ଭୁବନେଶ୍ୱର, ୦୧/୦୩: ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି । ଜଣେ ୟୁଟ୍ୟୁବରଙ୍କୁ ୩ ଜଣ ଯୁବକ ଶନିବାର ରାତିରେ ଛୁରି ଭୁସି ହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ଜିଜିପି କଲୋନୀରେ ରହୁଥିବା ରାହୁଲ ମହାରଣା(୩୨) । ରାତି ସାଢ଼େ ୯ଟା ବେଳେ ସେ ଜିଜିପି କଲୋନୀ ସ୍କୁଲ ପଡ଼ିଆରେ ସାଙ୍ଗ ସହିତ ବସିଥିବା ବେଳେ ୩ ଜଣ ଯୁବକ ଏକ ବାଇକ୍ରେ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଛୁରି ଭୁସି ଦେଇ ପଳାଇଥିଲେ । ରାହୁଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ନିକଟସ୍ଥ ଏକ ମେଡିକାଲ୍ କଲେଜକୁ ନିଆଯାଇଥିଲା । ସେଠାରୁ ପୁଣି ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା । ତାଙ୍କୁ ଫେରାଇ ଦେବାରୁ ଶେଷରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ରାହୁଲଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ରାହୁଲଙ୍କର ପଳାଶୁଣି ଛକରେ ଏକ ଇଣ୍ଡଷ୍ଟ୍ରିଆଲ୍ ଗ୍ୟାସ୍ ଦୋକାନ ରହିଛି । ୬ ମାସ ତଳେ ତାଙ୍କ ଦୋକାନ ସାମ୍ନାରେ ପାର୍କିଂକୁ ନେଇ ତାଙ୍କର ଜଣେ କାର୍ ମାଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗ ଆଧାରରେ ରାହୁଲଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । ଜାମିନ୍ରେ ଆସିବା ପରେ ଏହାକୁ ନେଇ ପରବର୍ତ୍ତୀ ସମୟରେ ରାହୁଲ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଅଭିଯୋଗକାରୀ ପଳାଶୁଣି ଅଞ୍ଚଳରେ ରୁହନ୍ତି । ସେ ରାହୁଲଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ପୁଅ ହୋଇଥିବାରୁ ସେ ସୁପାରି ଦେଇ ଏହି ହତ୍ୟା କରିଥିବା ନେଇ ପରିବାର ଲୋକେ ପୁଲିସକୁ କହିଛନ୍ତି । ରାହୁଲଙ୍କର କେବଳ ଜଣେ ଶତ୍ରୁ ଥିଲେ ବୋଲି ସମ୍ପର୍କୀୟମାନେ କହିଛନ୍ତି ।
ଗତ ଡିସେମ୍ବର ମାସରେ ରାହୁଲଙ୍କର ବାହାଘର ହୋଇଥିଲା । ସ୍ୱାମୀ-ସ୍ତ୍ରୀ ଦୁହେଁ ଭିଡିଓ କରି ୟୁଟୁବ୍ରେ ଛାଡୁଥିଲେ। ତାଙ୍କର ସମର୍ଥକମାନେ ଏହି ଖବର ପାଇବା ପରେ ଘରେ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । ରାହୁଲଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ରସୁଲଗଡ଼ ଥାନା ପୁଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ଆଡ଼େ ଚଢ଼ଉ ଚଳାଇଛି । ତେବେ ଆକ୍ରମଣକାରୀ ଯୁବକମାନେ ଅଣଓଡ଼ିଆ ବୋଲି ଜଣାପଡ଼ିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ନା ସୁଧ କାରବାର ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।
ଅଧିକ ପଢ଼ନ୍ତୁ :- ଏ ବର୍ଷରେ ଅଧିକ ଖରା, ମାର୍ଚ୍ଚରୁ ମେ' ମାସ ଭିତରେ ୧୫ ଦିନ ହିଟ୍ଓ୍ବେଭ ଆକଳନ, ଗରମ ଆହୁରି ବଢ଼ିବ