ଭୁବନେଶ୍ୱର,୦୫/୦୯: ଓଡ଼ିଆ ଫିଲ୍ମ "ଡେଲିଭରି ବୟ’ର ସଫଳତା ପରେ ଏକ ଅନନ୍ୟ ରୋମାଞ୍ଚକ କାହାଣୀ ଆଣିଛି ଏହାର ଦ୍ୱିତୀୟ ଭାଗ "ଡେଲିଭରି ବୟ-୨’ । ଏହା ଏକ ଥ୍ରିଲର୍ ଫିଲ୍ମ । ଯାହା ଅନ୍ୟାୟ, ମିଡିଆ ହେରଫେର ଓ ଗଭୀର ରହସ୍ୟ ସହ ଦର୍ଶକଙ୍କ ମନ ଜିତିବ। ଏକ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ସୋମବାର ସନ୍ଧ୍ୟାରେ ଆୟୋଜିତ ଅଡିଓ ରିଲିଜ୍ ଉତ୍ସବରେ ପ୍ରଯୋଜନା ସଂସ୍ଥା କହିଛି । ଏହି କାର୍ଯ୍ୟକ୍ରମରେ ସିନେମା ଟିମ୍ ସହ ବିତରକ ସଚ୍ଚିକାନ୍ତ ଜେନା, କ୍ୟାମେରାମ୍ୟାନ୍ ଈଶ୍ୱର ବାରିକ, ନୃତ୍ୟ ନିର୍ଦ୍ଦେଶକ ଅମିତ୍ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ସହ କାହାଣୀ ଲେଖିଛନ୍ତି ଜ୍ୟୋତି ରଞ୍ଜନ ମହାନ୍ତି (ଜେଆର୍ଏମ୍) । ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଚ୍ଚିତା, ଶୈଳେନ୍ଦ୍ର ସାମନ୍ତରାୟ, ବୁଦ୍ଧାଦିତ୍ୟ ମହାନ୍ତି, ପ୍ରିୟମ୍ବଦା, ଶ୍ରୀତମ୍ ଦାସ, ଭୂପିନ୍ଦର, ସୁଶାନ୍ତ ଦାସ ମହାପାତ୍ର ଓ ସନ୍ତୁ ଥିବାବେଳେ କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ, ଡା. ନିର୍ମଳ ନାୟକ । ଅରୁଣ ମନ୍ତ୍ରୀଙ୍କ ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଅନ୍ତରା ଚକ୍ରବତି ।