PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଅନ୍‌ଲାଇନ୍‌ ଯୁଗରେ ଡିଜିଟାଲ ଶିକ୍ଷା ଏମିତି…. ରାଜ୍ୟର ୯୭% ସରକାରୀ ସ୍କୁଲରେ ନାହିଁ ଇଣ୍ଟରନେଟ୍‌ ସଂଯୋଗ, କେମିତି ହେବ ସ୍ମାର୍ଟ କ୍ଲାସରୁମ୍ ପାଠପଢ଼ା…

smart- class-room

ଭୁବନେଶ୍ୱର,୨୧/୦୫: ଏବେ ଜିଡିଟାଲ୍‌ ଓ ଅନଲାଇନ୍‌ ଶିକ୍ଷାର ଯୁଗ । ଘରୋଇ ସ୍କୁଲଗୁଡିକରେ ସ୍ମାର୍ଟ କ୍ଲାସରୁମ୍‌, ଏଲ୍‌ଇଡି ଓ ମଲଟିମେଡିଆରେ ଶିକ୍ଷାଦାନ ହେଉଛି । କିନ୍ତୁ ଆମ ସରକାରୀ ସ୍କୁଲ ଯେଉଁଠି ଥିଲା, ସେଇଠି । ସ୍ମାର୍ଟ କ୍ଲାସରୁମ୍‌ ଦୂରର କଥା ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନେଟ୍‌ ସୁବିଧା ସ୍ୱପ୍ନ । ରାଜ୍ୟର ୯୭% ସରକାରୀ ସ୍କୁଲରେ ଇଣ୍ଟରନେଟ୍‌ ସଂଯୋଗ ନାହିଁ । ୫୩ ହଜାର ୨୬୦ଟି ସ୍କୁଲ ମଧ୍ୟରୁ ମାତ୍ର ୧୪୫୦ (୨.୭୨%) ସ୍କୁଲରେ ଇଣ୍ଟରନେଟ୍‌ ସୁବିଧା ରହିଛି ।

 କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁଡିଆଇଏସ୍‌ଇ ରିପୋର୍ଟରେ ଓଡ଼ିଶାରେ ସରକାରୀ ସ୍କୁଲରେ ଦୁର୍ବଳ ଭିତ୍ତିଭୂମିର ଏହି ବିକଳ ଚିତ୍ର ସାମନାକୁ ଆସିଛି । ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ମିଶି ମୋଟ ୬୭ ହଜାର ୨୦ଟି ସ୍କୁଲ ରହିଛି । ସେଥିରୁ ୫୩ ହଜାର ୨୬୦ଟି ସରକାରୀ ସ୍କୁଲ । ମାତ୍ର ୮୬୧୫ଟି ସ୍କୁଲରେ କମ୍ପ୍ୟୁଟର ଅଛି । ସେଥିରୁ ସଚଳ ଅବସ୍ଥାରେ ଅଛି ୮୫୦୦ । ଅର୍ଥାତ ୧୬ ପ୍ରତିଶତ ସ୍କୁଲ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷା ସୁଯୋଗ ପାଉଛନ୍ତି । ବାକି ୮୪% ସ୍କୁଲର ଛାତ୍ରଛାତ୍ରୀ କମ୍ପ୍ୟୁଟର ଦେଖିବାର ସୁଯୋଗ ପାଉନାହାନ୍ତି ।

ଡ୍ରପ୍‌ଆଉଟ୍‌କୁ ନେଇ ତୁମ୍ବିତୋଫାନ୍‌ । ଲକ୍ଷାଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି । ଏହାର ମୁଖ୍ୟ କାରଣ ହେଲା ଦୁର୍ବଳ ଭିତ୍ତିଭୂମି । ଅଧିକାଂଶ ସ୍କୁଲରେ ଆବଶ୍ୟକ ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ରହିଛି । ସେତିକି ନୁହେଁ, ସ୍କୁଲରେ ବିଦ୍ୟୁତ୍‌, ପିଇବା ପାଣି, ଶୌଚାଳୟ ଆଦି ସୁବିଧା ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।

ଇଣ୍ଟରନେଟ୍‌ କଥା ଛାଡନ୍ତୁ, ଏ ପର୍ଯ୍ୟନ୍ତ ସବୁ ସ୍କୁଲକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦିଆଯାଇ ନାହିଁ । ୪୦ ହଜାର ୮୫୯ଟି ସ୍କୁଲକୁ ବିଦ୍ୟୁତ୍‌ ତାର ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ମାତ୍ର ପ୍ରକୃତରେ ସ୍ଥିତି ସେଇଆ ନୁହେଁ । ମାତ୍ର ୩୩ ହଜାର ୬୯୫ (୬୩%) ସ୍କୁଲରେ ବିଦ୍ୟୁତ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିଛି । ଅର୍ଥାତ ୩୭ ପ୍ରତିଶତ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ବିନା ବିଦ୍ୟୁତ ପଙ୍ଖାରେ ପାଠ ପଢୁଛନ୍ତି । କମ୍ପ୍ୟୁଟର ଥିଲେ ବି ଚାଲିବ କେମିତି?

ସରକାରୀ ହିସାବ କହୁଛି, ରାଜ୍ୟର ୯୭ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ଦିଆଯାଇ ସାରିଛି । ହେଲେ ୩୭ ପ୍ରତିଶତ ସ୍କୁଲ ଅନ୍ଧାର ।ବିଦ୍ୟୁତ୍‌ ପରି ଶୌଚାଳୟ ସବୁ ସ୍କୁଲରେ ଏକ ମୌଳିକ ଆବଶ୍ୟକତା । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଶୌଚାଳୟ ବ୍ୟବସ୍ଥା ରହିବା କଥା । ରିପୋର୍ଟରେ କୁହାଯାଇଛି ୧୭% ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ । ୧୪% ସ୍କୁଲରେ ଛାତ୍ରୀଙ୍କ ନିମନ୍ତେ ଏ ସୁବିଧା ନାହିଁ । ସ୍କୁଲରେ ୬ ଘଣ୍ଟା ସମୟ କାଟୁଥିବା ଛାତ୍ରଛାତ୍ରୀ ଏବେ ବି ଖୋଲା ସ୍ଥାନରେ ଶୌଚ କାର୍ଯ୍ୟ କରୁଛନ୍ତି ।

ପିଇବା ପାଣି କ୍ଷେତ୍ରରେ ରାଜ୍ୟ ସରକାର ଦାବି କରୁଛନ୍ତି, ଆମେ ଶତ ପ୍ରତିଶତ ସଫଳତା ପାଇଛୁ । ୟୁଡିଆଇଏସ୍‌ଇ ରିପୋର୍ଟ କହୁଛି, ୫୧ ହଜାର ୫୭୩ ସ୍କୁଲ ପରିସରରେ (୯୬.୮୩%) ପାଇବା ପାଣି ସୁବିଧା ରହିଛି । ୧୭୦୦ ସରକାରୀ ସ୍କୁଲରେ ପିଇବା ପାଣି ମିଳୁନି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପିଇବା ପାଣିର ଉତ୍ସ । ମାତ୍ର ୨୭ ପ୍ରତିଶତ ସ୍କୁଲରେ ପାଇପ୍‌ ପାଣି ସଂଯୋଗ ହୋଇଛି । ୭୦% ସରକାରୀ ସ୍କୁଲ ଛାତ୍ରଛାତ୍ରୀ ନଳକୂପ ପାଣି ପିଉଛନ୍ତି । ବାକି ୩ ଭାଗ ନଈ ନ ହେଲେ କୂଅ ପାଣି ପିଉଛନ୍ତି ।

ଏପରି ଦୁର୍ବଳ ଭିତ୍ତିଭୂମି ଥିବା ସରକାରୀ ସ୍କୁଲରୁ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିବା ସ୍ୱାଭାବିକ ବୋଲି ଶିକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । କେବଳ ସ୍କୁଲ ଖୋଲି ମଧ୍ୟାହ୍ନ ଭୋଜନ ଦେଇଦେଲେ ଉପସ୍ଥାନ ବଢ଼ିଯିବ ଓ ଡ୍ରପଆଉଟ୍‌ ହ୍ରାସ ପାଇବ ଆଶା କରିବା ବୃଥା ।