PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଏଣିକି ଭିଡିଓ କନ୍‌ଫରେନ୍ସିଂରେ ଚିକିତ୍ସା, ଉପକୃତ ହେବେ ଦୁର୍ଗମ ଅଞ୍ଚଳର ଲୋକେ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଦୁର୍ଗମ ଆଉ ଅପହଞ୍ଚ ଇଲାକାର ଲୋକେ ଆଉ ଚିକିତ୍ସା ପାଇଁ ହଇରାଣ ହେବେନି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଲୋକେ ଡାକ୍ତରଙ୍କୁ ସେମାନଙ୍କ ସମସ୍ୟା କହିବେ । ଡାକ୍ତର ଦୂରରେ ଥାଇ ଡିଜିଟାଲ ଫର୍ମାଟରେ ପ୍ରେସ୍‌କ୍ରିପସନ୍‌ ଲେଖିବେ । ଆଜି ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗ୍ଲୋକାଲ ହେଲ୍‌ଥ କେୟାର ସିଷ୍ଟମ (ପ୍ରା) ଲିମିଟେଡ୍‌ ସହ ବୁଝାମଣାପତ୍ର (ଏମଓୟୁ) କରିଛନ୍ତି ରାଜ୍ୟ ସରକାର ।
ବୁଝାମଣା ପରେ ଏବେ ୨୩ ଜିଲ୍ଲାର ୧୦୨ ଡିସ୍‌ପେନ୍‌ସାରୀରେ ଲୋକଙ୍କୁ ଡିଜିଟାଲ ସେବା ମିଳିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ନିକଟତର ଓ ସୁଲଭ କରିବାକୁ ରାଜ୍ୟ ସରକାର ସଂକଳ୍ପ ନେଇଛନ୍ତି । ବିଛିନ୍ନାଞ୍ଚଳର ଲୋକଙ୍କୁ ଦୁଆର ମୁହଁରେ ସେବା ଦେବାକୁ ସରକାର ଟେକ୍ନୋଲୋଜିର ବ୍ୟବହାର କରି ଡିଜିଟାଲ ଡିସ୍‌ପେନସାରୀ ନିର୍ମାଣ କରୁଛନ୍ତି । ଗତବର୍ଷ ନବରଙ୍ଗପୁର ଓ କେନ୍ଦୁଝରରେ ପାଇଲଟ ପ୍ରକଳ୍ପ ଜରିଆରେ ଏ ଦୁଇ ଜିଲ୍ଲାରେ ସେବା ଆରମ୍ଭ ହୋଇଛି । ଏଥିରୁ ପ୍ରାୟ ୧ ଲକ୍ଷରୁ ଅଧିକ ରୋଗୀ ଉପକୃତ ହୋଇଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ ଡିଜିଟାଲ ଫର୍ମାଟରେ ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେଉଛି । ଏବେ ଡିଜିଟାଲ ଡିସ୍‌ପେନସାରୀ ୨୩ ଜିଲ୍ଲାକୁ ଯିବା ପରେ ଏଥିରୁ ଅଧିକ ରୋଗୀ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ପ୍ରତ୍ୟେକ ଡିଜିଟାଲ ଡିସ୍‌ପେନସାରୀରେ ଜଣେ ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ ଓ ଲାବୋରେଟୋରୀ ଆସିଷ୍ଟାଣ୍ଟକୁ ନିଯୁକ୍ତ କରାଯାଉଛି । ରୋଗୀ ଡିସପେନ୍‌ସାରୀକୁ ଆସିବା ପରେ ଭିଡିଓ କନ୍‌ଫରେନ୍ସିଂରେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପରେ କହିବେ । ପରେ ଡାକ୍ତର ସେମାନଙ୍କୁ ପ୍ରେସ୍‌କ୍ରିପସନ୍‌ ପରାମର୍ଶ କରିବେ । ଏହାବାଦ୍‌ ଯେଉଁ ରୋଗୀଙ୍କ ପରୀକ୍ଷା ଆବଶ୍ୟକ ଥିବ, ସେମାନଙ୍କୁ ଡିସ୍‌ପେନସାରୀରେ ପରିସ୍ରା, ରକ୍ତରେ ହିମୋଗ୍ଲୋବିନ୍‌, ଶର୍କରା ମାତ୍ରା ଚିହ୍ନଟ ପାଇଁ ପରୀକ୍ଷା, ମ୍ୟାଲେରିଆ, ଡେଙ୍ଗୁ, ରକ୍ତଚାପ, ଇସିଜି ଓ ଗର୍ଭ ପରୀକ୍ଷା ସେବା ମିଳିପାରିବ । ବିନାମୂଲ୍ୟରେ ରୋଗୀ ଏସବୁ ସେବା ପାଇପାରିବେ । ଲୋକମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସୁବିଧା ପାଇପାରିବେ ।
ବୁଝାମଣାପତ୍ର ସ୍ୱାକ୍ଷର ହେବା ପରେ ଏବେ ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦୨ଟି ଡିଜିଟାଲ ଡିସ୍‌ପେନସାରୀ ଖୋଲିବ । ଏହି ବୁଝାମଣାପତ୍ର ସ୍ୱାକ୍ଷର ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର