ଆଜିର ବିଶ୍ୱ ପରିପ୍ରେକ୍ଷୀରେ ଗୋଟିଏ ରାଷ୍ଟ୍ରର ଶକ୍ତି କେବଳ ତାହାର ସାମରିକ ସାମର୍ଥ୍ୟ କିମ୍ବା ଅର୍ଥନୈତିକ ସମୃଦ୍ଧିରେ ସୀମିତ ହୋଇ ରହିନାହିଁ³ ବରଂ ସେହି ଦେଶର ସାହିତ୍ୟ, ସଂସ୍କୃତି, ଭାଷା ଓ ଚିନ୍ତନ ହିଁ ତା'ର ଅସଲ ପରିଚୟର ମୂଳଦୁଆ ସାଜିଛି । ଏହି ପୃଷ୍ଠଭୂମିରେ, ଗତ ଏପ୍ରିଲ ୨୧ରୁ ମେ ୪ ପର୍ଯ୍ୟନ୍ତ ଆୟୋଜିତ ୩୮ତମ ବୋଗୋଟା ଅନ୍ତର୍ଜାତୀୟ ପୁସ୍ତକ ମେଳା ((FILBo)- ୨୦୨୬ରେ ଭାରତର ସମ୍ମାନଜନକ "ଗେଷ୍ଟ ଅଫ୍ ଅନର' ଭାବେ ଅଂଶଗ୍ରହଣ, କେବଳ ଏକ ଆନୁଷ୍ଠାନିକ ଉପସ୍ଥିତି ନଥିଲା, ବରଂ ଏହା ଥିଲା ଭାରତୀୟ ସଭ୍ୟତାର ଏକ ବିଶ୍ୱସ୍ତରୀୟ ମହାମିଳନ ।
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଲାଟିନ ଆମେରିକାର ଏହି ବିଶାଳ ସାହିତ୍ୟିକ ମଞ୍ଚରେ ଭାରତ ନିଜର ପ୍ରାଚୀନ ଜ୍ଞାନ ପରମ୍ପରା, ଆଧ୍ୟାତ୍ମିକ ଚେତନା ଏବଂ ସାହିତ୍ୟିକ ବିଭବକୁ ଯେଭଳି ଭାବେ ଉପସ୍ଥାପିତ କଲା, ତାହା ବିଶ୍ୱବାସୀଙ୍କ ମାନସପଟରେ ଏକ ଅଭୁଲା ଛାପ ଆଙ୍କିଦେଇଛି । ତେବେ ଏହି ବିଶ୍ୱସ୍ତରୀୟ ଆୟୋଜନରେ ସବୁଠାରୁ ଗୌରବର ବିଷୟ ଥିଲା- ଓଡ଼ିଆ ସାହିତ୍ୟ ଓ ଭାଷାର ସ୍ୱତନ୍ତ୍ର ଉଜ୍ଜ୍ୱଳତା । ସେଠାରେ ଅନୁଷ୍ଠିତ ବିଭିନ୍ନ ପାଠଚକ୍ର ଓ ସମ୍ବାଦରେ ଓଡ଼ିଆ ସାରସ୍ୱତ ସାଧକଙ୍କ କାଳଜୟୀ କଲମର ଯେଉଁଭଳି ଭାବେ ଚର୍ଚ୍ଚା ଓ ଆଲୋଚନା ହେଲା, ତାହା ସୂଚାଇ ଦେଉଛି ଯେ ଆମ ଭାଷାର ମହକ ଆଜି ସୁଦୂର କୋଲମ୍ବିଆର ମାଟିକୁ ମଧ୍ୟ ବିମୋହିତ କରିପାରିଛି ।
୧୯୮୮ ମସିହାରୁ କୋଲମ୍ବିଆର ରାଜଧାନୀ ବୋଗୋଟାରେ ନିରନ୍ତର ଭାବେ ଆୟୋଜିତ ହୋଇଆସୁଥିବା ଏହି ଅନ୍ତର୍ଜାତୀୟ ପୁସ୍ତକ ମେଳା, ଆଜି ସ୍ପାନିଶ ଭାଷାଭାଷୀ ବିଶ୍ୱର ଏକ ପ୍ରମୁଖ ସାରସ୍ୱତ ମହାକୁମ୍ଭ ଭାବେ ସ୍ୱୀକୃତି ଲାଭ କରିଛି । ପ୍ରତିବର୍ଷ ଏଠାରେ ବିଶ୍ୱର ଏକ ଅଗ୍ରଣୀ ସାଂସ୍କୃତିକ ରାଷ୍ଟ୍ରକୁ ‘ଗେଷ୍ଟ ଅଫ୍ ଅନର' ଭାବେ ନିମନ୍ତ୍ରଣ କରାଯାଏ ଏବଂ ଚଳିତ ବର୍ଷ ଏହି ସମ୍ମାନ ଭାରତକୁ ମିଳିଥିଲା । ଲକ୍ଷାଧିକ ପାଠକ, ପ୍ରକାଶକ, ବିଶିଷ୍ଟ ଲେଖକ ଓ ଦାର୍ଶନିକଙ୍କ ଏହି ମହାମିଳନରେ ଭାରତୀୟ ପ୍ୟାଭିଲିଅନ୍ କେବଳ ପୁସ୍ତକ ପ୍ରଦର୍ଶନୀର କେନ୍ଦ୍ର ନଥିଲା, ବରଂ ଏହା ଥିଲା ଏକ ଜୀବନ୍ତ ସଭ୍ୟତାର ଅନୁଭବ । ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବସୁଧୈବ କୁଟୁମ୍ବକମ୍' ଆଦର୍ଶ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ବିଶ୍ୱବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ଭାରତୀୟ ପ୍ୟାଭିଲିଅନ୍ । ଏଠାରେ ୫୦ରୁ ଅଧିକ ଶିଶୁ ପୁସ୍ତକର ସ୍ପାନିଶ ଅନୁବାଦ ପ୍ରଦର୍ଶିତ ହେବା ସହ ପ୍ରଧାନମନ୍ତ୍ରୀଙ୍କ ‘‘Read & Explore India’ ମନ୍ତ୍ର ଆଧାରରେ ଭାରତୀୟ ଜ୍ଞାନ ପରମ୍ପରାର ପ୍ରସାର କରାଯାଇଥିଲା ।
ଏହି ପରିସର ମଧ୍ୟରେ ବେଦ, ଉପନିଷଦ, ଯୋଗ ଓ ଆୟୁର୍ବେଦଠାରୁ ଆରମ୍ଭକରି ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର, ଫକୀରମୋହନ, ଭୀମଭୋଇ, ପ୍ରାଚୀନ ନାଳନ୍ଦା ଏବଂ ଆଧୁନିକ ଡିଜିଟାଲ ଭାରତ ପର୍ଯ୍ୟନ୍ତ ସବୁକିଛି ଏକ ସଜୀବ ସଂଳାପର ରୂପ ନେଇଥିଲା । ତେବେ ସବୁଠାରୁ ଆନନ୍ଦର ବିଷୟ ହେଉଛି, ଏହି ବିଶାଳ ପରିଧି ଭିତରେ ଓଡ଼ିଆ ସାହିତ୍ୟ ଓ ଓଡ଼ିଶାର ସଂସ୍କୃତି ଯେଭଳି ଭାବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଲା, ତାହା ବିଶ୍ୱ ଦରବାରରେ ଓଡ଼ିଆ ଭାଷା ପାଇଁ ଏକ ନୂତନ ଆଶାର ସଞ୍ଚାର କରିଛି ।
