ନୂଆପଡ଼ା ୦୯/୧୧ (ମୁକେଶ ପରିଡ଼ା ଓ ରତନ କେତକ): ବିଜେପିକୁ ଭୋଟ ଦିଅନ୍ତୁ । ନୂଆପଡ଼ାର ବିକାଶ ଆଗକୁ ନିଅନ୍ତୁ । ନୂଆପଡ଼ାକୁ ଓଡ଼ିଶାର ୧ ନମ୍ବର ଜିଲ୍ଲାରେ ପରିଣତ କରିବୁ । ଉପନିର୍ବାଚନ ପ୍ରଚାର ମଇଦାନରେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆପଡ଼ା ପ୍ରଚାର ମଇଦାନକୁ ସରଗରମ କରି ଦେଇଥିଲା ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ କାର୍ଯ୍ୟକ୍ରମ । ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା ନୂଆପଡ଼ାବାସୀଙ୍କ ଭିତରେ । ସୁନାବେଡ଼ାରୁ ନୂଆପଡ଼ା, ଖରିଆର ରୋଡ୍ ପର୍ଯ୍ୟନ୍ତ ଯୁଆଡ଼େ ଚାହିଁବ, ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇବାକୁ ପ୍ରବଳ ଭିଡ଼ । ନୂଆପଡ଼ା ସହରରୁ ଖରିଆର ରୋଡ ସନ୍ଧ୍ୟାରେ ଉଛୁଳିଲା ମୋହନଙ୍କ କ୍ରେଜ୍ରେ । ମୋହନ ଦାଦା, ଆମ ମୋହନ ଦାଦା ଗୀତ ଓ ନାରାବାଜିରେ କମ୍ପୁଥିଲା ୧୦ କିଲୋମିଟର ରୋଡ୍ ସୋ’ ।
ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ବିମାନରେ ନୂଆପଡ଼ାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଦଳୀୟ ନେତାମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପରେ ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ଯାଇଥିଲେ ସୁନାବେଡ଼ା । ସୁନାବେଡ଼ା ଅଭୟାରଣ୍ୟକୁ ସ୍ୱାଧୀନତା ପରେ ଏହା ଥିଲା କୌଣସି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ପୂରା ଉତ୍ସାହିତ ଥିଲେ ସ୍ଥାନୀୟ ଆଦିବାସୀ । ପ୍ରଥମେ ମା’ ସୁନାଦେଈଙ୍କୁ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିଥିଲେ । କହିଲେ, ୨୪ ବର୍ଷ ଶାସନରେ ରହି ବିଜେଡି ସରକାର ସୁନାବେଡ଼ା ପାଇଁ କିଛି କରିଲା ନାହିଁ । ବିଜେଡି ସରକାର ପାଇଁ ସୁନାବେଡ଼ା ପଛୁଆ ଅଞ୍ଚଳ ହୋଇ ରହିଗଲା । ଯିଏ ଓଡ଼ିଆ ଭାଷା ବୁଝିପାରୁନାହାନ୍ତି, ସେ କ’ଣ ଆଦିବାସୀଙ୍କ ଦୁଃଖ ବୁଝିବେ । ମୁଁ ବୁଝିବି ଆଦିବାସୀଙ୍କ ଦୁଃଖ । ବିଜେପି ସରକାର କରିବ ସୁନାବେଡ଼ାର ବିକାଶ ।୧୪ ତାରିଖ ପରେ ଆପଣମାନଙ୍କ ପାଖରେ ମୁଁ ଥିବି ଓ ଆପଣଙ୍କ ସାଥୀ ଜୟ ଢୋଲକିଆ ହିଁ ରହିବେ ସେବା କରିବାକୁ ।
ସୁନାବେଡ଼ା ସଭା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଅଭିମୁଖେ ବାହାରିଥିଲେ । ନୂଆପଡ଼ା ସହରରୁ ଖରିଆର ରୋଡ୍ ୧୦ କିମି ବ୍ୟାପୀ ଲମ୍ବା ରୋଡ୍ ସୋ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଦିନ ୧ଟାରୁ ଲୋକେ ଅପେକ୍ଷା କରି ରହିଥାନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ । ସନ୍ଧ୍ୟା ପ୍ରାୟ ୫ଟାରେ ଆରମ୍ଭ ହେଲା ରୋଡ୍ ସୋ’ । ବାଜା, ଗୀତରେ କମ୍ପୁଥିଲା ସହର । ମୋହନ ଦାଦା ୱେଲକମରେ ଝୁମୁଥିଲେ ନୂଆପଡ଼ାବାସୀ । ଖୋଲା ଜିପ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ବସନ୍ତ ପଣ୍ଡା, ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ପ୍ରମୁଖ ଏକାଠି ଆଗକୁ ବଢ଼ୁଥିଲେ । ଗାଡ଼ି ଯେତେ ଆଗକୁ ଯାଉଥାଏ, ଭିଡ଼ ସେତେ ଜମୁଥାଏ । ପୂରା