ଭୁବନେଶ୍ୱର,୦୯/୦୯: ଏଣିକି ସାକ୍ଷାତ୍କାର ପରୀକ୍ଷାର ନମ୍ବର ବି ସାର୍ବଜନୀନ ହେବ । ଏହାକୁ ଗୋପନ କରି ରଖିହେବନି । ପ୍ରତି ପରୀକ୍ଷାର୍ଥୀଙ୍କ ନିଜ ସାକ୍ଷାତକାର ନମ୍ବର ଜାଣିବାର ଅଧିକାର ଅଛି । ଏହା ଜାଣିଲେ ହିଁ ସେ ପରବର୍ତ୍ତୀ ପରୀକ୍ଷାରେ ନିଜ ପ୍ରଦର୍ଶନକୁ ଭଲ କରିପାରିବେ । ୟୁପିଏସ୍ସିରେ ଏହି ଢାଞ୍ଚା ରହିଛି । ଓପିଏସ୍ସି ମଧ୍ୟ ସବୁ ସାକ୍ଷାତ୍କାର ପରୀକ୍ଷା ନମ୍ବରକୁ ସାର୍ବଜନୀନ କରୁ । ଓଡ଼ିଶା ସୂଚନା କମିଶନ ଏକ ଅପିଲ୍ ମାମଲାର ଶୁଣାଣି କରି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଓପିଏସ୍ସି ଦ୍ୱାରା ପରିଚାଳିତ ସହକାରୀ ଶିକ୍ଷକ ପଦବି ପାଇଁ ଭଦ୍ରକ ଜିଲ୍ଲାର ମିନତୀରାଣୀ ମହାପାତ୍ର ନାମକ ଜଣେ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେ ଏହି ପରୀକ୍ଷାରେ ପାସ୍ କରିନଥିଲେ । କିନ୍ତୁ ପରୀକ୍ଷାରେ ହୋଇଥିବା କ୍ୟାରିୟର ଆସେସମେଣ୍ଟ ଓ ସାକ୍ଷାତକାର(ଇଣ୍ଟରଭିୟୁ) ରେ କେତେ ନମ୍ବର ପାଇଛନ୍ତି ତାହା ଜାଣିବାକୁ ଚାହିଁଥିଲେ । ଏହି ପରୀକ୍ଷାରେ ପାସ୍ କରିଥିବା ସବୁ ପରୀକ୍ଷାର୍ଥୀଙ୍କ ଯୋଗ୍ୟତା ଓ କେତେ ନମ୍ବର ପାଇଛନ୍ତି ତାକୁ ଦେବାକୁ ମଧ୍ୟ ଆରଟିଆଇ ବା ସୂଚନା ଅଧିକାର ଆଇନ ଜରିଆରେ ଜାଣିବାକୁ ଚାହିଁଥିଲେ । ଓପିଏସ୍ସି ତାଙ୍କୁ କ୍ୟାରିୟର ମାର୍କ ଦେଇଥିଲା । କିନ୍ତୁ ଓପଏସ୍ସିର ପବ୍ଲିକ ଇନଫର୍ସମେସନ ଅଫିସର(ପିଆଇଓ) ଅନ୍ୟ ସୂଚନା ଦେବାକୁ ମନା କରି ଦେଇଥିଲେ । ସାକ୍ଷାତ୍କାରରେ ପରୀକ୍ଷାର୍ଥୀ କେତେ ନମ୍ବର ପାଉଛନ୍ତି ତାର ସୂଚନା ସାର୍ବଜନୀନ ନ କରିବାକୁ ୨୬.୧୨.୨୦୨୨ରେ ଓପିଏସ୍ସି ନିଷ୍ପତ୍ତି ନେଇଛି ବୋଲି ପିଆଇଓ କାରଣ ଦେଖାଇଥିଲେ ।
