ସର୍ଜରୀ ଚିକିତ୍ସାକୁ ନୂଆ ଦିଗ ଦେବ ଆଇଏଜିଇଏସ୍ କଂଗ୍ରେସ

ଭୁବନେଶ୍ୱର,୭ା୨(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ସମ୍ମିଳନୀ କକ୍ଷରେ ଉଦ୍ଘାଟିତ ହୋଇଛି ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଗ୍ୟାଷ୍ଟ୍ରୋଇନ୍ଟେନଷ୍ଟିନାଲ ଏଣ୍ଡୋସର୍ଜନ୍ (ଆଇଏଜିଇଏସ)ର ନ୍ୟାସନାଲ୍ କଂଗ୍ରେସ । ଏହି ଅବସରରେ ଆଇଏଜିଇଏସ୍ର ସଭାପତି ସୁବାସ ଖାନ୍ନା କହିଲେ, ଆଇଏଜିଇଏସ୍ ହେଉଛି ସର୍ଜନମାନଙ୍କ ଏକ ଅନୁଷ୍ଠାନ । ଏବେ ଦେଶର ୧୫ ହଜାରରୁ ଅଧିକ ସର୍ଜନ ଏହାର ସଦସ୍ୟ ରହିଛନ୍ତି । ଦେଶ ତଥା ବିଦେଶରେ ଏଣ୍ଡୋସ୍କୋପିକ୍ ସର୍ଜରୀର ଅତ୍ୟାଧୁନିକତାକୁ ପ୍ରୋତ୍ସାହିତ ଓ ବିସ୍ତାର କରିବାକୁ ଏହା ଗଠନ ହୋଇଛି । ଆଇଏଜିଇଏସ୍ ଓଡ଼ିଶାର ଚେୟାରମ୍ୟାନ୍ ଡା. ଚିତ୍ତ ରଞ୍ଜନ ଦାସ କହିଲେ, ସମ୍ମିଳନୀରେ ପାଖପାଖି ୧୫ ଶହ ଡାକ୍ତର ସାମିଲ ହୋଇଛନ୍ତି ।
ରାଜ୍ୟର ୨୫୦ଜଣ ସର୍ଜନ ସାମିଲ ହୋଇଥିବା ବେଳେ ଅନ୍ୟମାନେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି । ବିଦେଶରୁ ମଧ୍ୟ ୮ ଜଣ ଫ୍ୟାକଲ୍ଟି ସାମିଲ ହୋଇଛନ୍ତି । ୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଆସନ୍ତାକାଲି ଟେକ୍ନିକାଲ ସେସନ୍ ଅନୁଷ୍ଠିତ ହେବ । ନୂଆ ଟେକ୍ନୋଲୋଜି ବିଷୟରେ ଜ୍ଞାନର ଆଦାନପ୍ରଦାନ କରିବାରେ ଏହି ସମ୍ମିଳନୀ ସହାୟକ ହେବ । ଯାହା ଲାପ୍ରୋସ୍କୋପିକ୍ ଚିକିତ୍ସା ବିଜ୍ଞାନକୁ ନୂଆ ଦିଗ ଦେବ । ଆଇଏଜିଇଏସ୍ ସଭାପତି ଭାବେ ନିଯୁକ୍ତି ପାଇଥିବା ଡା. ଏସ୍.ଡି ଦାସଗୁପ୍ତା କହିଛନ୍ତି, ସମ୍ମିଳନୀର ଆଜିର ଦିନରେ ସମ୍ ହସ୍ପିଟାଲରେ ଲାଇଭ୍ ସର୍ଜରୀ କରାଯାଇଛି । ୧୫ ଜଣଙ୍କ ଆଜି ସମ୍ରେ ଅସ୍ତ୍ରୋପଚାର ହୋଇଥିବା ବେଳେ ଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂରେ ୩ ରୋବୋଟିକ୍ ସର୍ଜରୀ କରାଯାଇଛି । ଯାହାକୁ ଡାକ୍ତରମାନେ ଲାଇଭ୍ ଦେଖିଛନ୍ତି । ସମ୍ମିଳନୀକୁ ଆସୁଥିବା ଡାକ୍ତରମାନେ ସେମାନଙ୍କ ଜ୍ଞାନ, ଭବିଷ୍ୟତରେ ଲାପ୍ରୋସ୍କୋପିକ୍ ସର୍ଜରୀର ବକିାଶ ପ୍ରତ ିସେମାନଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ । ଆଇଏଜିଇଏସ୍ ଓଡ଼ିଶାର ସମ୍ପାଦକ ଡା. ଶ୍ରୀଜୟ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ଲାଗି ଏଭଳି ସମ୍ମିଳନୀ ଆୟୋଜିତ ହେଉଥିବାରୁ ବହୁତ ଖୁସି ଲାଗୁଛି । ଭୁବନେଶ୍ୱରରେ ସଫଳ ଆୟୋଜନ ଆଗାମୀ ଦିନ ପାଇଁ ନିଶ୍ଚିତ ଭାବେ ଉଦାହରଣ ହୋଇ ରହିବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।