ଭୁବନେଶ୍ୱର, ୨୧।୨: ମଡେଲ୍ ସାଜିଛି ଓଡ଼ିଶାର ବହୁଭାଷୀ ଶିକ୍ଷା । ଓଡ଼ିଶାର ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା (ଏମ୍‌ବିଟି-ଏମ୍ଏଲ୍ଇ) ଦେଶରେ ଚର୍ଚ୍ଚାରେ ରହିବା ସହ ଧ୍ୟାନ ଆକର୍ଷଣ କରିଛି । ଯାହା ଭାଷା ଉପରେ ପ୍ରକାଶିତ ଭାରତ ଶିକ୍ଷା ରିପୋର୍ଟ-୨୦୨୫ କହିଛି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜନଜାତି ଅଞ୍ଚଳରେ ଶିକ୍ଷାର ପ୍ରସାର ଏବଂ ସାକ୍ଷରତା ବୃଦ୍ଧି ପାଇଁ ସରକାର ଆପଣାଇଥିଲେ ଏମ୍ଟିବିଏମ୍ଏଲ୍ଇ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଲଚିକି ଭାଷାରେ ତାଙ୍କ ପାଠ ପଢ଼ାଯିବ । ପାଠ ସହଜ ହେବ । ଆଶ୍ଚର୍ଯ୍ୟର କଥା, ଏହି କାର୍ଯ୍ୟକ୍ରମ ପରେ ଜନଜାତି ଅଞ୍ଚଳରେ ଡ୍ରପ୍ଆଉଟ୍ ହାର କମିଛି । ଅଧାରୁ ପାଠ ଛାଡ଼ିଦେଉଥିବା ଛାତ୍ରଛାତ୍ରୀ ପୁଣି ସ୍କୁଲକୁ ଫେରିଛନ୍ତି । ସରକାରଙ୍କର ମଧ୍ୟ ସେହି ଉଦ୍ଦେଶ୍ୟ ଥିଲା ମାତୃଭାଷା ଭିତ୍ତିକ ଶିକ୍ଷା ଗ୍ରହଣ କରି ଆଦିବାସୀ ଶିକ୍ଷାକୁ ସୁଦୃଢ଼ କରିବା । ସେହି ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଆଭିମୁଖ୍ୟକୁ ୟୁନେସ୍କୋ ପ୍ରଶଂସା କରିଛି ।

ଏହା ବି ପଢ଼ନ୍ତୁ... କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ବିରୋଧରେ ଶୂନ୍ୟ ସହନଶୀଳତା, ସୁରକ୍ଷା ପ୍ରସଙ୍ଗରେ ହେବନି ସାଲିସ୍

ଭାରତ ଶିକ୍ଷା ରିପୋର୍ଟରେ ଗୁରୁତ୍ୱାରୋପ ସ୍ୱରୂପ ଓଡ଼ିଶାରେ ପ୍ରଦାନ କରାଯାଉଥିବା ବହୁଭାଷା ଭିତ୍ତିକ ଶିକ୍ଷାକୁ ବି ଭୂୟସୀ ପ୍ରଶଂସା ମିଳିଛି । ରିପୋର୍ଟରେ ଉଦାହରଣ ସ୍ୱରୂପ ଓଡ଼ିଶାର ଏମ୍ଟିବି-ଏମ୍ଏଲ୍ଇକୁ ମଡେଲ୍ ଭାବରେ ଉପସ୍ଥାପିତ କରାଯାଇଛି । ଯାହାକୁ ଅନ୍ୟ ରାଜ୍ୟଗୁଡ଼ିକ ଆପଣାଇପାରିବେ ବୋଲି କୁହାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି, ରାଜ୍ୟର ଏହି ମଡେଲ୍ ଦ୍ୱାରା ପିଲାଙ୍କ ମଧ୍ୟରେ ପାଠପଢ଼ାରେ ଆଗ୍ରହ ସହ ଉନ୍ନତି ପରିଲକ୍ଷିତ ହୋଇଛି । ୨୦୦୭-୦୮ ମସିହାରୁ ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସହାୟତାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏମ୍ଟିବିଏମ୍ଏଲ୍ଇ କାର୍ଯ୍ୟକାରୀ ହେଉଛି । ପ୍ରାରମ୍ଭିକ ଶ୍ରେଣୀରେ ଏହା ପ୍ରଚଳନ କରିବାରେ ଓଡ଼ିଶା ଅଗ୍ରଣୀ ବୋଲି କୁହାଯାଇଛି । ଏହା ଭାରତରେ ସବୁଠାରୁ ପରିବର୍ତ୍ତନକାରୀ ବହୁଭାଷୀ ଶିକ୍ଷା ପଦକ୍ଷେପ ମଧ୍ୟରୁ ଅନ୍ୟତମ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦିଆଯାଏ । ପରେ ଓଡ଼ିଆ ଏବଂ ଇଂରାଜୀ ଭାଷାକୁ ବିଷୟ ଭାବରେ ପଢ଼ାଯାଏ ।

ଓଡ଼ିଶାର ଏମ୍ଟିବି-ଏମ୍ଏଲ୍ଇ କାର୍ଯ୍ୟକ୍ରମରେ ୧୭ଟି ଜିଲ୍ଲାର ୨୧ଟି ଆଦିବାସୀ ଭାଷାରେ ନିଜ ମାତୃଭାଷା ଆଧାରିତ ଶିକ୍ଷା ଦିଆଯାଉଛି । ‘ସଂହତି’ ପ୍ରକଳ୍ପ ମାଧ୍ୟମରେ ୧୪୮୫ରୁ ଅଧିକ ବିଦ୍ୟାଳୟରେ ଚାଲୁରହିଛି । ୩୩୬୪ ଜଣ ଶିକ୍ଷା ସହାୟକ ଏବଂ ୨୩୧ ଜଣ ସ୍ୱତନ୍ତ୍ର ଭାଷା ଶିକ୍ଷକ ନିଯୁକ୍ତ ହୋଇଛନ୍ତି ।ଏନେଇ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବି ଦିଆଯାଉଛି । ଅଧିକ ବିଦ୍ୟାଳୟରେ ଲାଗୁ ପାଇଁ ୮୧୭ଟି ଅତିରିକ୍ତ ବିଦ୍ୟାଳୟକୁ ଚିହ୍ନଟ ହୋଇଛି । ଆଗାମୀ ଦିନରେ ୨୦୦ ଶିକ୍ଷକ ପଦବି ପୂରଣ ନେଇ ବି ଯୋଜନା ରହିଛି । ଓଡ଼ିଶାର ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ମାଲକାନଗିରି, ଗଜପତି, ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁରରେ ଏମ୍‌ଟିବି-ଏମ୍ଏଲ୍ଇ ପ୍ରଣାଳୀରେ ଶିକ୍ଷାଦାନ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ସାନ୍ତାଳୀ, ସଉରା, ମୁଣ୍ଡା, କୋୟା, କୁଭି, କୁଇ, କିଶାନ, ଓରାମ, ଜୁଆଙ୍ଗ ଓ ଅନ୍ୟାନ୍ୟ ଆଦି ଭାଷାରେ ଶିକ୍ଷାଦାନ କରାଯାଉଛି । ନିର୍ଦ୍ଦିଷ୍ଟ ଆଦିବାସୀ ଭାଷାର ୯୦%ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକରେ ଏହା କାର୍ଯ୍ୟକାରୀ କରାଯାଉଛି ।