ଭାରତୀୟ ପ୍ରତିନିଧି ଦଳରେ ଓଡ଼ିଶାରୁ ମୋ ସହ ଯୋଗ ଦେଇଥିଲେ ଡାକ୍ତର ବିଭୁଦତ୍ତ ପ୍ରମୋଦ ମିଶ୍ର । ସେଠାରେ ଓଡ଼ିଆ ସାହିତ୍ୟର ଗାମ୍ଭୀର୍ଯ୍ୟ, ଆଧ୍ୟାତ୍ମିକ ଚେତନା, ଆମର ସମୃଦ୍ଧ ଜ୍ଞାନ ପରମ୍ପରା ଓ ଭାଷାର ସୌନ୍ଦର୍ଯ୍ୟ ସମ୍ପର୍କରେ ହୋଇଥିବା ମତ-ବିନିମୟ କୋଲମ୍ବିଆ ତଥା ଲାଟିନ ଆମେରିକାର ପାଠକମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଏହା କେବଳ ଏକ ଆଞ୍ଚଳିକ ଭାଷାର ପରିଚୟ ପ୍ରଦାନ ନଥିଲା, ବରଂ ଏହା ଥିଲା ଓଡ଼ିଶାର ମହାନ ସଭ୍ୟତାକୁ ବିଶ୍ୱ ସମ୍ମୁଖରେ ଅତି ନିବିଡ଼ ଭାବେ ଉପସ୍ଥାପନ କରିବାର ଏକ ସାରସ୍ୱତ ପ୍ରୟାସ ।
ଏହି ବିଶ୍ୱ ପୁସ୍ତକ ମେଳାରେ ସବୁଠାରୁ ଉତ୍ସାହଜନକ ବିଷୟ ଥିଲା ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ଫକୀରମୋହନ ସେନାପତିଙ୍କ କୃତିକୁ ନେଇ ପାଠକମାନଙ୍କ ଅନନ୍ୟ ଆଗ୍ରହ । ‘ରେବତୀ' କାହାଣୀର ପରିସର ମଧ୍ୟରେ ଓଡ଼ିଆ ସମାଜ ଯେ କାଳକାଳରୁ ନାରୀଶିକ୍ଷା ଓ ସାମାଜିକ ସଂସ୍କାର ପ୍ରତି ସଚେତନ ଥିଲା, ସେହି ବାର୍ତ୍ତା ବିଶ୍ୱମଞ୍ଚରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ବିଶେଷକରି ‘ଛଅ ମଣ ଆଠ ଗୁଣ୍ଠ'ର ସାମାଜିକ ବାସ୍ତବବାଦ, ଗ୍ରାମୀଣ ଜୀବନର ସଂଘର୍ଷ ଏବଂ ଉପନିବେଶବାଦୀ ଶୋଷଣର ନିଚ୍ଛକ ଚିତ୍ରଣ ଲାଟିନ ଆମେରିକାର ପାଠକଙ୍କୁ ନିଜ ଇତିହାସ ସହ ଯୋଡ଼ିବାରେ ସହାୟକ ହୋଇଥିଲା । ଗାବ୍ରିଏଲ ଗାର୍ସିଆ ମାର୍କେଜ କିମ୍ବା ମାରିଓ ଭାର୍ଗାସ ଲ୍ୟୋସାଙ୍କ ସାହିତ୍ୟରେ ସେମାନେ ଯେଉଁ ସାମାଜିକ ଅସମାନତା ଓ ମାନବୀୟ ସଂଘର୍ଷର ସ୍ୱର ଶୁଣନ୍ତି ତାହାର ପ୍ରତିଧ୍ୱନି ସେମାନେ ଫକୀରମୋହନ, ଗଙ୍ଗାଧର ମେହେର ଏବଂ ଗୋପୀନାଥ ମହାନ୍ତିଙ୍କ ଲେଖନୀରେ ଅନୁଭବ କରିପାରିଥିଲେ । ବୋଗୋଟା ପୁସ୍ତକ ମେଳାରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସହିତ ଓଡ଼ିଆ ସାହିତ୍ୟର ଏହି ତିନିଜଣ ସାରସ୍ୱତ ସାଧକଙ୍କ ଉପସ୍ଥିତି ପ୍ରମାଣ କରିଥିଲା ଯେ, ସାହିତ୍ୟ କେବେହେଲେ ଭୌଗୋଳିକ ସୀମା ଭିତରେ ଆବଦ୍ଧ ହୋଇ ରହେନାହିଁ ।