ସହର ଯେମିତି ଅପେକ୍ଷା କରି ରହିଥିଲା ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେବା ପାଇଁ । ନୂଆପଡ଼ାବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଲେ, ଦୀର୍ଘ ୨୪ ବର୍ଷ ବିଜେଡି ଓ ନବୀନ ବାବୁ ରାଜ୍ୟର ଦାୟିତ୍ୱ ନେଇଥିଲେ । କିଛି କଲେନି । ଯୁବ ଓ ମହିଳା ସଶକ୍ତୀକରଣ କଥା କହୁଥିଲେ । ମାତ୍ର ନୂଆପଡ଼ା ଜିଲ୍ଲାରୁ ଜଣେ ପ୍ରାର୍ଥୀ ନ ପାଇ ବିଜେଡି ଅନ୍ୟ ଜିଲ୍ଲାରୁ ପ୍ରାର୍ଥୀ ଆଣିଲା । ନୂଆପଡ଼ାରେ କ’ଣ କେହି ଯୋଗ୍ୟ ନେତୃତ୍ୱ ନ ଥିଲେ ।
ମୁଖ୍ୟମନ୍ତ୍ରୀ ବିଜେଡିକୁ କଡ଼ା ସମାଲୋଚନା କରି କହିଲେ, ସ୍ୱର୍ଗତ ରାଜୁ ଭାଇ ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ବିଜେଡି ଦଳୀୟ ସଭାରେ ପରିଣତ କରିଥିଲା । ସେମାନଙ୍କ ନେତାମାନେ ମୋର କାର୍ଯ୍ୟକ୍ରମରେ ଯୋଗଦାନକୁ ସହ୍ୟ କରି ପାରି ନ ଥିଲେ । ଅନେକ କଟାକ୍ଷ କରିଥିଲେ । ନବୀନ ବାବୁ ଆସିଲେ ନାହିଁ କି ଢୋଲକିଆ ପରିବାରକୁ ସାମାନ୍ୟତମ ସମବେଦନା ଜଣାଇଲେ ନାହିଁ । ନିର୍ବାଚନ ପ୍ରଚାରକୁ ଆସି ଦଳୀୟ ପ୍ରାର୍ଥିନୀଙ୍କୁ ନ ନେଇ ଏକା ବୁଲିଲେ । ବିଜେଡି ଦଳରେ ନେତା, ମନ୍ତ୍ରୀ ଦଳର ମୁଖିଆଙ୍କୁ ଭେଟି ପାରନ୍ତି ନାହିଁ । ନିଜ ଅଞ୍ଚଳ କଥା କହିବାକୁ ବି ସୁଯୋଗ ମିଳେନି । ବିଜେଡିର ବରିଷ୍ଠ ନେତା କି କର୍ମୀ କେହିହେଲେ ନବୀନ ବାବୁଙ୍କୁ ଦେଖା କରିପାରୁନାହାନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ନବୀନ ବାବୁଙ୍କ ଚଳନ୍ତି ପ୍ରତିମା ଏକା ଏକା ମଞ୍ଚରେ ଭାଷଣ ଦେଉଥିଲେ ।
ବିଜେଡି ନେତାମାନେ ଟେଣ୍ଟ ବାନ୍ଧୁଥିଲେ, କିନ୍ତୁ ମଞ୍ଚ ଉପରେ ବସିବା ପାଇଁ ସେମାନଙ୍କ ସାହସ ନ ଥିଲା । ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ସମସ୍ୟା କଥା କହିବାକୁ ନବୀନ ବାବୁଙ୍କ ପାଖକୁ ପହଞ୍ଚି ପାରୁ ନ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରଧାରା ଓ ବିକାଶକୁ ଭରସା କରି ଢୋଲକିଆ ପରିବାର ବିଜେପିରେ ମିଶିଛନ୍ତି । ବିଜେଡି ଡଙ୍ଗା ଏବେ ବୁଡ଼ୁଛି । ଆଗାମୀ ଦିନରେ ନୂଆପଡ଼ାରେ ପରିବର୍ତ୍ତନ ହେବ ଓ ବିକାଶ ହେବ । ଆସନ୍ତା ୧୪ରେ ନୂଆପଡ଼ା ଦେଖିବ ଟ୍ରିପଲ ଇଞ୍ଜିନ ସରକାର । ଏବେ ଉପନିର୍ବାଚନ ଋତୁରେ ଅନେକ ନେତା ଆସୁଛନ୍ତି । ଭୋଟ୍ ପରେ ଆଉ କେହି ଆସିବେନି । ଆପଣଙ୍କ ଦୁଃଖସୁଖର ଚିର ସାଥୀ ହୋଇ ରହିବେ ଦୁଇଜଣ-ଜୟ ଢୋଲକିଆ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସୁନାବେଡ଼ା ଗସ୍ତ ସମୟରେ ଛିନମୁଣ୍ଡି ଗାଁକୁ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚକୋଟିଆ ଭୁଞ୍ଜିଆ ନଜାତିର ନକୁଳ ରାମ ମାଝୀ ଏବଂ ମମତା ମାଝୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଥମ ଥର ଓଡ଼ିଶାର ଜଣେ ମୁଖ୍ୟମନ୍ତ୍ରୀ ଆସିଥିବାରୁ ଜନଜାତି ସମ୍ପ୍ରଦାୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ରୋଡ୍ ସୋ’ରେ ଅଭିନେତା ଅନୁଭବ ମହାନ୍ତି, ବିଜେପି ବିଧାୟକ ଆକାଶ ଦାସ ନାୟକ, ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ପ୍ରମୁଖ ରୋଡ୍ ସୋ’ରେ ସାମିଲ ଥିଲେ ।