ନୂଆଦିଲ୍ଲୀ,୧୫/୦୫: ବିଶ୍ୱରେ କମ୍ପାନିମାନେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)କୁ ଆପଣେଇବା ଉପରେ ଜୋର ଦେଉଛନ୍ତି । ସେଥିପାଇଁ ବ୍ୟାପକ ସଂଖ୍ୟାରେ ଲୋକଙ୍କୁ ଛଟେଇ କରାଯାଉଛି । ୨୦୨୬ ଛଟେଇ ମାମଲାରେ ଏକ ଦୁଃଖଦ ବର୍ଷ । ଆମାଜନ୍, ଓରାକଲ, ଗୁଗଲ, ମେଟା ଆଦି ବଡ଼ ବଡ଼ ଟେକ୍ କମ୍ପାନି ଲୋକଙ୍କୁ କାମରୁ ବାହାର କରିବାକୁ ଘୋଷଣା କରିଛନ୍ତି । ଏବେ ଅନ୍ୟତମ ପ୍ରମୁଖ କମ୍ପାନି ଏନ୍ଭିଡିଆର ଜଣେ ଅଧିକରୀ କହିଛନ୍ତି, ଏଆଇ ଯୋଗୁ ଲୋକଙ୍କୁ ଚାକିରିରୁ ବାହାର କରି କମ୍ପାନିମାନଙ୍କର ସ୍ଥିତି ସୁଧୁରିବ ନାହିଁ । ଏଆଇ ପଛରେ ଦୌଡୁଥିବା କମ୍ପାନି ଠିକ୍ ମାର୍ଗରେ ନାହାନ୍ତି ।ଏନଭିଡିଆର ବରିଷ୍ଠ ଅଧିକାରୀ ବ୍ରାୟନ କାଟାନଜାରୋ ଏହି ଚେତାବନୀ ଦେଇଛନ୍ତି ।

ଆହୁରି ପଢନ୍ତୁ-ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ ! ସେନା କ୍ୟାମ୍ପରେ ଆତଙ୍କୀ ହମ୍ଲା, ୧୫ ଯବାନ ଶହୀଦ

ଏନଭିଡିଆ ବିଶ୍ୱର ପ୍ରମୁଖ ଚିପ୍ ପ୍ରସ୍ତୁତକାରୀ କମ୍ପାନି । ଏହାର ଭାଇସ୍ ପ୍ରେସିଡେଣ୍ଟ କାଟାନଜାରୋ ଆକ୍ସିଅସ୍ ସହ ବାର୍ତ୍ତାଳାପରେ କହିଛନ୍ତି, କର୍ମଚାରୀଙ୍କୁ ବାହାର କରି ଏଆଇର ଉପଯୋଗ ଏକ ମହଙ୍ଗା ସଉଦା । ତାଙ୍କ ଟିମ୍ ପାଇଁ ଏଆଇର ଖର୍ଚ୍ଚ କର୍ମଚାରୀଙ୍କ ଉପରେ ହେଉଥିବା ଖର୍ଚ୍ଚଠୁ ଢେର ଅଧିକ । ଏଆଇ ଉପଯୋଗ ଦ୍ୱାରା କମ୍ପାନିମାନଙ୍କର ଆର୍ଥିକ ସ୍ଥିତି ତୁରନ୍ତ ଠିକ୍ ହୋଇଯିବ ବୋଲି ରହିଥିବା ଧାରଣାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଏଆଇ ପାଇଁ ଅନେକ କ୍ଷେତ୍ର ସିଧାସଳଖ ପ୍ରଭାବିତ ହେଉଛି । ଆନ୍ଥ୍ରୋପିକ୍ର ଜଣେ ବରିଷ୍ଠ ଅଧିକାରୀ ନିକଟରେ କହିଥିଲେ, ଏଆଇର ଉପଯୋଗ ବୃଦ୍ଧି ଯୋଗୁ ସଫ୍ଟୱେର ଇଞ୍ଜିନିୟରମାନଙ୍କର ଚାକିରି ଖୁବ୍ଶୀଘ୍ର ଶେଷ ହୋଇଯିବ । କେବଳ ଏଆଇର ଉତ୍ତମ ଉପଯୋଗ ଜାଣିଥିବା ଏବଂ ଏକସଙ୍ଗେ ଏକାଧିକ କାମ କରିପାରୁଥିବା ଇଞ୍ଜିନିୟର ହିଁ ଚାକିରିରେ ରହିବେ ।