ଅନୁରୂପ ଭାବେ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ-ସମ୍ଭାରକୁ ନେଇ ଅନୁଷ୍ଠିତ ଆଲୋଚନା ମଧ୍ୟ ସେଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଓଡ଼ିଆ ଭାଷାର କଳାତ୍ମକ ଅଳଙ୍କାର, ଶବ୍ଦର ମୂର୍ଚ୍ଛନା, ଛନ୍ଦର ଚମତ୍କାରିତା ଏବଂ କାବ୍ୟ ନିର୍ମାଣର ଗଭୀରତା ବିଦେଶୀ ଗବେଷକମାନଙ୍କୁ ବିସ୍ମିତ କରିଥିଲା । ‘ବୈଦେହୀଶ ବିଳାସ' ଭଳି କାଳଜୟୀ କୃତିର ପୁଙ୍ଖାନୁପୁଙ୍ଖ ଆଲୋଚନା ବେଳେ ଏହା ସ୍ପଷ୍ଟ ହୋଇଥିଲା ଯେ, ଓଡ଼ିଆ ଭାଷା କେବଳ ସଂପ୍ରେଷଣର ଏକ ମାଧ୍ୟମ ନୁହେଁ, ବରଂ ଏହା ଏକ ଶାସ୍ତ୍ରୀୟ ଐଶ୍ୱର୍ଯ୍ୟରେ ମଣ୍ଡିତ ଭାଷା । ଯେଉଁ ମାତୃଭାଷାକୁ ଆମେ ଦୈନନ୍ଦିନ ଜୀବନରେ ସହଜଭାବେ ଗ୍ରହଣ କରୁଛୁ, ତାହାର ସାହିତ୍ୟିକ ଗଭୀରତା ଯେ ଦୂରଦୂରାନ୍ତର ପାଠକମାନଙ୍କ ମନରେ ଏତେ ବଡ଼ ଜିଜ୍ଞାସା ଓ ସମ୍ମାନ ସୃଷ୍ଟି କରିପାରେ, ତାହା ପ୍ରକୃତରେ ଗୌରବର ବିଷୟ ।
ଏହି ସାରସ୍ୱତ ଆଲୋଚନାରେ ସନ୍ଥକବି ଭୀମ ଭୋଇଙ୍କ ମାନବତାବାଦୀ ଚିନ୍ତାଧାରା ଏକ ଗଭୀର ପ୍ରତିଧ୍ୱନି ସୃଷ୍ଟି କରିଥିଲା । "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’, ଏହି ମହାନ ବାଣୀକୁ ସେଠାରେ କେବଳ ଏକ ଆଧ୍ୟାତ୍ମିକ ଉକ୍ତିଭାବେ ନୁହେଁ, ବରଂ ଏକ ସାର୍ବଜନୀନ ମାନବୀୟ ଇସ୍ତାହାର ଭାବେ ଗ୍ରହଣ କରାଯାଇଥିଲା । ଆଜିର ବିଶ୍ୱ ଯେତେବେଳେ ଯୁଦ୍ଧ, ହିଂସା ଏବଂ ବିଭାଜନର କରାଳ ଗ୍ରାସରେ ଛଟପଟ ହେଉଛି, ସେତେବେଳେ ଭୀମ ଭୋଇଙ୍କ କରୁଣା ଓ ସମାଜମୁଖୀ ଦର୍ଶନ ବିଶ୍ୱବାସୀଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୋଇଥିଲା । ସେହିପରି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ "ବିଶ୍ୱ ଦେଖ ମଧୁମୟରେ ଜୀବନ’ ବାର୍ତ୍ତା ପାଠକମାନଙ୍କ ମନରେ ଏକ ସକାରାତ୍ମକ ଜୀବନବୋଧ ସଞ୍ଚାର କରିଥିଲା ।
