ବିଦ୍ୟୁତ୍ ଖୁଣ୍ଟ ଚୋରି କରିବା ବେଳେ ଧରାପଡ଼ିଲେ, ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ନୂଆପଡ଼ା, ୦୧/୧୨ : ବିଦ୍ୟୁତ୍ ଖୁଣ୍ଟ ଚୋରି କରିବା ବେଳେ ଧରାପଡ଼ିଲେ। ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାର ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଏଭଳି ଘଟଣା ଘଟିଛି। ବିଳମ୍ବିତ ରାତିରେ ପାତାଳଘୁଟକୁରି ଗାଁ ଲୋକେ ଚୋରକୁ କାବୁ କରି ଗାଡି ଓ ଚୋରି ବିଦ୍ୟୁତ ଖୁଣ୍ଟକୁ ଜବତ କରି ଚୋରକୁ ବାନ୍ଧି ରଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।
ସୂଚନାନୁଯାୟୀ, ବୁଧବାର ରାତିରେ ଜୋଙ୍କ ଥାନା ଖରିଆରରୋଡ଼ ସହର ଓ ପଡୋଶୀ ଛତିଶଗଡ଼ ରାଜ୍ୟର କିଛି ଚୋର କେନ୍ଦୁବାହାରା ଗାଁରେ ଲୁହ ବିଦ୍ୟୁତ ଖୁଣ୍ଟକୁ ଗ୍ୟାସ କଟର ସାହାଯ୍ୟରେ କାଟି ଏକ ପିକଅପ୍ ଭ୍ୟାନରେ ଚୋରି କରୁଥିଲେ । ଖବର ପାଇ ଗାଁ ଲୋକେ ଚୋରକୁ ଦୌଡାଇଥିଲେ । ହେଲେ ଗାଁ ଲୋକେ ଚୋରଙ୍କୁ ଧରିପାରିନଥିଲେ । ଏନେଇ ଗାଁ ଲୋକେ ବିଳମ୍ବିତ ରାତିରେ ପାତାଳଘୁଟକୁରି ଗାଁର ଲୋକଙ୍କୁ ଫୋନ କରି ଚୋରଙ୍କୁ ଅଟକାଇବାକୁ କହିଥିଲେ। ଖବର ପାଇ ଗାଁ ଲୋକେ ସଙ୍ଘବଦ୍ଧ ହୋଇ ରାସ୍ତାରେ ଜଗି ରହିଥିଲେ । ସେଠାରେ ଗାଡିକୁ କାବୁ କରି ଚୋରମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ୩ ଜଣ ଚୋର ଫେରାର ମାରିବାରେ ସକ୍ଷମ ହୋଇଥିଲେ। ହେଲେ ଗାଡି ଚାଳକ ଓ ଚୋରି ସାମଗ୍ରୀ କିଣୁଥିବା କବାଡିବାଲାକୁ ଗାଁ ଲୋକେ କାବୁ କରିଥିଲେ।
ଚୋର ଦୁଇ ଜଣ ଖରିଆରରୋଡ ସହର ମୋଙ୍ଗରାପାଲିର କବାଡିବାଲା ମହମ୍ମଦ ଆକତାର(୫୦ ବର୍ଷ) ଓ ଡ୍ରାଇଭର ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ତେନ୍ଦୁକୋନା ଗାଁର ଗଇନ୍ଦରାମ ସାହୁ(୨୬ ବର୍ଷ) ବୋଲି ଜଣା ପଡ଼ିଛି । ଏବେ ଉଭୟ ଚୋରଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି । ଆମାନାର ପଞ୍ଚାୟତ ପାତାଳଘୁଟକୁରି ଗାଁରେ ଆଗରୁ ମଧ୍ୟ ଟ୍ରାକ୍ଟର ଓ ଧାନ ପେଶିବା ମେସିନ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଚୋରମାନେ ଗାଁର ସାମଗ୍ରୀ ଚୋରି କରୁଥିବା ସନ୍ଦେହ କରିଥିଲେ । ଦୁଇ ଚୋରଙ୍କୁ ଧରି ଗାଁ ଲୋକେ ମାଡ଼ ମାରି ଗାଁ ମନ୍ଦିର ପ୍ରାଙ୍ଗଣରେ ରଶିରେ ବାନ୍ଧି ରଖିଥିଲେ l ଖବର ପାଇ ଧରମବନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରକୁ ଥାନାକୁ ନେବାକୁ କହିଥିଲେ । ହେଲେ ଗାଁ ଲୋକେ ଅନ୍ୟ ୩ ଜଣ ଚୋରକୁ ନଧରିବା ପର୍ଯ୍ୟନ୍ତ ଏହି ଦୁଇ ଚୋରକୁ ଛାଡ଼ିବୁ ନାହିଁ ବୋଲି ରୋକଠୋକ କହିଛନ୍ତି । ଏବେ ଘଟଣା ସ୍ଥଳରେ ପୋଲିସ ଗାଁ ଲୋକଙ୍କୁ ବୁଝାସୁଝା କରୁଥିଲେ ବି ଗାଁ ଲୋକେ ନିଜ ଜିଦରେ ଅଟଳ ରହିଛନ୍ତି । ପୁଲିସ ପାତାଳଘୁଟକୁରି ଗାଁରେ ଚୋରକୁ ଜଗି ରହିଛି । ଏନେଇ ଧରମବନ୍ଧା ଆଇଆଇସି ଗଏନ୍ଦରାମ ସତନାମୀଙ୍କୁ ପଚାରିବାରୁ, ଗାଁ ଲୋକେ ଚୋରକୁ ଛାଡୁ ନାହାନ୍ତି । ଆମେ ଗାଁ ଲୋକଙ୍କୁ ବୁଝାସୁଝା କରୁଛୁ । ଚୋରକୁ ଛାଡିଲେ ତ ତଦନ୍ତ ଆଗକୁ ଯାଇ ପାରିବ ବୋଲି କହିଛନ୍ତି ।