ଜ୍ଞାନବ୍ୟାପୀ ପରେ ଏବେ ନଜରରେ କୁତବ ମିନାର, ମାତ୍ର ୧୫ ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ କରିବାକୁ ସଂସ୍କୃତି ମନ୍ତ୍ରଣାଳୟର ନିଷ୍ପତ୍ତି…

ନୂଆଦିଲ୍ଲୀ: ଦେଶରେ ଜ୍ଞାନବ୍ୟାପୀ ମାମଲା ଥମି ନଥିବା ବେଳେ ଏବେ ଆଉ ଏକ ନୂଆ ମାମଲା ମୁଣ୍ଡ ଟେକିଲାଣି । ଦିଲ୍ଲୀରେ ଅବସ୍ଥିତ କୁତବ ମିନାର ପରିସରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ । ଖବର ଅନୁଯାୟୀ କୁତବ ମିନାର ନିକଟରେ ଥିବା ମସଜିଦଠାରୁ ୧୫ ମିଟର ଦୂରରେ ଖନନ କାର୍ଯ୍ୟ କରାଯାଇପାରେ । ଏ ନେଇ ସଂସ୍କୃତି ମନ୍ତ୍ରଣାଳୟ ଗତକାଲି (ଶନିବାର) କହିଛି । ଏଥିପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁତବ ମିନାରର ଦକ୍ଷିଣ ପାଶ୍ବରେ ଥିବା ମସଜିଦଠାରୁ ୧୫ ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହେବ । କୁତବ ମିନାରରେ ଶେଷ ଖନନ କାର୍ଯ୍ୟ ୧୯୯୧ ରେ କରାଯାଇଥିଲା ।
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଯେ, କୁତବ ମିନାରରେ ମୂର୍ତ୍ତିଗୁଡ଼ିକର ଆଇକନୋଗ୍ରାଫି କରାଯିବା ଉଚିତ । କୁତବ ମିନାର ପରିସରରେ ଏକ ରିପୋର୍ଟ ଆଧାରରେ ଖନନ କାର୍ଯ୍ୟ ଆରମ୍ଭ ହେବ । ଆଷ୍ଟ୍ରୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ASI) ଖନନ ପାଇଁ ସଂସ୍କୃତି ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦାଖଲ କରିବ । ଖନନ ପରେ ASI ଏହା ସହ ଜଡିତ ରିପୋର୍ଟକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରେ ଦାଖଲ କରିବ ।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ କୁଟୁବ ମିନାର କମ୍ପ୍ଲେକ୍ସରେ ଉପସ୍ଥିତ ଥିବା କୁୱୁତୁଲ ଇସଲାମ ମସଜିଦରେ ହିନ୍ଦୁ ଦେବତାମାନଙ୍କର ପୁନରୁଦ୍ଧାର ଏବଂ ଉପାସନା କରିବାର ଅଧିକାର ମାଗିବା ପାଇଁ ସାକେଟ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆଇକନୋଗ୍ରାଫି ହେଉଛି କଳା ଇତିହାସର ଏକ ଶାଖା ଯାହା ଚିତ୍ରଗୁଡ଼ିକର ବିଷୟବସ୍ତୁର ଚିହ୍ନଟ, ବର୍ଣ୍ଣନା ଏବଂ ବ୍ୟାଖ୍ୟାକୁ ଅଧ୍ୟୟନ କରେ । କୁତବ ମିନାର ପରିସରରେ ଖନନ କାର୍ଯ୍ୟ ଆରମ୍ଭ ହେବା ନିଷ୍ପତ୍ତି ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ୧୨ ଜଣିଆ ଟିମ୍ ସହିତ ପରିସର ପରିଦର୍ଶନ କରିଥିଲେ । ଏହି ଦଳରେ ଐତିହାସିକ, ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ଅଧିକାରୀ ଓ ଅନୁସନ୍ଧାନକାରୀ ଅନ୍ତର୍ଭୁକ୍ତ ।