ଭାରତ ହାତରେ ଉପଗ୍ରହ ବିଧ୍ୱଂସୀ ମିସାଇଲ

source:www.deccanchronicle.com
ନୂଆଦିଲ୍ଲୀ,୨୭ ।୩(ଏଜେନ୍ସି): ଭାରତ ବୁଧବାର ପ୍ରତିରକ୍ଷା ଏବଂ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଭାରତ ପ୍ରଥମ ଥର ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଉପଗ୍ରହ ବିଧ୍ୱଂସୀ କ୍ଷେପଣାସ୍ତ୍ର ପ୍ରଣାଳୀ (ଆଣ୍ଟି-ସାଟେଲାଇଟ ମିସାଇଲ ସିଷ୍ଟମ)ର ସଫଳ ପରୀକ୍ଷଣ କରିଛି । ଭାରତ ଦ୍ୱାରା ଓଡ଼ିଶା ଉପକୂଳ (ବାଲେଶ୍ୱରରେ ଥିବା ମିସାଇଲ ପରୀକ୍ଷଣ କେନ୍ଦ୍ର)ରୁ ଛଡା ଯାଇଥିବା ଏକ ମିସାଇଲ ପୃଥିବୀ ପୃଷ୍ଠ ଠାରୁ ୩୦୦ କିମି ଉଦ୍ଧ୍ୱର୍ରେ ଅବସ୍ଥାପିତ ଏକ ଉପଗ୍ରହକୁ ଧ୍ୱଂସ କରିଛି । ଏପରି ଟେକ୍ନୋଲୋଜି ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ଦେଶ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧନ କରି ଏହି ପରୀକ୍ଷଣ ସମ୍ପର୍କରେ ଘୋଷଣା କରିଥିଲେ । ମୋଦି ପ୍ରଥମେ ଟ୍ୱିଟ୍ କରି ଦିନ ୧୧ଟା ୪୫ରୁ ୧୨ଟା ଭିତରେ ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ । ସେ କିନ୍ତୁ ଏହି ଘୋଷଣା କରିବାରେ ସାମାନ୍ୟ ବିଳମ୍ବ କରିଥିଲେ ଏବଂ ୧୨ଟା ୧୦ରେ ଏସମ୍ପର୍କରେ ବିବୃତି ଦେଇଥିଲେ ।
ମୋଦି କହିଥିଲେ କି ପ୍ରତ୍ୟେକ ଦେଶର ଚଲାପଥରେ ଏଭଳି ସମୟ ଆସେ ଯାହା ସମସ୍ତଙ୍କୁ ଗୌରବାନ୍ୱିତ କରେ ଏବଂ ଆଗାମୀ ପିଢ଼ି ଉପରେ ବି ସକାରାତ୍ମକ ପ୍ରଭାବ ପକାଏ । ଭାରତ ପାଇଁ ଆଜି ଏଭଳି ଏକ ସମୟ ଆସିଛି । ଆଜି ଭାରତ ଦ୍ୱାରା ପ୍ରସ୍ତୁତ ଏକ ମିସାଇଲ ୩୦୦ କିମି ଦୂରରେ ପୃଥିବୀର ନିମ୍ନ କକ୍ଷରେ ଅବସ୍ଥାପିତ ଏକ ଉପଗ୍ରହକୁ ସଫଳତାର ସହ ନଷ୍ଟ କରିଦେଇଛି । ଆମେରିକା, ରୁଷ ଓ ଚୀନ୍ ପରେ ଭାରତ ଏଭଳି ଅସ୍ତ୍ର ନିର୍ମାଣ କରିବାରେ ହେଉଛି ଚତୁର୍ଥ ଦେଶ । ଏହି ପ୍ରକଳ୍ପକୁ ମିଶନ ଶକ୍ତି ଭାବେ ଅବିହିତ କରି ମୋଦି ଏହା ସହିତ ଜଡିତ ଡିଆରଡିଓ ଏବଂ ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ମଧ୍ୟ କହିଥିଲେ କି ମିଶନ ଶକ୍ତି ଏକ ଜଟିଳ ପ୍ରକ୍ରିୟା ଥିଲା । ଅତି କମ ସମୟରେ ଏବଂ ସଠିକତାର ସହ ମିଶନର ଲକ୍ଷ୍ୟ ହାସଲ କରାଯାଇଥିଲା । ଏହା ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ପ୍ରଗତିକୁ ଦର୍ଶାଉଛି । ସେ ମଧ୍ୟ ସ୍ପଷ୍ଟ କରିଥିଲେ କି ଭାରତ ଏହି ପରୀକ୍ଷଣ କରି କୌଣସି ପ୍ରକାର ଆନ୍ତର୍ଜାତିକ ଚୁକ୍ତିର ଉଲ୍ଲଂଘନ କରିନାହିଁ କି ଏହା କୌଣସି ଦେଶ ପାଇଁ ଅଭିପ୍ରେତ ନୁହେଁ । ଏହା କେବଳ ଭାରତର ସୁରକ୍ଷା ମଜଭୁତ୍ କରିବା ପାଇଁ ଉଦ୍ଦିଷ୍ଟ ।
