ପାତ୍ରପୁର,୨୧/୦୨ (ରାଜଗୋପାଳ ପାଢ଼ୀ): ସ୍ୱତନ୍ତ୍ର ପ୍ରଦେଶ ଗଠନର ୯୦ ବର୍ଷ ପାଳନ କରାଯାଉଛି । ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆଉ ଆମ ରାଜ୍ୟ ଓଡ଼ିଶା ବୋଲି କହି ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାବର୍ତ୍ତୀ ଗାଁରେ ପରିଲକ୍ଷିତ ହେଉଛି ଚିନ୍ତାଜନକ ସ୍ଥିତି । ସତେ ଯେମିତି ଆମ ମାତୃଭାଷା ତଥା ଓଡ଼ିଆ ଅସ୍ମିତା ଅସ୍ତିତ୍ୱ ହରାଇ ଆନ୍ଧ୍ର କବଳିତ । ଏହାର ଉଦାହରଣ ହେଉଛି ଦୁଇ ରାଜ୍ୟ ସୀମାରେ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗାଁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ।
ଏହି ଗାଁରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଯୋଜନାରେ ୨୦୧୬ ମସିହାରେ ପ୍ରାୟ ୫୨ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା ସ୍କୁଲ କୋଠା । ଉଦ୍ଦେଶ୍ୟ ଥିଲା ସୀମାବର୍ତ୍ତୀ ଓଡ଼ିଶା ଗ୍ରାମଗୁଡ଼ିକର ପିଲାମାନେ ଆନ୍ଧ୍ରକୁ ନଯାଇ ଏହି ବିଦ୍ୟାଳୟରେ ପଢ଼ିବେ । ଓଡ଼ିଆ ଭାଷା ଶିଖିବେ, ଓଡ଼ିଶାର ପାଠ୍ୟକ୍ରମ ପଢ଼ିବେ । ହେଲେ ଜୁଲାଇ ୨୦୧୯ ପରଠାରୁ ଗୁଡ଼ିପଦର ହାଇସ୍କୁଲରେ ତାଲା ଝୁଲୁଛି, କୋଠା ଖତ ଖାଉଛି । କାରଣ ଓଡ଼ିଆ ଗାଁର ପିଲାଏ ଏଠାକୁ ନ ଆସି ଆନ୍ଧ୍ରପ୍ରଦେଶର ସ୍କୁଲକୁ ଯାଉଛନ୍ତି, ତେଲୁଗୁ ଭାଷା ଶିଖୁଛନ୍ତି । ଏହି ବିଦ୍ୟାଳୟରେ ପୂର୍ବରୁ ପଢୁଥିବା ଶତକଡା ୯୦ ଭାଗ ପିଲା ସେଠାରୁ ଅଳ୍ପ ଦୂରରେ ତଥା ଗୁଡ଼ିପଦର ଗାଁ ଅପରପାଶ୍ୱର୍ରେ ଥିବା ଆନ୍ଧ୍ରର ଖାଜିରିଆ ସ୍କୁଲରେ ନାମ ଲେଖାଇଛନ୍ତି । ଜଣକ ପରେ ଜଣେ ଅଭିଭାବକ ଗୁଡ଼ିପଦର ସ୍କୁଲରୁ ନିଜ ପିଲାଙ୍କ ନାମ କାଟି ଆନ୍ଧ୍ର ସ୍କୁଲରେ ନାମ ଲେଖାଇଥିଲେ । ଯଦିଓ କିଛି ଅଭିଭାବକ ଘର ଘର ବୁଲି ପିଲାଙ୍କୁ ଓଡ଼ିଶାର ବିଦ୍ୟାଳୟ ପଠାଇବାକୁ ଗାଁ ଲୋକଙ୍କୁ ସଚେତନ କରିଥିଲେ ହେଲେ ଓଡ଼ିଆ ଭାଷା