ବଦଳୁଛି ନିମନ୍ତ୍ରଣ କାର୍ଡର ଢାଞ୍ଚା, ଡିଜିଟାଲ୍ ହେଉଛି କାର୍ଡ: ଲେଜର କଟିଙ୍ଗ, ଡ୍ରାଏଫ୍ରୁଟ କାର୍ଡ ସବୁଠୁ ଚାହିଦାରେ..

ଭୁବନେଶ୍ୱର,୨୬/୦୫(ସସ୍ମିତା ମଲ୍ଲ): ପୂର୍ବରୁ ବାହାଘର ହେଲେ ହାତ ଲେଖା ନିମନ୍ତ୍ରଣ ପତ୍ରଟିଏ ବନ୍ଧୁ ଘରେ ଦେଇ ଆସୁଥିଲେ । ଅନୁରୋଧ କରୁଥିଲେ ବାହାଘର ଦିନ ଘରେ ଆସି ସପରିବାର ପହଞ୍ଚିବେ । ତୁମ ଅପେକ୍ଷାରେ ରହିଲୁ । ହେଲେ ବର୍ତ୍ତମାନ ସାଇପଡ଼ିଶା ଓ ବନ୍ଧୁବାନ୍ଧବଙ୍କୁ ବାହାଘର ପରି ଶୁଭକାର୍ଯ୍ୟକୁ ନିମନ୍ତ୍ରଣ ପାଇଁ ତାଳପତ୍ର, ରଙ୍ଗିନ କାଗଜ ଓ ଡିଜିଟାଲ୍ର କାର୍ଡ ଉପରେ ନିର୍ଭର କରିବାକୁ ପଡ଼ୁଛି । ପୁରାତନ କାଳ ଓ ଆଜିର ନିମନ୍ତ୍ରଣରେ ଦେଖାଗଲାଣି ଅନେକ ପରିବର୍ତ୍ତନ । ନିଜ ମନପସନ୍ଦରେ ବଦଳାଯାଉଛି କାର୍ଡ, ଲେଖା ଏବଂ ଥିମ୍ । ତା’ସହିତ ନିମନ୍ତ୍ରଣକାରୀଙ୍କ ଷ୍ଟାଟସ୍ କାର୍ଡରୁ ଜଣାପଡୁଛି ।
ବର୍ତ୍ତମାନ ମାର୍କେଟରେ ଲେଜର କଟିଙ୍ଗ କାର୍ଡ,ଭେଲଭେଟ୍ କାର୍ଡ, ବର ଓ ବଧୂ ବିବାହ ପୋଷାକରେ ଠିଆ ହୋଇଥିବା କାର୍ଡ, ମିରର କାର୍ଡ, ଡ୍ରାଏଫ୍ରୁଟସ୍ କାର୍ଡ, ରାଜ ଉଆସ ସହ ବିଭିନ୍ନ ମନ୍ଦିର ଆକୃତିର କାର୍ଡ, ହାର୍ଡ ବୋର୍ଡ କାର୍ଡ, ଉଡେନ୍ କାର୍ଡ, ଜଗନ୍ନାଥଙ୍କ ଫଟୋ ଥିବା ତାଳପତ୍ର କାର୍ଡର ଚାହିଦା ବହୁତ ଅଧିକ ରହିଛି ।
ଲେଜର କଟିଂ କାର୍ଡରେ କାରୁକାର୍ଯ୍ୟ
ସରୁ ଇଞ୍ଜିନିୟରିଂ ଉଡ୍କୁ ଲେଜର୍ କଟିଂରେ ଦିଆଯାଉଛି ବିଭିନ୍ନ ରୂପ । କେଉଁଠି ବରକନ୍ୟା ବସିଛନ୍ତି ତ ଆଉ କେଉଁଥିରେ ରାଜମହଲ ଚିତ୍ରର ଖୋଦେଇ କରାଯାଇଛି । ପୁଣି କେଉଁଥିରେ ଛୋଟ ଛୋଟ ଫୁଲ କରି ଲେସ୍ ବନ୍ଧା ହୋଇଛି । ଏଥିରେ ତିନିରୁ ଚାରି ଫର୍ଦ୍ଦ କାଗଜ ଯୋଡ଼ା ଯାଇଛି । ଏଭଳି କାର୍ଡ ବି ବାହାଘର ନିମନ୍ତ୍ରଣପତ୍ରରେ ବ୍ୟବହାର ହେଉଛି । ଯାହାର ଦାମ୍ ଗୋଟାକୁ ୮୫ଟଙ୍କାରୁ ଆରମ୍ଭ । ଡିଜାଇନ୍ ଯେତେ ଭଲ ଦାମ୍ ସେମିତି ଅଧିକ । ସେହିପରି ଉଡେନ୍ କାର୍ଡ ମୋଟା ବକ୍ସ ଆକୃତିର ହୋଇଛି । ତା’ଭିତରେ ସରୁ କାଠ ରଖାଯାଇଛି । ସେଥିରେ ପୁଅଝିଅଙ୍କ ନାମ ସହିତ ନିମନ୍ତ୍ରଣ ଲେଖା ପ୍ରିଣ୍ଟ କରାଯାଉଛି । ଅତିକମ୍ରେ ୫୦ପିସ୍ ବରାଦ ଦିଆଯାଉଛି ।
ମିରରରେ ନାମ, ଭେଲଭେଟ୍ କାର୍ଡରେ ଫଟୋ
କାର୍ଡ ଉପରେ ଲାଗୁଛି ଛୋଟ ଛୋଟ ଡିଜାଇନ୍ ମିରର । ଯେଉଁଥିରେ ପୁଅ ଓ ଝିଅଙ୍କ ନାମ ଓ ଫଟୋ ରଖାଯାଉଛି । ଯାହାର ଦାମ୍ ୧୧୦ ଟଙ୍କାରୁ ଆରମ୍ଭ । ସେହିପରି ଭେଲ୍ଭେଟ୍ କାର୍ଡ ବି ଆକର୍ଷଣୀୟ ଭାବେ ପ୍ରସ୍ତୁତ ହୋଇଛି । ଯେଉଁଥିରେ ପୁଅଝିଅଙ୍କ ଫଟୋ ରହୁଛି । ଭିତରେ ୪ରୁ ଅଧିକ ଫର୍ଦ୍ଦ ପେପର୍ ରଖାଯାଉଛି ।
