ନୂଆଦିଲ୍ଲୀ,୧୫/୦୫; ପାକିସ୍ତାନର ବାଜୌରରେ ଥିବା ଏକ ପାକିସ୍ତାନୀ ସେନା ଶିବିର ଉପରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ଅତି କମରେ ୧୫ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ଆତଙ୍କବାଦୀମାନେ ପ୍ରଥମେ ସାମରିକ ପ୍ରତିଷ୍ଠାନରେ ଏକ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ। ଫଳରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାର ସୁଯୋଗ ନେଇ ସଶସ୍ତ୍ର ଆତଙ୍କବାଦୀମାନେ ଶିବିର ମଧ୍ୟକୁ ପ୍ରବେଶ କରିଥିଲେ । ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏହି ଆତ୍ମଘାତୀ ଆକ୍ରମଣ ପାଇଁ ଦାୟୀ ବୋଲି କହିଛି । ଏକ ବିବୃତ୍ତିରେ, ଏହି ଗୋଷ୍ଠୀ କହିଛି ଯେ, ଏହି ଆକ୍ରମଣ ଏହାର ସ୍ୱତନ୍ତ୍ର ଇସ୍ତିହାଦି ଫୋର୍ସ ଦ୍ୱାରା କରାଯାଇଥିଲା ।
ଅକ୍ଟୋବର ୨୦୨୫ରେ କ୍ୱେଟାରେ ହୋଇଥିବା ଆକ୍ରମଣ ପରେ ଏହା ପ୍ରଥମ ଥର ପାଇଁ ଟିଟିପି ଆନୁଷ୍ଠାନିକ ଭାବରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି । ବାଜୌର ହେଉଛି ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ଅଂଶ । ଯାହା ଦୀର୍ଘ ଦିନ ଧରି ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଛି । ଏହି ଆକ୍ରମଣ ପରେ, ସମଗ୍ର ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଆତ୍ମଘାତୀ ଆକ୍ରମଣ ।
ଏହା ବି ପଢନ୍ତୁ...ଆଜିଠୁ ୫ଟି ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେଉଁ କ୍ଷେତ୍ର ଉପରେ ରହିଛି ଫୋକସ୍ ?
ସପ୍ତାହ ମଧ୍ୟରେ ଖାଇବର ପଖତୁନଖ୍ୱାରେ ଦ୍ୱିତୀୟ ଆତ୍ମଘାତୀ ଆକ୍ରମଣ। ଏହା ପୂର୍ବରୁ ମଙ୍ଗଳବାର ଦିନ, ଖାଇବର ପଖତୁନଖ୍ୱା ପ୍ରଦେଶର ଲକ୍କି ମାରୱାତ ଜିଲ୍ଲାରେ ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଜଣେ ଆକ୍ରମଣକାରୀ ସାରାଇ ନୌରଙ୍ଗ ତହସିଲର ନୈରଙ୍ଗ ବଜାରରେ ବିସ୍ଫୋରକ ଭର୍ତ୍ତି ଏକ ଅଟୋରିକ୍ସା ବିସ୍ଫୋରଣ ଘଟାଇଥିଲା । ଏହା ଆକ୍ରମଣରେ ୨ ଜଣ ପୁଲିସ୍ ଏବଂ ଜଣେ ମହିଳାଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ନିକଟସ୍ଥ ଦୋକାନ ଏବଂ ଯାନବାହାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ଫେବୃଆରୀ ମାସରେ ଖାଇବର ପଖତୁନଶ୍ୱାରେ ମଧ୍ୟ ଏକ ଆତଙ୍କୀ ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ୫ ଜଣ ପୁଲିସ୍ କର୍ମଚାରୀ ଏବଂ ୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲା ।
ଏହା ବି ପଢନ୍ତୁ...ପାକିସ୍ତାନରେ ଜନଗହଳିପୂର୍ଣ୍ଣ ବଜାରରେ ବୋମା ବିସ୍ଫୋରଣ; ୯ ଜଣଙ୍କ ଦୁଃଖଦ ମୃତ୍ୟୁ