ରଥଯାତ୍ରା ସୁରକ୍ଷା ଚିନ୍ତା; ଜଗିବେ ଏନ୍ଏସ୍ଜି କମାଣ୍ଡୋ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଜୁଲାଇରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ ନିମନ୍ତେ ଏବେଠୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଡିଜିପି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟରେ ସୁରକ୍ଷା ପ୍ରସଙ୍ଗ ଭିତ୍ତିକ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍ଏସ୍ଜି, ଏସ୍ଓଜି, ଆର୍ପିଏଫ୍, ବିଏସ୍ଏଫ୍, ସିଆର୍ପିଏଫ୍ ଓ କୋଷ୍ଟଗାର୍ଡଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିଭଳି ଯାତ୍ରା ବେଳେ ପୁରୀ ସହରର ଆକାଶପଥକୁ ‘ନୋ ଫ୍ଲାଇଙ୍ଗ୍ ଜୋନ୍’ କରାଯିବ । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବ । ଜୁଲାଇ ୨ରେ ନବଯୌବନ ଦର୍ଶନ, ୪ରେ ଗୁଣ୍ଡିଚା ଯାତ୍ରା (ରଥଯାତ୍ରା), ୧୨ରେ ବାହୁଡ଼ା, ୧୩ରେ ସୁନାବେଶ, ୧୫ରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମର ସୂଚାରୁ ସମ୍ପାଦନ ଲାଗି ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀଗଣ ନିଷ୍ପତ୍ତି ନେଇଛନ୍ତି ।
ସମୁଦ୍ର ତଟରେ ଅନୁପ୍ରବେଶକାରୀଙ୍କୁ ଜଗିବା ପାଇଁ କୋଷ୍ଟଗାର୍ଡଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ପୁରୀ ଏବଂ ଭୁବନେଶ୍ୱର ରେଳ ଷ୍ଟେସନରେ ସନ୍ଦିଗ୍ଧ ଯାତ୍ରୀଙ୍କ ଉପରେ ନଜର ରଖିବାକୁ ଆର୍ପିଏଫ୍ ଅଧିକାରୀଙ୍କୁ କୁହାଯାଇଛି ।
ଭୁବନେଶ୍ୱର ଓ ପୁରୀ ଷ୍ଟେସନରେ ରେଳଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଷ୍ଟେସନରେ ଅଧିକ ସିସିଟିଭି ଲଗାଯାଇ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ରେଳଯାତ୍ରୀଙ୍କୁ ଟ୍ରେନ୍ ସମୟସାରଣୀ ସମ୍ପର୍କରେ ସୂଚନା ମିଳିବ । ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏକ କଣ୍ଟ୍ରୋଲ୍ ରୁମ୍ ଖୋଲିବାକୁ ରେଳ ବିଭାଗକୁ କୁହାଯାଇଛି । ଫୋନି ସମୟରେ ପୁରୀ ପୁଲିସ୍ ପକ୍ଷରୁ ଲାଗିଥିବା ସିସି କ୍ୟାମେରା ସବୁ ଭାଙ୍ଗି ଯାଇଛି । ବ୍ୟାପକ କ୍ଷୟକ୍ଷତି ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରାଯାଉଛି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ପୁଲିସ୍ ଓ ପ୍ରଶାସନ ଦିନରାତି ଏକ କରି ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି ବୋଲି ଡିଜିପି ଶ୍ରୀ ଶର୍ମା କହିଛନ୍ତି ।
ରଥଯାତ୍ରା ସମୟରେ ବମ୍ ସ୍କ୍ୱାଡ୍ ନିୟୋଜିତ ହେବେ । ଏଥିପାଇଁ ମେଟାଲ୍ ଡିଟେକ୍ଟର, ଲଗେଜ୍ ସ୍କାନର ଆଦି ବ୍ୟବସ୍ଥା କରାଯାଇଛି । ରଥଯାତ୍ରାର ସମସ୍ତ କାର୍ଯ୍ୟ ସୂଚାରୁ ସମ୍ପାଦନ ଲାଗି ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ରଣନୀତି ପ୍ରସ୍ତୁତ ହୋଇଛି । ଚଳିତବର୍ଷ ଅନ୍ୟ ବର୍ଷ ଠାରୁ ଅଧିକ ସଂଖ୍ୟକ ଫୋର୍ସ ନିୟୋଜିତ ହେବେ ବୋଲି ନିଷ୍ପତ୍ତି ହୋଇଛି । ସୁରକ୍ଷା କଡ଼ାକଡ଼ି ଲାଗି ୪୦ ଜଣିଆ ଏନ୍ଏସ୍ଜି ଟିମ୍ ସହ ୨ କମ୍ପାନି ଓସାଫ୍ ଯବାନ ନିୟୋଜିତ ହେବେ । ସମୁଦ୍ରପଥକୁ ଜଗିବା ଲାଗି କୋଷ୍ଟଗାର୍ଡଙ୍କୁ ଅଧିକ ସତର୍କ ହେବାକୁ ପରାମର୍ଶ ଦିଆଯାଇଛି ।
ବଡ଼କଥା ହେଲା, ରଥଯାତ୍ରା ବେଳେ ଗୁଜବ ପ୍ରଚାର ଯୋଗୁ ଦଳାଚକଟା ହେବାର ଅନେକ ସମ୍ଭାବନା ରହିଛି । ଏଥିରୁ ଦୂରେଇ ରହିବା ଲାଗି ପୁଲିସ ଲୋକଙ୍କୁ ସଚେତନ କରିବ । ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଆଉଟ୍ ପୋଷ୍ଟ, ସୂଚନା ଓ ସହାୟତା କେନ୍ଦ୍ର ମଧ୍ୟ କରାଯିବ । ଅନୁରୂପ ଭାବେ ଯାତ୍ରା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜଣେ ଏଡିଜି ର୍ୟାଙ୍କ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନୀଲ ରୟ, ପୁଲିସ୍ କମିଶନର ଡ. ସତ୍ୟଜିତ୍ ମହାନ୍ତି, ଏଡିଜି ସନ୍ତୋଷ ଉପାଧ୍ୟାୟ, ଏଡିଜି ସଞ୍ଜୀବ ପଣ୍ଡା (ଏଲ୍ ଆଣ୍ଡ ଅର୍ଡର), ଏଡିଜି ଆର୍.ପି କୋଚେ (ଅପରେସନ୍), ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏଡିଜି ସୁଶାନ୍ତ କୁମାର ନାଥ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଅରୁଣ ବୋଥ୍ରା, ଆଇଜି ଅମିତାଭ ଠାକୁର, ପୁରୀ ଏସ୍ପି ଉମାଶଙ୍କର ଦାଶଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।