ଭୁବନେଶ୍ୱର,୧୨/୧୨: ମହମ୍ମଦ ମୋକିମଙ୍କ ଚିଠି ଓଡ଼ିଶା କଂଗ୍ରେସରେ ବିସ୍ଫୋରଣ କରିଛି । ଏଥର ମୋକିମ ଆଉ ପଛକୁ ପାଦ ନେବା ମୁଡ୍‌ରେ ନାହାନ୍ତି । ଆର ପାର୍ ଲଢ଼େଇ ପାଇଁ ସିଧା ହୁଙ୍କାର ଦେଇଛନ୍ତି । ମୋକିମ ବନାମ ପିସିସି ସଭାପତି ଭକ୍ତ ଦାସ ଲଢ଼େଇ କଂଗ୍ରେସକୁ କେତେ ବଡ଼ ଝଟକା ଦେବ, ତାହାକୁ ନେଇ ଦଳୀୟ କର୍ମୀ ଆଶଙ୍କାରେ ।

ନୂଆପଡ଼ାରେ ପରାଜୟର ଘା ଶୁଖିନଥିବାବେଳେ ଗତ ସପ୍ତାହରେ ଭଦ୍ରକରେ ବିଜେଡି ସଂଗଠନକୁ ଶକ୍ତ ବିଧା ମାରିଛନ୍ତି ଭେଟେରାନ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ । ବିଜେଡିରୁ ଏକ ବଡ଼ ଗୋଷ୍ଠୀକୁ ନେଇ ବିଜେପିରେ ମିଶିଛନ୍ତି ପ୍ରଫୁଲ୍ଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ଓ ପ୍ରଣୟକାନ୍ତି । ୪ଜଣ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳୀୟ ପରିଚାଳନାରେ ଅସନ୍ତୋଷ ବ୍ୟକ୍ତ କରି ଉପସଭାପତି ପଦ ଛାଡ଼ିଛନ୍ତି ।

ଦୁଇ ପ୍ରମୁଖ ବିରୋଧୀ ଦଳ ଆଭ୍ୟନ୍ତରୀଣ କନ୍ଦଳ ଭିତରେ ଘାଣ୍ଟି ହେଉଥିବାବେଳେ ବିଜେପି ବଳ ବଢ଼ାଇବାରେ ଲାଗିଛି । ନିକଟରେ ଭଦ୍ରକରେ ଏକ ବଡ଼ ଗୋଷ୍ଠୀ ବିଜେପିରେ ମିଶିଥିବାବେଳେ ଭୁବନେଶ୍ୱରର କିଛି ପୂର୍ବତନ ବିଜେଡି କର୍ପୋରେଟର ପଦ୍ମ ଧରିଥିଲେ । ଗୁରୁ ଭଦ୍ରକ ଜିଲ୍ଲା ବାସୁଦେବପୁରର ବହୁ ନେତା ବିଜେପିରେ ମିଶିଛନ୍ତି । ଏହା ପୂର୍ବରୁ ତାଳଚେର ମ୍ୟୁନିସିପାଲିଟିର ନଗରପାଳ ଓ ୧୩ କାଉନସିଲର ବିଜେଡିରୁ ବିଜେପିକୁ ଡେଇଁଥିଲେ । ବୋଲଗଡ଼-ବେଗୁନିଆର କିଛି ନେତା ବି ବିଜେଡି ବିଜେପିରେ ମିଶିଛନ୍ତି ନିକଟରେ ।

