ଶ୍ରୀକ୍ଷେତ୍ର ବୋହୂ ହେଲେ ଅଭିନେତ୍ରୀ ରିୟା

ବାଲେଶ୍ୱର ସିଟି,୦୩/୧୨: ଓଡ଼ିଆ ଚଳଚିତ୍ର ଜଗତର ଚର୍ଚ୍ଚିତ ନାୟିକା ସ୍ୱର୍ଣ୍ଣାଲୀ ଦେ ଓରଫ୍ ରିୟା(୩୧) ପ୍ରେମ ବିବାହ କରିଛନ୍ତି । ବାଲେଶ୍ୱର ଲଳନା ରିୟା ପ୍ରେମିକ ସୁନୀଲଙ୍କ ହାତ ଧରି ବୁଧବାରଠାରୁ ଶ୍ରୀକ୍ଷେତ୍ର ପୁରୀର ବୋହୂ ହୋଇଛନ୍ତି । ଏହି ପ୍ରେମୀଙ୍କ ସୁନେଲୀ ସ୍ୱପ୍ନ ସାକାର ହୋଇଥିବାରୁ ରିୟା ବାହାଘରରେ ନିଜେ ଦମଦାର ନୃତ୍ୟ କରିଥିବା ଦେଖିବାକୁ ମିଳିଛି । ତାଙ୍କ ବିବାହ ଖବର ଜାଣିବା ପରେ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ।
ସ୍ଥାନୀୟ ହୋଟେଲ୍ ‘ହରିପ୍ଲାଜା’ ପରିସରରେ ଏହି ସେଲିବ୍ରିଟି ବିବାହ ଉତ୍ସବ ହୋଇଥିଲା । ସୁନୀଲ ପୁରୀ ଜିଲ୍ଲାର ଜଣେ ଜଣାଶୁଣା ବ୍ୟବସାୟୀ ତଥା ବହୁରାଷ୍ଟ୍ରୀୟ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ଏହି ବିବାହ ଉତ୍ସବରେ ଦେବାଶିଷ, ପ୍ରିୟା, ଦେବଯାନୀ, ଶୀତଳ, ପୁନମ୍, ଦିବ୍ୟା, ପ୍ରିତମ୍ଙ୍କ ପରି ବହୁ ଓଡିଆ ସେଲିବ୍ରିଟି ଯୋଗ ଦେଇଥିଲେ । ଶୁକ୍ରବାର ପୁରୀସ୍ଥିତ ଶାଶୁ ଘରେ ରିୟାଙ୍କ ରିସେପ୍ସନ୍ ଉତ୍ସବ ହୋଇଛି ।
ସୂଚନାଯୋଗ୍ୟ, ରିୟା ହେଉଛନ୍ତି ବାଲେଶ୍ୱର ସହର ମୋତିଗଞ୍ଜ ମାର୍କେଟ୍ ବତାହାଟ ଅଞ୍ଚଳର କ୍ରିଷ୍ଣେନ୍ଦୁ ଦେ ଓ ବର୍ଣ୍ଣାଳୀ ଦେଙ୍କ ପ୍ରତିଭାମୟୀ କନ୍ୟା । ୨୦୧୦ରେ ସେ ଓଲିଉଡ଼୍ ଜଗତରେ ପାଦ ଥାପିଥିଲେ । ‘ପ୍ରେମ ଅଢେଇ ଅକ୍ଷର’ ଚଳଚିତ୍ରରୁ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା । ଇତିମଧ୍ୟରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରି ସଫଳ ହୋଇଛନ୍ତି ।