକୁ ରବୀନ୍ଦ୍ର ମଣ୍ଡପ ଓ ଡମଣା ଛକରେ ୨ଟି ଡିଜିଟାଲ ବୋର୍ଡ ଲଗାଯାଇଛି । ବିଧାୟକ ପ୍ରିୟଦର୍ଶୀ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତର ରଖି ଗୃହ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ସ୍ମାର୍ଟ ଜନପଥରେ ଆହୁରି ୬୦କୋଟିର କାମ ବାକି
ଜନପଥକୁ ବିଶ୍ୱସ୍ତରୀୟ ରୂପ ଦେବା ପାଇଁ ସ୍ମାର୍ଟ ସିଟି ପ୍ରକଳ୍ପରେ ପରିକଳ୍ପନା ହୋଇଥିଲା । ଏଥିପାଇଁ ସ୍ମାର୍ଟ ଜନପଥ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା । ପ୍ରକଳ୍ପରେ ଜନପଥ ରାସ୍ତାର ବିକାଶ ସହ ଷ୍ଟ୍ରିଟ୍ସ୍କେପ୍ ଡିଜାଇନ୍, ସୌନ୍ଦର୍ଯ୍ୟକରଣ, ଲାଣ୍ଡସ୍କେପିଂ, ସବୁ ଛକ ଓ ଭିତ୍ତିଭୂମିର ପୁନଃବିକାଶ ପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବା ସହ କାମ ଆରମ୍ଭ ହୋଇଥିଲା । ଏବେସୁଦ୍ଧା ଶିଶୁଭବନ ଛକରୁ ରାଜମହଲ ଛକ ଯାଏ ଅଧାପନ୍ତରିଆ କାମ ସରିଛି । ହକି ବିଶ୍ୱକପ୍ ସମୟରେ ଶିଶୁଭବନ ଛକ ଓ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଦୁଇଟି ପବ୍ଲିକ୍ ପ୍ଲାଜା ତିଆରି ହୋଇଥିଲା । କିନ୍ତୁ ପ୍ରକଳ୍ପରେ ଆହୁରି ପ୍ରାୟ ୬୦କୋଟି ଟଙ୍କା ଖର୍ଚ୍ଚ ବାକି ଅଛି । ଚଳିତ ଜୁଲାଇ ମାସ ସୁଦ୍ଧା ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ଅଛି ବୋଲି ମନ୍ତ୍ରୀ ତଥ୍ୟ ରଖିଛନ୍ତି ।
ବିଏମ୍ସି ଅଫିସ ବିଲ୍ଡିଂ ପାଇଁ ଏ ଯାଏଁ ଟେଣ୍ଡର ହୋଇନି
୮୨କୋଟି ଖର୍ଚ୍ଚରେ ବିଏମ୍ସିର ନୂଆ ଦପ୍ତର ପାଇଁ ସୁଉଚ୍ଚ ବିଲ୍ଡିଂ ତିଆରି ହେବ । ଏଠାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏହି ବିଲ୍ଡିଂରେ ଇଣ୍ଟେଲିଜେନ୍ସ ସିଟି ଅପରେସନ୍ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର(ଆଇସିଓଏମ୍ସି) କାର୍ଯ୍ୟକ୍ଷମ ହେବ । ଏହା ମାଧ୍ୟମରେ ସହର ପାଇଁ କଣ୍ଟ୍ରୋଲ ରୁମ୍ ଅପରେଟ୍ ହେବ । କିନ୍ତୁ ଏସବୁ କେବଳ ଯୋଜନାରେ ସୀମିତ ହୋଇରହିଛି । ଏବେସୁଦ୍ଧା ଏହି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇନି । ସହିଦନଗରରେ ସେନ୍ସୋରୀ ପାର୍କ କାମ ବି ସରିନି । ଆଡ୍ାପଟିଭ୍ ଟ୍ରାଫିକ ସିଗନାଲ କଣ୍ଟ୍ରୋଲ ସିଷ୍ଟମ କାର୍ଯ୍ୟକ୍ଷମ ହୋଇଛି । କମନ ପେମେଣ୍ଟ କାର୍ଡ ସିଷ୍ଟମ୍ ବି ଆରମ୍ଭ ହୋଇଛି । ମାଷ୍ଟର ସିଷ୍ଟମ୍ ଇଣ୍ଟିଗ୍ରେଟର୍(ଏମଏସଆଇ) ପାଇଁ ୭୩୩କୋଟି ଖର୍ଚ୍ଚ ପାଇଁ ଯୋଜନା ଥିଲା । କିନ୍ତୁ ଏବେ ସୁଦ୍ଧା ମାତ୍ର ୧୧୭ କୋଟି ଖର୍ଚ୍ଚ ହୋଇଛି । ସୋସିଆଲ ସ୍ମାର୍ଟ ଭୁବନେଶ୍ୱର କାର୍ଯ୍ୟକ୍ରମରେ କୋଟିଏ ଓ ଭୁବନେଶ୍ୱରକୁ ଖୋଲା ମଳମୁକ୍ତ ପାଇଁ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।
ମୋଟ୍ ପ୍ରକଳ୍ପ ୧୦୩୧ କୋଟି, ସରିଛି ୧୫୮ କୋଟି
ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ଭୁବନେଶ୍ୱରରେ ମୋଟ ୧୫ଟି ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଉଛି । ବିଭିନ୍ନ ପ୍ରକଳ୍ପରେ ମୋଟ ୧୦୩୧.୩୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟ ଅଟକଳ ହୋଇଛି । ୪୬.୮କୋଟି ଟଙ୍କା ବିନିଯୋଗରେ ୟୁନିଟ-୨ ରାଜମହଲ ଛକରେ ବହୁତଳ କାର୍ ପାର୍କିଂ ପ୍ରକଳ୍ପ କାମ ଚାଲିଛି । ୧୮ ମାସ ଭିତରେ ଏହାକୁ ସାରିବାକୁ ଲକ୍ଷ୍ୟ ଥିଲା । ଡେଡ଼ଲାଇନ୍ ଥିଲା ୨୦୧୯ ଏପ୍ରିଲ୍ ୧୨ ତାରିଖ । କିନ୍ତୁ ଏବେ ସୁଦ୍ଧା ଏହାର ବେସ୍ମେଣ୍ଟ କାମ ସରିନି । ପ୍ରକଳ୍ପରେ ମାତ୍ର ୧କୋଟି ୬୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ସହିଦନଗରରେ ବହୁତଳ କାର୍ ପାର୍କିଂ ପ୍ରକଳ୍ପ ୩୦.୯୫କୋଟି ଥିବାବେଳେ ମାତ୍ର ୨କୋଟି ୬୭ଲକ୍ଷ ଖର୍ଚ୍ଚ ସରିଛି । ୨୦୧୮ ଡିସେମ୍ବର ସୁଦ୍ଧା ଏହାକୁ ସାରିବାକୁ ଲକ୍ଷ୍ୟ ଥିଲା । ହେଲେ ଏହାର କେବଳ ବେସ୍ମେଣ୍ଟ କାମ ସରିଛି । ପ୍ରଥମ ମହଲା କାମ ଏବେବି ଚାଲିଛି । ସୋସିଆଲ୍ ଇକ୍ୱିଟି ସେଣ୍ଟର କାମ ପାଇଁ ୬କୋଟି ଖର୍ଚ୍ଚ କରିବାକୁ ଯୋଜନା ହୋଇଥିଲା । ଏହାର କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ଦର୍ଶାଯାଇଛି । କିନ୍ତୁ ଆହୁରି ୨୫ଲକ୍ଷରୁ ଅଧିକ ଟଙ୍କାର କାମ ବାକି ଅଛି । ସହିଦନଗରରେ ୨.୨୪ କୋଟି ଟଙ୍କାରେ ପ୍ରସ୍ତାବିତ ୩ଟି ପାର୍କର ପୁନଃ ବିକାଶ କାମ ସରିଛି । କିନ୍ତୁ ଆଉ ଏକ ପ୍ରକଳ୍ପ ଇଣ୍ଟିଗ୍ରେଟେଡ୍ ପବ୍ଲିକ ସର୍ଭିସ୍ ସେଣ୍ଟର କାମ ସମ୍ପୂର୍ଣ୍ଣ ସରିନି ।