ନୂଆପଡ଼ା ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ କଂଗ୍ରେସ ଆଗକୁ ବଢ଼ିବା ବଦଳରେ ପୁଣି ଗୋଡ଼ ଟଣାଟଣିରେ ରୋଗରେ ପୀଡ଼ିତ ହୋଇଛି । ବିଭୀଷଣ ଉବାଚକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି । ସୋନିଆ ଗାନ୍ଧିଙ୍କୁ ମୋକିମଙ୍କ ଚିଠି ପରେ ଦଳୀୟ କନ୍ଦଳ ତେଜିଛି । ମୋକିମଙ୍କ ଚିଠି ରାଜନୀତିକୁ ବରିଷ୍ଠ ନେତା ଜୟଦେବ ଜେନା, ସୁର ରାଉତରାୟ, ଅନନ୍ତ ସେଠୀ ପ୍ରମୁଖ ନାପସନ୍ଦ କରିଛନ୍ତି । ଜୟଦେବ କହିଛନ୍ତି, ଚିଠିର ତରିକା ଠିକ୍ ନଥିଲା । ସୋନିଆଙ୍କ ପାଖରେ ଚିଠି ପହଞ୍ଚିବା ପୂର୍ବରୁ ଗଣମାଧ୍ୟମରେ ପ୍ରଘଟ ହେବା ଓ ବୟାନବାଜି କରିବା ଠିକ୍ ନୁହେଁ । ହାଇକମାଣ୍ଡଙ୍କ ଉତ୍ତରକୁ ଅପେକ୍ଷା କରିବାର ଥିଲା । ସୁର କହିଛନ୍ତି, କଂଗ୍ରେସ ଦଳ ମୋକିମଙ୍କୁ ଧୋକା ଦେଇନି । କଂଗ୍ରେସ ତାଙ୍କୁ ପରିଚୟ ଦେଇଛି । ସମସ୍ତ ବରିଷ୍ଠ ଓ ଛାମୁଆ ନେତା ଏକାଠି ହେବାକୁ ସୁର ନିବେଦନ କରିଛନ୍ତି ।

ମୋକିମ କହିଛନ୍ତି, ବରିଷ୍ଠଙ୍କ କଥା ଉପରେ କିଛି କହିବା ଠିକ୍ ହେବନି । ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି କଂଗ୍ରେସ ଦଳକୁ ସୁଧାରିବା । ଅନ୍ୟପଟେ ପିସିସି ସଭାପତି ଭକ୍ତ ଦାସ ଏ ପ୍ରସଙ୍ଗରେ ଏଯାଏ ନୀରବ ରହିଛନ୍ତି । ତେବେ ମୋକିମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିବା ଖବର ମିଳୁଛି । ନୂଆପଡ଼ାରେ ଆଶାନୁଯାୟୀ ଫଳ ନ ମିଳିଥିଲେ ବି ୨ ନମ୍ବରକୁ ଉଠିଥିବା କଂଗ୍ରେସକୁ କନ୍ଦଳ ଅଡ଼ୁଆରେ ପକାଇଛି । ଏହାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଛି ବିଧାନସଭାର ଏଇ ଶୀତ ଅଧିବେଶନରେ । କୌଣସି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇ ପାରିନଥିଲା କଂଗ୍ରେସ ।

ସେହିପରି ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନୂଆପଡ଼ାର ଶୋଚନୀୟ ପରାଜୟକୁ ନେଇ ଅନେକ ଅସନ୍ତୁଷ୍ଟ ନେତା ଦଳର ପ୍ରଭାବଶାଳୀ ଗୋଷ୍ଠୀ ଆଡ଼କୁ ଆଙ୍ଗୁଠି ଉଠାଉଛନ୍ତି । ଦେବାଶିଷ ସାମନ୍ତରାୟ, ଭୂପିନ୍ଦର ସିଂହଙ୍କ ଭଳି ନେତାଏ ଖୋଲାଖୋଲି ବର୍ଷିଛନ୍ତି ଗଣମାଧ୍ୟମରେ । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବ୍ଲକ ବିଜେଡି ହାତରୁ ଖସିବାରେ ଲାଗିଛି । ରାଜ୍ୟରେ ଅନେକ ବଡ଼ ପ୍ରସଙ୍ଗ ଥିଲେ ମଧ୍ୟ ସରକାରଙ୍କୁ ଘେରିବାକୁ ବିଜେଡି ଯେମିତି ବଳ ପାଉନି । ବିଧାନସଭାରେ ଦଳ କେବଳ ନାଁକୁ ବିଭିନ୍ନ ପ୍ରସଙ୍ଗ ଉଠାଇଲା ।

ବିଜେପି ଲଗାତାର ସଂଗଠନ ବିସ୍ତାରରେ ଲାଗିଛି । ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ ଆୟୋଜିତ ହେଉଛି । ବିଜେପି ସରକାର ମଧ୍ୟ ବିଭିନ୍ନ ବଡ଼ ଘୋଷଣା ମାଧ୍ୟମରେ ଲୋକଙ୍କ ମନ ଜିତିବାକୁ ଲାଗି ପଡ଼ିଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ସରକାର ପୂରା ଆତ୍ମବିଶ୍ୱାସର ସହ ବିରୋଧୀ ଦଳଙ୍କୁ ମୁହଁତୋଡ଼ ଜବାବ ଦେବାକୁ ସକ୍ଷମ ହୋଇଥିଲେ ।