ପ୍ରତି ଅନାଗ୍ରହ, ଆନ୍ଧ୍ରରେ ମିଳୁଥିବା ଅଧିକ ସୁବିଧା ସୁଯୋଗକୁ ଦେଖି ସମସ୍ତେ ଆନ୍ଧ୍ରମୁଁହା ହୋଇଥିଲେ । ଆବଶ୍ୟକ ଉପସ୍ଥାନ ନହେବାରୁ ପରବର୍ତ୍ତୀ ସମୟରେ ବିଦ୍ୟାଳୟ ବନ୍ଦ କରି ସେଠାରେ ଅବସ୍ଥାପିତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା ।
ପାତ୍ରପୁର ବ୍ଲକ୍ର ଗୁଡ଼ିପଦର ପଞ୍ଚାୟତ ଗୁଡ଼ିପଦର ଓ ବଳରାମପୁର ଗାଁକୁ ନେଇ ଗଠିତ । ଉଭୟ ଗ୍ରାମରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଥିଲା, ହେଲେ ବର୍ତ୍ତମାନ ସବୁ ବିଦ୍ୟାର୍ଥୀ ଆନ୍ଧ୍ରରେ ପଢୁଛନ୍ତି । ଏହି ପଞ୍ଚାୟତ ଓଡ଼ିଶାର ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ରେ ଥିଲେ ହେଁ ଓଡ଼ିଆ ପିଲାଙ୍କ ପାଇଁ ସରକାରୀ ଆନ୍ତରିକତା ନଥିବା ଯୋଗୁଁ ବିଦ୍ୟାଳୟ ବନ୍ଦ ହୋଇଗଲା ବୋଲି କିଛି ଅଭିଭାବକ ଅଭିଯୋଗ କରୁଛନ୍ତି । କେବଳ ଗୁଡ଼ିପଦର ନୁହେଁ, ପାତ୍ରପୁର ବ୍ଲକ୍ର ବଳରାମପୁର, ସବରଦେଇପେଟା, ସରଧାପୁର ଏ ଓ ବି, ଜୟପୁର, ଖାଡ଼ଙ୍ଗା ରାଜେନ୍ଦ୍ରପୁର, ଚିଡ଼ିପୁଡ଼ି, ବାରିବାଡ଼, ଲାଲ କମାଗାଁ, ପାର୍ବତୀପୁର ଓ ପୀତାମ୍ବରପୁର ଭଳି ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ ଗାଁରେ ଓଡ଼ିଆ ବିଦ୍ୟାଳୟ କେଉଁଠି ବନ୍ଦ ପଡ଼ିଛି ତ କେଉଁଠି ନାମକୁ ମାତ୍ର ପିଲା ପଢୁଛନ୍ତି । କେଶରୀପଡ଼ା, ଟୁଟିପୁର ଆଦି ଗାଁର ଓଡ଼ିଆ ଭାଷାଭାଷୀ ପିଲା ମଧ୍ୟ ଆନ୍ଧ୍ର ସ୍କୁଲରେ ପଢୁଛନ୍ତି । ଗୋଟିଏ ପଟେ ପିଲାଙ୍କୁ ବିଦ୍ୟାଳୟମୁଁହା କରିବା ପାଇଁ ପ୍ରବେଶ ଉତ୍ସବ ପାଳିତ ହେଉଛି । ଶିକ୍ଷକ ଶିକ୍ଷୟିତ୍ରୀମାନେ ଘର ଘର ବୁଲି ପିଲାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ଉତ୍ସାହିତ କରୁଛନ୍ତି । ଅଥଚ ସୀମାବର୍ତ୍ତୀ ଏସବୁ ଗାଁରେ ଶହ ଶହ ଓଡ଼ିଆ ପିଲା ନିଜ ମାତୃଭାଷା ଛାଡ଼ି ଆନ୍ଧ୍ର ସ୍କୁଲରେ ତେଲୁକୁ ପଢୁଛନ୍ତି । ମାତୃଭାଷାର ସୁରକ୍ଷା ପାଇଁ ସତେ ଯେମିତି କାହାର ଚିନ୍ତା ନାହିଁ ।
