ପଛୁଆ ବର୍ଗଙ୍କୁ ବିକାଶ ଧାରାରୁ ବଞ୍ଚିତ କରାଯାଉଛି : କ୍ରୀଷ୍ଣା ଗୌର

ଭୁବନେଶ୍ୱର, ୧୯।୩ : ଓଡିଶାରେ ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗର । ଆଜି ପର୍ଯ୍ୟନ୍ତ ପଛୁଆ ବର୍ଗର ସମୁଦାୟମାନଙ୍କୁ ଶିକ୍ଷା, ନିଯୁକ୍ତି ବା ସ୍ଥାନୀୟ ପଂଚାୟତ ଓ ପୈାର ନିର୍ବାଚନରେ ସଂରକ୍ଷଣ ମିଳିନି । ସମଗ୍ର ଦେଶରେ ଓଡିଶା ଏଭଳି ଏକ ରାଜ୍ୟ ଯେଉଁଠି ଅର୍ଦ୍ଧାଧିକ ଜନସଂଖ୍ୟା ବିଶିଷ୍ଟ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଇଛି ବୋଲି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି କ୍ରୀଷ୍ଣା ଗୌର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଗୌର କହିଛନ୍ତି ଯେ, ପଛୁଆ ବର୍ଗ କମିଶନ ହେଉଛି ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ଓଡିଶାରେ ପଛୁଆ ବର୍ଗ କମିଶନଙ୍କୁ କୌଣସି କ୍ଷମତା ଦିଆଯାଇନାହିଁ । କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଶିକ୍ଷା, ନିଯୁକ୍ତିରେ ୨୭% ସଂରକ୍ଷଣ ଦେଉଥିଲେ ବି ଓଡ଼ିଶା ସରକାର ରାଜ୍ୟ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି । ପଛୁଆ ବର୍ଗର ଯୁବକମାନଙ୍କର ଆତ୍ମନିଯୁକ୍ତି ପାଇଁ ଥିବା ଓଡିଶା ଓବିସି ଫାଇନାନ୍ସ ଆଣ୍ଡ ଡେଭେଲପମେଂଟ କର୍ପୋରେସନ ଆଜି ବନ୍ଦ ହୋଇ ପଡିରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡିଶାରେ ଥିବା ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ କେବେ ମିଳିବ ? ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ନହେବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରୀ ରଖିବ ବୋଲି ଶ୍ରୀମତୀ ଗୌର କହିଛନ୍ତି ।
ଓବିସିଙ୍କୁ ନ୍ୟାୟ ଓ ତାଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ଦାବୀରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ସର୍ବଦା ଲଢ଼େଇ ଜାରୀ ରହିଛି । ଆସନ୍ତା ଏପ୍ରିଲ ୬ରେ ବିଜେପି ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ ଚାଲିବ । ଏପ୍ରିଲ ୧୧ରେ ସମାଜ ସୁଧାରକ ଜ୍ୟୋତିବାରାଓ ଫୁଲେଜୀଙ୍କ ଜୟନ୍ତୀ ପାଳନ କରାଯିବ । ଏହି ଅବସରରେ ମୋଦି ସରକାରଙ୍କ ଗତ ୯ ବର୍ଷର ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଂଚାଇବାର କାର୍ଯ୍ୟ କରିବେ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା । ଏଥି ସହ ଓବିସି ବର୍ଗର ମହାପୁରୁଷଙ୍କ ପ୍ରତିମାର ସ୍ୱଚ୍ଛତା, ବୃକ୍ଷରୋପଣ, ସାମାଜିକ ଜାଗୃତ, ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମମାନ ପ୍ରତ୍ୟେକ ଜିଲ୍ଲା, ବ୍ଲକ, ପଂଚାୟତ ଓ ଗ୍ରାମମାନଙ୍କରେ ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ଗୌରା କହିଛନ୍ତି ।ଏହି ଅବସରରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସଂଯୋଜକ ରାହୁଲ ନଗର ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଆସନ୍ତା ଏପ୍ରିଲ ୬ରୁ ଆରମ୍ଭ ହେବାକୁ ଥିବା “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନକୁ ସଫଳ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସୁରଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି କ୍ରୀଷ୍ଣା ଗୌର, ରାଷ୍ଟ୍ରୀୟ ସଂଯୋଜକ ରାହୁଲ ନଗର, ରାଜ୍ୟ ସଂଯୋଜକ ସୁକାନ୍ତ ବିଶ୍ୱାଳ, ଜ୍ଞାନେନ୍ଦ୍ର ସ୍ୱାଇଁ, ପ୍ରତାପ ପ୍ରଧାନ, ରାମଚନ୍ଦ୍ର ବେହେରା, ଦିଲୀପ କର୍ସେଲ, ଦୁର୍ଗାପ୍ରସନ୍ନ ନାୟକ, କରିସ୍ମା ମହାକୁଡ, ସିଦ୍ଧାର୍ଥ ଶଂକର ପତି, ସଂଗ୍ରାମ ନାୟକ ପ୍ରମୁଖଙ୍କ ସମେତ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀମାନେ ଉପସ୍ଥିତ ଥିଲେ ।