କେବଳ ସାହିତ୍ୟ ନୁହେଁ, ବରଂ କୋଣାର୍କର ଅନନ୍ୟ ଶିଳ୍ପକଳା, ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହିମା ଧର୍ମର ଆଦର୍ଶକୁ ନେଇ ମଧ୍ୟ ବିଭିନ୍ନ ଅଧିବେଶନରେ ଗମ୍ଭୀର ଚର୍ଚ୍ଚା ହୋଇଥିଲା । ବିଦେଶୀ ଶ୍ରୋତା ଓ ଗବେଷକମାନଙ୍କ ପାଇଁ ଏହା ଏକ ବିସ୍ମୟକର ଅନୁଭୂତି ଥିଲା ଯେ, ଭାରତୀୟ ସଂସ୍କୃତିର ମୂଳ ଆତ୍ମା କେବଳ କୌଣସି ଗୋଟିଏ ଧାରାରେ ଆବଦ୍ଧ ନୁହେଁ, ବରଂ ଓଡ଼ିଶା ଭଳି ବିଭିନ୍ନ ଅଞ୍ଚଳର ସମୃଦ୍ଧ ପରମ୍ପରାର ସମନ୍ୱୟରେ ଏହା ପରିପୂର୍ଣ୍ଣ । ଜଗନ୍ନାଥ ସଂସ୍କୃତିର ସମାବେଶୀ ଦର୍ଶନ, କୋଣାର୍କର ଶୈଳ୍ପିକ ସୌନ୍ଦର୍ଯ୍ୟ ଏବଂ ପଞ୍ଚସଖାଙ୍କ ଭକ୍ତି ପରମ୍ପରା ଲାଟିନ ଆମେରିକାର ଅନେକ ଗବେଷକଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବା ସହ ଆମ ସଭ୍ୟତାର ଏକ ବଳିଷ୍ଠ ପରିଚୟ ପ୍ରଦାନ କରିଥିଲା ।
ଭାରତର ଶିକ୍ଷାବ୍ୟବସ୍ଥା ଓ ବିଶ୍ୱ ନାଗରିକ ଚିନ୍ତନ ଉପରେ ଚର୍ଚ୍ଚାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ଦେଇଥିବା ଉକ୍ତି ବେଶ୍ ମନଛୁଆଁ ଥିଲା । ତାଙ୍କ ମତରେ, ଭାରତର ନୂତନ ଜାତୀୟ ଶିକ୍ଷାନୀତି ଓଡ଼ିଶାର ବକୁଳ ବନର ଶିକ୍ଷାବ୍ୟବସ୍ଥା ଉପରେ ଆଧାରିତ । ଏହି ପରିପ୍ରେକ୍ଷୀରେ ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟର ସେହି ମହାନ ମାନବବାଦୀ ଶିକ୍ଷା ପରମ୍ପରା ସମ୍ପର୍କରେ ହୋଇଥିବା ଆଲୋଚନା ବିଶ୍ୱବାସୀଙ୍କୁ ବେଶ୍ ପ୍ରଭାବିତ କରିଥିଲା । ବୋଗୋଟାର ଏହି ଅନୁଭବ ଏକ ବିରାଟ ସତ୍ୟକୁ ଉନ୍ମୋଚିତ କରିଛି ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଭିତରେ ଥିବା ମାନବୀୟ ଚେତନାର ଏକ ସାର୍ବଜନୀନ ଆକର୍ଷଣ ରହିଛି । ଭାଷା ଆଞ୍ଚଳିକ ହୋଇପାରେ, କିନ୍ତୁ ଶ୍ରେଷ୍ଠ ଚିନ୍ତାଧାରା କେବେହେଲେ ଭୌଗୋଳିକ ସୀମାରେ ଆବଦ୍ଧ ରହେନାହିଁ । ଫକୀରମୋହନଙ୍କ ସାମାଜିକ ସଚେତନତା, ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟିକ ସୌନ୍ଦର୍ଯ୍ୟ, ଭୀମ ଭୋଇଙ୍କ କରୁଣା ଏବଂ ଗଙ୍ଗାଧର ମେହେରଙ୍କ ଜୀବନଦର୍ଶନ, ଏ ସମସ୍ତର ସମନ୍ୱୟ ଓଡ଼ିଆ ସାହିତ୍ୟକୁ ଏକ ବିଶ୍ୱସ୍ତରୀୟ ମାନବୀୟ ସଂଳାପରେ ପରିଣତ କରିବାର ସାମର୍ଥ୍ୟ ରଖେ ।
ତେବେ ଏହି ସାରସ୍ୱତ ଅନୁଭବ ଆମକୁ ଏକ ବଡ଼ ଦାୟିତ୍ୱବୋଧ ମଧ୍ୟ ସ୍ମରଣ କରାଇଦେଇଛି । ବିଶ୍ୱ ଯେତେବେଳେ ଓଡ଼ିଆ ସାହିତ୍ୟକୁ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛି, ସେତେବେଳେ ଆମର ଏହି ସମୃଦ୍ଧ କୃତିଗୁଡ଼ିକୁ ବିଶ୍ୱର ପ୍ରମୁଖ ଭାଷାରେ ପହଞ୍ଚାଇବାର ପ୍ରୟାସ ଆହୁରି ଗତିଶୀଳ ହେବା ଆବଶ୍ୟକ । ଆଜି ମଧ୍ୟ ବିଶ୍ୱ ଦରବାରରେ ‘ଭାରତୀୟ ସାହିତ୍ୟ' କହିଲେ ପ୍ରାୟତଃ ହିନ୍ଦୀ କିମ୍ବା ଇଂରାଜୀ ଲେଖାକୁ ହିଁ ବୁଝାଯାଏ । ଓଡ଼ିଆ ସାହିତ୍ୟର ଏତେ ବିଶାଳ ଓ ବୈଭବଶାଳୀ ପରମ୍ପରା ଥାଇ ମଧ୍ୟ ଏହା ସେହି ମାପରେ ବିଶ୍ୱ ପରିସରରେ ପହଞ୍ଚି ନପାରିବାର ପ୍ରମୁଖ କାରଣ ହେଉଛି- ଉଚ୍ଚକୋଟୀର ଅନୁବାଦର ଅଭାବ ।
ଆଜିର ବିଶ୍ୱରେ ଫକୀରମୋହନ ସେନାପତି, ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ, ଭୀମ ଭୋଇ, ଗଙ୍ଗାଧର ମେହେରଙ୍କ ଭଳି କାଳଜୟୀ ସ୍ରଷ୍ଟାଙ୍କ ସମେତ ଗୋପୀନାଥ ମହାନ୍ତି, ମନୋଜ ଦାସ, ସୀତାକାନ୍ତ ମହାପାତ୍ର ଓ ପ୍ରତିଭା ରାୟଙ୍କ ଭଳି ମହାନ ସାରସ୍ୱତ ସାଧକମାନଙ୍କ କୃତିକୁ ସ୍ପାନିଶ୍ ସମେତ ବିଭିନ୍ନ ବିଶ୍ୱଭାଷାରେ ବ୍ୟାପକ ଭାବେ ଅନୁବାଦ କରିବାର ସମୟ ଆସିଛି । ମନେ ରଖିବାକୁ ହେବ ଯେ, ଅନୁବାଦ କେବଳ ଶବ୍ଦର ରୂପାନ୍ତର ନୁହେଁ, ବରଂ ଏହା ଏକ ସଂସ୍କୃତିକୁ ଅନ୍ୟ ଏକ ସଂସ୍କୃତି ସହ ଯୋଡ଼ିବାର ଏକ ସାରସ୍ୱତ ସେତୁ। ବୋଗୋଟା ପୁସ୍ତକ ମେଳାରେ ଭାରତୀୟ ପୁସ୍ତକର ସ୍ପାନିଶ୍ ଅନୁବାଦ ପ୍ରତି ଯେଭଳି ଆଗ୍ରହ ପରିଲକ୍ଷିତ ହେଲା, ସେହିପରି ଓଡ଼ିଆ ସାହିତ୍ୟର ସଫଳ ଅନୁବାଦ ହୋଇପାରିଲେ ଏହା ଲାଟିନ୍ ଆମେରିକାର ପାଠକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ ।
ଏହି ମେଳା ଆଉ ଗୋଟିଏ ବଡ଼ ସତ୍ୟକୁ ମଧ୍ୟ ସ୍ପଷ୍ଟ କରିଛି- ଭାରତର ‘ସଫ୍ଟ ଡିପ୍ଲୋମେସି' ବା ସାଂସ୍କୃତିକ କୂଟନୀତିର ପ୍ରକୃତ ଶକ୍ତି ହେଉଛି ଏହାର ବିବିଧତା । ଭାରତକୁ କେବଳ ଗୋଟିଏ ଭାଷା କିମ୍ବା ଗୋଟିଏ ସଂସ୍କୃତିର ପରିଧି ଭିତରେ ବୁଝିବା ଅସମ୍ଭବ । ବରଂ ଭାରତର ପୂର୍ଣ୍ଣାଙ୍ଗ ପରିଚୟ ପାଇଁ ଓଡ଼ିଶାର ଜଗନ୍ନାଥ ସଂସ୍କୃତି, ଭୀମ ଭୋଇଙ୍କ ଅସୀମ କରୁଣା, ଫକୀରମୋହନଙ୍କ ପ୍ରଖର ସାମାଜିକ ଚେତନା ଏବଂ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟିକ ସୌନ୍ଦର୍ଯ୍ୟକୁ ବୁଝିବା ନିତାନ୍ତ ଆବଶ୍ୟକ ।
କୋଲମ୍ବିଆର ଏହି ଅନୁଭୂତି କେବଳ ଏକ ପୁସ୍ତକ ମେଳାର ସ୍ମୃତି ହୋଇ ରହିନାହିଁ, ବରଂ ଏହା ଏକ ଶୁଭ ସଂକେତ ଯେ ଓଡ଼ିଶାର କଲମ ଏବେ ବିଶ୍ୱ ସହ ସଂଳାପ ଆରମ୍ଭ କରିଛି। ଆମ ଭାଷା ଓ ସାହିତ୍ୟ କାଳଜୟୀ ଏବଂ ଏହା ବିଶ୍ୱର ଚିନ୍ତନକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖେ । ବୋଗୋଟାର ସେହି ମଞ୍ଚରେ ଓଡ଼ିଆ ଭାଷାର ଯେଉଁ ସ୍ୱର ଶୁଣାଯାଇଥିଲା, ତାହା ଆଗାମୀ ଦିନରେ ନିଶ୍ଚୟ ସାରା ବିଶ୍ୱରେ ପ୍ରତିଧ୍ୱନିତ ହେବ । କୋଲମ୍ବିଆରେ ଆଦୃତ ହୋଇଥିବା ଓଡ଼ିଆ କଲମର ଏହି ଯାତ୍ରା ସଫଳ ଓ କାଳଜୟୀ ହେଉ, ଏହା ହିଁ ଜଣେ ଓଡ଼ିଆ ଭାବେ ମୋର ଏକମାତ୍ର ଆଶା ।