ମୋଦିଙ୍କ ଏହି ଘୋଷଣା ପରେ ଅନେକ ରାଜନେତା, ପ୍ରତିରକ୍ଷା ବିଶେଷଜ୍ଞ, ବୈଜ୍ଞାନିକ ଏବଂ ପୂର୍ବତନ ସେନା ଅଧିକାରୀ ଏହାର ସ୍ୱାଗତ କରିଥିଲେ । ସରକାର ଏବଂ ବିଜେପି ସହ ସମ୍ପର୍କିତ ନେତାମାନେ ଏପରି ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ବିରୋଧୀ ଦଳନେତାମାନେ ଏହାର ସ୍ୱାଗତ କରିଥିଲେ କିନ୍ତୁ ଏଥିପାଇଁ ଶ୍ରେୟ ବୈଜ୍ଞାନିକମାନଙ୍କୁ ଦେଇଥିଲେ । ମୋଦି ସରକାର ଏଥିପାଇଁ ଶ୍ରେୟ ନେବାକୁ ଉଦ୍ୟମ କରିବା ଉଚିତ୍ ନୁହେଁ ବୋଲି ସେମାନେ ମତ ଦେଇଥିଲେ । ସେମାନେ ମଧ୍ୟ ଅଭିଯୋଗ କରିଥିଲେ କି ମୋଦି ସରକାର ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବା ଲକ୍ଷ୍ୟରେ ଏପରି କରିଛନ୍ତି । ଏହାକୁ ନେଇ କିଛି ବିରୋଧୀ ଦଳ ନେତା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ବି କରିଛନ୍ତି ଏବଂ ଏହାପରେ କମିଶନ ଏନେଇ ସରକାରଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଲିଖିତ ବିବରଣୀ ମଗାଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରୀକ୍ଷଣର ପ୍ରଶଂସା କରିଥିଲେ ମଧ୍ୟ ମୋଦିଙ୍କୁ ‘ ହାପି ୱାଲର୍ଡ ଥିଏଟର ଡେ’ ବୋଲି କହି କଟାକ୍ଷ କରିଛନ୍ତି । ଅର୍ଥାତ୍ ସେ ପରୋକ୍ଷରେ ମୋଦିଙ୍କ ଘୋଷଣାକୁ ଏକ ଡ୍ରାମା ବୋଲି ଅଭିହିତ କରିଛନ୍ତି । ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଅରୁଣ ଜେଟଲୀ ଏଥିପାଇଁ ରାହୁଲଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ରାହୁଲଙ୍କୁ ସବୁ କିଛି ଡ୍ରାମା ଭଳି ଲାଗୁଛି ବୋଲି ଶାହ ମତ ଦେଇଛନ୍ତି । କଂଗ୍ରେସ ମଧ୍ୟ ଆଜିର ପରୀକ୍ଷଣ ପାଇଁ ଶ୍ରେୟ ନେବାକୁ ଉଦ୍ୟମ କରିଛି । ଦଳର ନେତା ଅହମ୍ମଦ ପଟେଲ କହିଛନ୍ତି କି ଉପା ସରକାର ଏହି ପ୍ରକଳ୍ପକୁ ଆରମ୍ଭ କରିଥିବାରୁ ଆଜି ଏହା ସମ୍ଭବପର ହୋଇପାରିଛି । ମନମୋହନ ସରକାରଙ୍କ ଦୂରଦୃଷ୍ଟି ଯୋଗୁ ଭାରତ ଆଜି ଏଭଳି ସଫଳତା ହାସଲ କରିଛି । କିନ୍ତୁ ଡିଆରଡିଓର ପୂର୍ବତନ ମୁଖ୍ୟ ଭି କେ ସାରସ୍ୱତ ଖୁଲାସା କରିଛନ୍ତି କି ଉପା ସରକାର ଏଭଳି ପରୀକ୍ଷଣ ପାଇଁ ଅନୁମତି ଦେଇନଥିଲେ । ତେଣୁ ମୋଦି ସରକାର ହିଁ ଏଥିପାଇଁ ଶ୍ରେୟ ନେବାକୁ ହକ୍ଦାର ।
ଅନ୍ୟପଟରେ ପାକିସ୍ତାନରେ ଏହାକୁ ନେଇ ଭୂକମ୍ପ ସୃଷ୍ଟି ହୋଇଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଏକ ଜରୁରୀକାଳୀନ ବୈଠକ ଡକାଇ ଏହି ବିଷୟରେ ଚର୍ଚ୍ଚା କରିଛନ୍ତି । ପାକ୍ ସେନା ଏବଂ ଆଇଏସଆଇ ମୁଖ୍ୟ ସେହି ବୈଠକରେ ଉପସ୍ଥିତ ଥିଲେ । ପାକିସ୍ତାନ ମଧ୍ୟ ଏହି ଘଟଣାର ନିନ୍ଦା କରିବାକୁ ଆନ୍ତର୍ଜାତିକ ସମୁଦାୟଙ୍କୁ ଆହ୍ୱାନ କରିଥିଲାବେଳେ ଚୀନ୍ କିନ୍ତୁ ମାପିଚୁପି ପ୍ରତିକ୍ରିୟା ଦେଇଛି । ସବୁ ଦେଶ ମହାକାଶରେ ସ୍ଥିରତା ବଜାୟ ରଖିବାକୁ ଉଦ୍ୟମ କରିବା ଉଚିତ୍ ବୋଲି ଚୀନ୍ କହିଛି ।