ଉଡେନ୍ କାର୍ଡରେ ଚକୋଲେଟ୍ ଓ ଆଲମଣ୍ଡ ଉପହାର
ବଜାରରେ ଡ୍ରାଏ ଫ୍ରୁଟସ୍ କାର୍ଡର ଚାହିଦା ଉଚ୍ଚରେ ରହିଛି । ଯାହା ଉଡେନ୍ ଓ ହାର୍ଡବୋର୍ଡରେ ତିଆରି । ବଡ଼ବଡ଼ିଆ ଲୋକ କିମ୍ବା ସ୍ୱତନ୍ତ୍ର ଅତିଥିଙ୍କୁ ଏଭଳି ନିମନ୍ତ୍ରଣ କାର୍ଡ ପଠାଯାଉଛି । ବକ୍ସ ପାଟର୍ନ କାର୍ଡରେ ରହୁଛି ୨ରୁ ତିନୋଟି ବକ୍ସ । ସେଥିରେ ଚକୋଲେଟ୍, କାଜୁ ଓ ଆଲମଣ୍ଡ ଭର୍ତ୍ତି କରି ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିପାରିବେ । ଏଥିପାଇଁ ବଜାରରେ ବର୍ତ୍ତମାନ ସେମିବକ୍ସ କାର୍ଡ, ହ୍ୟାଣ୍ଡମେଡ୍ ପେପର୍ ଡିଜାଇନ୍ କାର୍ଡ ମିଳୁଛି । ୫ ପରସ୍ତ ପିଆନୋ କାର୍ଡ, କଲର୍ ବୋର୍ଡ କାର୍ଡ, ରାଜା ମହାରାଜାଙ୍କ ପରୱାନା ଡିଜାଇନର ସ୍କ୍ରୋଲ କାର୍ଡ, ବ୍ୟାଗ୍ ପାଟର୍ନ କାର୍ଡ ଆଦି ମିଳୁଛି । ୧ ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କା ପର୍ଯ୍ୟନ୍ତ କାର୍ଡ ସହ ଗ୍ରାହକଙ୍କ ବରାଦ ଅନୁଯାୟୀ ୪୦୦/୫୦୦ ଟଙ୍କିଆ କାର୍ଡ ମିଳୁଛି ।
ଫେରିଛି ତାଳପତ୍ର ବିବାହ ନିମନ୍ତ୍ରଣ
ନିମନ୍ତ୍ରଣରେ ପୁରୁଣା ପରମ୍ପରାକୁ ନୂଆ ରୂପରେ ଲୋକେ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ବଜାରକୁ ପୁଣି ଫେରିଛି ତାଳପତ୍ର କାର୍ଡ । ତାଳପତ୍ରରେ କରାଯାଉଛି ଡିଜିଟାଲ୍ ପ୍ରିଣ୍ଟିଂ । ଯାହା ବେଶ୍ ଆକର୍ଷିତ କରୁଛି ଗ୍ରାହକଙ୍କୁ । ତାଳପତ୍ରକୁ ବିଭିନ୍ନ ଆକାରରେ କାଟି ଏହାକୁ ଅତ୍ୟାଧୁନିକ ରୂପ ଦେଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି । ଯାହା ୧୫ ଟଙ୍କାରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି । ଖାଲି ସେତିକି ନୁହେଁ ତାଳପତ୍ରରେ ଲେଖାଯାଉଥିବା ଅକ୍ଷର ଗୁଡ଼ିକ କେମିତି ଆକର୍ଷଣୀୟ ଦେଖାଯିବ ସେଥିପାଇଁ ବିଭିନ୍ନ ରଙ୍ଗର ଅକ୍ଷର ବି ପ୍ରିଣ୍ଟ ହେଉଛି ।
୫ରୁ ୫୦୦ ଯାଏ ମିଳୁଛି ବିଭିନ୍ନ ଭେରାଇଟି
ଜାଗମରା ଛକ ନିକଟରେ ଥିବା ଶୁଭଶ୍ରୀ କାର୍ଡ ସପ୍ରେ ୫ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ମୂଲ୍ୟର କାର୍ଡ ବିକ୍ରି ହେଉଛି । ତାଙ୍କ ପାଖରେ ଥିବା ଜଗନ୍ନାଥ କାର୍ଡର ବହୁତ ଚାହିଦା ରହିଛି । ତାଳପତ୍ର, ବାଉଁଶରେ ଜଗନ୍ନାଥଙ୍କ ଫଟୋ ଫ୍ରେମ କରାଯାଇଛି । ଏହା ପଛରେ ବିବାହ ଲାଗି ନିମନ୍ତ୍ରଣ ଲେଖା ଯାଇପାରୁଛି । ଯାହାର ଦାମ୍ ୧୩୦ ଟଙ୍କାରୁ ଆରମ୍ଭ । ସେହିପରି ହାର୍ଡ ବୋର୍ଡ କାର୍ଡ ବିଭିନ୍ନ ଡିଜାଇନର ମିଳୁଛି । ଯାହାର ଦାମ ୧୦୦ ଟଙ୍କାରୁ ଆରମ୍ଭ ।