ଆହୁରି ପଢ଼ନ୍ତୁ :- ଓଡ଼ିଶା ଶିକ୍ଷା ମଡେଲ୍କୁ ୟୁନେସ୍କୋର ସଲାମ। ! ସ୍କୁଲକୁ ଫେରୁଛନ୍ତି ଅଧାରୁ ପାଠ ଛାଡ଼ିଥିବା ପିଲା
କେବଳ ପ୍ରଚାର ଓ ସ୍ଲୋଗାନ ଭିତରେ ମାତୃଭାଷା ସୁରକ୍ଷା ସୀମିତ ରହିଥିବା ବେଳେ ଏଦିଗରେ ଆବଶ୍ୟକୀୟ ନିଷ୍ଠାପର ପ୍ରୟାସ ଆଜି ବି ହୋଇପାରିନାହିଁ ବୋଲି ସ୍ଥାନୀୟ ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି । ଶିକ୍ଷାବିତ୍ ପ୍ରଫୁଲ୍ଲ ପାଢ଼ୀ କହିଛନ୍ତି ଯେ- ଓଡ଼ିଶା ସରକାରଙ୍କ ଦ୍ୱିଭାଷିକ ଶିକ୍ଷା ନୀତି ପ୍ରତି ଅନାଗ୍ରହ ଏଭଳି ପରିସ୍ଥିତିର କାରଣ । ୨୦୧୭ରୁ ୨୦୨୩ ମଧ୍ୟରେ ଓଡ଼ିଆ ସ୍କୁଲରେ ପଢୁଥିବା ତେଲୁଗୁ ପିଲାଙ୍କୁ ବହି ନମିଳିବା, ପଢ଼ାଇବାକୁ ଶିକ୍ଷକ ନିଯୁକ୍ତି ନହେବାରୁ ସେମାନେ ଓଡ଼ିଆ ବିଦ୍ୟାଳୟ ଛାଡ଼ି ଆନ୍ଧ୍ର ସ୍କୁଲକୁ ଚାଲିଗଲେ । ତାଙ୍କ ପଛେ ପଛେ ଓଡ଼ିଆ ପିଲା ବି ଅଧିକ ସୁବିଧା ସୁଯୋଗ ଆଶାରେ ସେପଟେ ସ୍କୁଲକୁ ଗଲେ ଏବଂ ଓଡ଼ିଆ ବିଦ୍ୟାଳୟ ବନ୍ଦ ହୋଇଗଲା । ମାତୃଭାଷା ଏକ ଜାତିର ଗର୍ବ, ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ବୋଲି କହନ୍ତି ରାଜ୍ୟସ୍ତରୀୟ ଶିକ୍ଷକ ନେତା ରାଜେଶ ମହାନ୍ତି । ଏବେ ବି ବହୁ ଶବ୍ଦ ଇଂରାଜୀ ଭାଷାରେ ବହୁଳ ଭାବରେ ବ୍ୟବହୃତ ହେଉଛି । ଅନେକ ଶବ୍ଦର ଓଡ଼ିଆ ଅନୁବାଦ କରି ଓଡ଼ିଆ ମାଧ୍ୟମରେ ଯଥେଷ୍ଟ ଉନ୍ନତି ଅଣାଯିବାର ଆବଶ୍ୟକତା ଅଛି ବୋଲି କହନ୍ତି ଆନ୍ଧ୍ର ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ଭାଷା ସଂଗ୍ରାମର କର୍ମକର୍ତ୍ତା ସ୍ୱଦେଶ ସୁନ୍ଦର ପଟ୍ଟନାୟକ । ପାତ୍ରପୁର ଏବିଇଓ ସୀମାଞ୍ଚଳ ପାଇକ ମଧ୍ୟ ସ୍ୱୀକାର କରିଛନ୍ତି ଯେ- ତେଲୁଗୁ ପୁସ୍ତକ ଯୋଗାଇବା ଓ ପିଲାଙ୍କୁ ତେଲୁଗୁ ଭାଷାରେ ପଢ଼ାଇବା ସମସ୍ୟା ସହ ଆନ୍ଧ୍ର ସରକାରଙ୍କ ବିଭିନ୍ନ ସ୍କିମ୍ରେ ଆକର୍ଷିତ ହୋଇ ପିଲାଏ ସେପଟ ସ୍କୁଲକୁ ଯାଉଛନ୍ତି ।