ସ୍ୱପ୍ନ ହେବ ସାକାର… ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ଖେଳିବେ ଝିଲ୍ଲି, ଗାଁରେ ଖୁସିର ଲହରୀ

ହାଟଡିହି,୧୭/୦୩: ଅନ୍ତର୍ଜାତୀୟ ସ୍ତରର ଦୃଷ୍ଟିହୀନ କ୍ରିକେଟ୍ ମ୍ୟାଚ୍ରେ ଭାଗନେବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଝଣଝଣା ଗ୍ରାମର ଝିଅ ଝିଲ୍ଲି ବିରୁଆ । ଯାହାକୁନେଇ ସମଗ୍ର ଗ୍ରାମରେ ଏବେ ଖୁସିର ଲହରୀ ଦେଖାଦେଇଛି । ଗରିବ ଆଦିବାସୀ ପରିବାରର ୧୩ବର୍ଷର ଝିଅର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛି ।
ଝଣଝଣା ଗ୍ରାମର ସ୍ୱର୍ଗତ ସୁଦର୍ଶନ ବିରୁଆ ଓ ମମତା ବିରୁଆଙ୍କ ଏକମାତ୍ର ଭିନ୍ନକ୍ଷମ ଝିଅ ହେଉଛି ଝିଲି ବିରୁଆ । ଜନ୍ମହେବାର କିଛିଦିନ ପରେ ମା’ ଆରପାରିକୁ ଚାଲିଗଲେ । ବାପା ସୁଦର୍ଶନ ଭଦ୍ରକରେ ଶ୍ରମିକଭାବେ କାମ କରୁଥିବାବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ବାପାମା’ ଚାଲିଯିବା ପରେ ଜେଜେମାଙ୍କ ସ୍ନେହ ଆଦରରେ ବଢ଼ିଥିଲେ ଝିଲ୍ଲି ।

ଜେଜେମା ନିକଟସ୍ଥ ଜଙ୍ଗଲରୁ ଦାନ୍ତକାଠି ଆଣି ବିକ୍ରି କରି ଯାହା ପାଉଥିଲେ ସେଇଥିରେ ସେ ସୁଦର୍ଶନଙ୍କ ତନୋଟି ଛୁଆଙ୍କୁ ଚଳାଉଥିଲେ । ଝିଲ୍ଲୀ ପାଠପଢ଼ି ଜଣେ ଭଲ ମଣିଷ ହେବାର ସ୍ୱପ୍ନ ଦେଖିଥିବାବେଳେ ଭଦ୍ରକର ଏକ ଅନ୍ଧ ସ୍କୁଲରେ ନାଁ ଲେଖାଇ ପାଠପଢା ଆରମ୍ଭ କରିଥିଲେ । ସେ ପାଠପଢ଼ିବା ସାଙ୍ଗକୁ ଭଲ ଖେଳାଖେଳି କରିବାରେ ମାହିର ହୋଇଥିଲେ । ଏପରିକି ଦୃଷ୍ଟିହୀନ କ୍ରିକେଟରେ ଭଲ ଖେଳାଖେଳି କରିବାରୁ ସେ ଜାତୀୟସ୍ତରରେ ରାଜ୍ୟ ବାହାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଭଲ ଖେଳ ପ୍ରଦର୍ଶନ କରିଥିଲେ ।
ଏବେ ପ୍ରଥମ କରି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଚୟନ ହୋଇଛନ୍ତି । ନେପାଳରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଓଡିଶାରୁ ୫ଜଣ ଖେଳାଳି ଚୟନ ହୋଇଥିବାବେଳେ ଏଥିରେ ଝଣଝଣା ଗାଁର ଝିଲ୍ଲି ବରୁଆଙ୍କୁ ସାମିଲ କରାଯାଇଛି । ଯାହାକୁନେଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଝିଲ୍ଲିଙ୍କ ପରିବାର ଲୋକେ ଏକ ଭଙ୍ଗା ଚାଳିଆରେ ମୁଣ୍ଡ ଗୁଞ୍ଜୁଥିବାବଳେ ରହିବାକୁ ଘର ଖଣ୍ଡିଏ ମଧ୍ୟ ନାହିଁ । ପଞ୍ଚାୟତରେ ହଜାର ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖଣିକ୍ଷତିଗ୍ରସ୍ଥ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିବାବେଳେ ଝିଲ୍ଲିଙ୍କ ପରିବାର ଭଙ୍ଗା ଚାଳିଆରେ ରହୁଛନ୍ତି । ଏପରିକି ସେ ପାଇଥିବା ବିଭିନ୍ନ ଟ୍ରଫିକୁ ଘରେ ସାଇତି ରଖିବାକୁ ସ୍ଥାନ ନଥିବାରୁ ଏକ ପାଛିଆରେ ପୂରାଇ ରଖିଛନ୍ତି ।
ଏପରିକି ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ନଥିବାରୁ ଝିଲ୍ଲିଙ୍କ ପାସପୋର୍ଟ ପାଇବାରେ ବ୍ୟାଘାତ ଘଟାଇଛି । ଏଥିପାଇଁ ସେ କେନ୍ଦୁଝର ଜିଲ୍ଲାପାଳ ଓ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ସହଯୋଗ କରିବାକୁ ନିବେଦନ କରିବାପରେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତାଙ୍କୁ ୩୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇଦେବା ସହିତ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ଯୋଗାଇବାର ବ୍ୟବସ୍ଥା କରୁଛନ୍ତି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରାଯାଇଛି ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ କହିଛନ୍ତି । ଝିଲ୍ଲି ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରି ଭାରତ ପାଇଁ ଗୌରବ ଆଣନ୍ତୁ ବୋଲି ଉପଜିଲ୍ଲାପାଳ ଅନିଲ ସେଠୀ କାମନା କରିଛନ୍ତି ।