ଓପିଏସ୍ସିର ଏହି ନିଷ୍ପତ୍ତି ବିରୋଧରେ ମିନତି ସୂଚନା କମିଶନଙ୍କ ପାଖରେ ମାମଲା ଦାୟର କରିଥିଲେ । ଓପିଏସ୍ସି ଯୁକ୍ତି ଦର୍ଶାଇଥିଲା ଯେ, ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ସାକ୍ଷାତ୍କାର ମାର୍କ ରେକର୍ଡ କରାଯାଏନି । କୌଣସି ସର୍ବନିମ୍ନ ମାର୍କ ମଧ୍ୟ ସ୍ଥିର ହୁଏନି । ଓପିଏସ୍ସି ଯୁକ୍ତି ଦର୍ଶାଇଥିଲା ଯେ ସାକ୍ଷାତ୍କାର ହେଉଛି ସେମାନଙ୍କର ବ୍ୟକ୍ତିତ୍ୱ ଓ କଥନ ଶୈଳୀ ଭଳି ଦକ୍ଷତାର ଏକ ପରୀକ୍ଷା । ସାକ୍ଷାତ୍କାରରେ କେବଳ ଯୋଗ୍ୟତା ନିର୍ଣ୍ଣୟ କରାଯାଏ । ସାକ୍ଷାତ୍କାର ଫଳାଫଳରେ ପ୍ରାର୍ଥୀ ଉପଯୁକ୍ତ କି ଅନୁପଯୁକ୍ତ, କେବଳ ତାର ସୂଚନା ଦିଆଯାଏ । ସାକ୍ଷାତ୍କାରର କୌଣସି ନିର୍ଦ୍ଦିଷ୍ଟ ନମ୍ବର ସାର୍ବଜନୀନ ହୁଏନି କି ଯୋଗ୍ୟ ତାଲିକା(ମେରିଟ୍ ଲିଷ୍ଟ୍) ପ୍ରକାଶ କରାଯାଏନି ।
ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା ଓପିଏସ୍ସିର ଏହି ଯୁକ୍ତିକୁ ଖଣ୍ଡନ କରିବା ସହ ଐତିହାସିକ ରାୟ ଦେଇଛନ୍ତି । ରାୟରେ ସେ କହିଛନ୍ତି, ଓଡ଼ିଶା ଲୋକସେବା ଆୟୋଗର ଏପରି ନିଷ୍ପତ୍ତି ସୂଚନା ଅଧିକାର ଆଇନର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି । ପ୍ରାର୍ଥୀ ସାକ୍ଷାତକାରରେ କେତେ ନମ୍ବର ପାଇଲେ ତାକୁ ଜାଣିବାର ପୂର୍ଣ୍ଣ ଅଧିକାର ଅଛି । ପ୍ରତି ପରୀକ୍ଷାର୍ଥୀ, ବିଶେଷ କରି ପରୀକ୍ଷାରେ ବିଫଳ ହେଉଥିବା ପ୍ରାର୍ଥୀ ଏହାକୁ ଜାଣିବାର ଅଧିକାର ଅଛି । ସେମାନେ କେଉଁ ଆଧାରରେ ସଫଳ ହେଲେନି, ଓପିଏସ୍ସି ତାର ସୂଚନା ଦେବା ଦରକାର । ଓପିଏସ୍ସି ସେମାନଙ୍କୁ ଅନ୍ଧାରରେ ରଖିପାରିବନି । ସୂଚନା ଅଧିକାର ଆଇନ, ୨୦୦୫ର ଧାରା ୨୨ ଅନୁସାରେ ପରୀକ୍ଷାର୍ଥୀଙ୍କୁ ସୂଚନା ପ୍ରଦାନ କରିବାରୁ କେହି ଅଟକାଇ ପାରିବେନି । ଓପିଏସ୍ସିର ନିଷ୍ପତ୍ତି ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି । ଓପିଏସ୍ସି ଏହାର ପରୀକ୍ଷା ଫଳ ପ୍ରକାଶର ପ୍ରକ୍ରିୟା ବଦଳାଇ ପ୍ରାର୍ଥୀଙ୍କୁ ମିଳିଥିବା ସାକ୍ଷାତକାର ପରୀକ୍ଷା ନମ୍ବର ସମ୍ପର୍କରେ ବିବରଣୀ ