ଭୁବନେଶ୍ୱର, ୨୬/୦୩: ରାଜ୍ୟରେ ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ଟ୍ୟାଗ୍ ମାନ୍ୟତା ୨୭ଟି ସାମଗ୍ରୀକୁ ମିଳିଛି । ଆଉ ଓଡ଼ିଶାର ୧୯ଟି ସାମଗ୍ରୀ ଜିଆଇ ମାନ୍ୟତା ପ୍ରଦାନ ପାଇଁ ଆବେଦନ କରାଯାଇଛି । ଯାହା ଏବେ ଅପେକ୍ଷାରେ ରହିଛି । ବିଧାନସଭାରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ତଥ୍ୟ ରଖିଛନ୍ତି ।

ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ୨୦୨୧ ମସିହାରୁ ଓଡ଼ିଶା ତାଳପତ୍ର ଚିତ୍ର କଳା, ପୁରୀର ତାଳପତ୍ର ପୋଥି ଚିତ୍ର, ମୟୂରଭଞ୍ଜ ସବାଇ ଉତ୍ପାଦ,୨୦୨୨ ମସିହାରୁ ଓଡ଼ିଶା ଗୋଲ୍ଡେନ୍ ଗ୍ରାସ୍ (କାଇଞ୍ଚ), ନବରଙ୍ଗପୁର ଲାଖ ହସ୍ତଶିଳ୍ପ, ବେଲଗୁଣ୍ଠା ପିତଳ ମାଛ, ବରପାଲି ଟେରାକୋଟା ରୁଫ୍ ଟାଇଲ୍ସ, ଏବଂ ଓଡି଼ଶା ପିତଳ ଓ କଂସାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଆବେଦନ କରାଯାଇଛି । ଯାହା ଏଯାଏ ମାନ୍ୟତା ଅପେକ୍ଷାରେ ରହିଛି । ସେହିପରି ୨୦୨୩ ମସିହାରେ ନୟାଗଡ଼ ଛେନାପୋଡ଼, ୨୦୨୪ ମସିହାରେ ବିଭିନ୍ନ ତାରିଖରେ ମୟୂରଭଞ୍ଜ ଶାଢ଼ୀ, କଣ୍ଟିଲୋ ପିତଳ ଓ କଂସା ହସ୍ତଶିଳ୍ପ, କଳାଜିରା ଚାଉଳ, ଆଦିବାସୀ ଫୁଟ ଶାଢ଼ୀ, ଜଗତ୍ସିଂହପୁର କଟନ ଶାଢ଼ୀ, ମାଣିଆବନ୍ଧ ଶାଢ଼ୀ, ସଦେଇବରେଣି ଢ଼ୋକ୍ରା ହସ୍ତଶିଳ୍ପ, କରମୂଲ ଆଦିବାସୀ ଅଳଙ୍କାର ହସ୍ତଶିଳ୍ପ, ଖିଚିଂ ପଥର ଖୋଦେଇ, ହଦପୁର ଟେରାକୋଟା ଶିଳ୍ପ ପାଇଁ ଜିଆଇ ଟ୍ୟାଗ୍ ମାନ୍ୟତା ଆବେଦନ କରାଯାଇଛି ।

ଅଧିକ ପଢ଼ନ୍ତୁ :- ଆସିଲା ୩ ବର୍ଷିଆ ନୂଆ ଅବକାରୀ ନୀତି : ବଡ଼ଦାଣ୍ଡରେ ଖୋଲିବନି ମଦ ଦୋକାନ, ଲାଇସେନ୍ସ ଆବେଦନ ଶୁଳ୍କ ୧୦% ବୃଦ୍ଧି