କର୍ଲାମୁଣ୍ଡା/କେସିଙ୍ଗା,୨୦/୦୯: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କମିଟି ପକ୍ଷରୁ ପ୍ୟାରେଡ଼ ପଡ଼ିଆରେ ଆଜି ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ନୂଆଁଖାଇ ଭେଟଘାଟ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଦୀନବନ୍ଧୁ ସାହୁଙ୍କ ସଭାପତିତ୍ବରେ ଏହି ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ସଭାପତି ନୀଳମଣି ସାହୁ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ମୁଖ୍ୟ ବକ୍ତା ଭାବେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ସହକାରୀ ପ୍ରାଧ୍ୟାପକ ପ୍ରଫେସର ବିଭୁତି ଭୁଷଣ ସାହୁ ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ନବୀନ କିଶୋର ସାହୁ ମଞ୍ଚାସୀନ ହୋଇ ସମାଜର ଏକତା ଉପରେ କହିଥିଲେ । ଏଥିସହ ସମାଜରେ ଗ୍ରାମ୍ୟ କମିଟି ର କ୍ଷମତା ଉପରେ ମତପୋଷଣ କରିଥିଲେ । 

ସେହିପରି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସଭାପତି ଅଶୋକ କୁମାର ସାହୁ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରୀ ସଭାପତି ଦୀପଚାନ୍ଦ ସାହୁ,ବଲାଙ୍ଗୀର ଜିଲ୍ଲା ସଇତଲା ବ୍ଲକ ସଭାପତି ରାଧେଶ୍ୟାମ ସାହୁ, ଚୈତନ୍ୟ ସାହୁ, କୋଶଳି କବି ଅର୍ଜୁନ ସାହୁ, ବରଗଡ଼ ଅଞ୍ଚଳର ପଦ୍ମଲୋଚନ ସାହୁ ମଞ୍ଚାସୀନ ହୋଇଥିଲେ। କର୍ଲାମୁଣ୍ଡା ବ୍ଲକ ସମ୍ପାଦକ ଦିନବନ୍ଧୁ ସାହୁ ସଭାରେ ବିବରଣୀ ପଠନ କରି ସମାଜର ସଚେତନତା ଉପରେ କହି ଶୃଙ୍ଖଳା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।‌
 
ସଭା ଆରମ୍ଭରେ ହୃଷିକେଶ ସାହୁଙ୍କ ସଂଯୋଜନାରେ ଦେବୀ ବନ୍ଦନା ଗାନ କରାଯାଇଥିଲା ଏବଂ ସମାଜର ଅନେକ ବ୍ୟକ୍ତିଙ୍କ ଅକାଳ ବିୟୋଗ ଉଦ୍ଦେଶ୍ୟରେ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର କର୍ଲାମୁଣ୍ଡା ବ୍ଲକ, ମଣ୍ଡଳ ଓ ଗ୍ରାମ୍ୟ କମିଟିର ସହଯୋଗରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ କେସିଙ୍ଗା, ନର୍ଲା,ମ.ରାମପୁର ବ୍ଲକ ତଥା ଅନ୍ୟାନ୍ୟ ଅଞ୍ଚଳରୁ ସମାଜର ଶତାଧିକ ଲୋକ ଯୋଗଦାନ କରିଥିଲେ ।‌ ଏହି ଅବସରରେ ସମାଜର କୃତି ପ୍ରତିଭା ସଂପନ୍ନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଦୁର୍ଗାପ୍ରସାଦ ସାହୁ ମଞ୍ଚ ସଂଚାଳନ କରିଥିଲେ ।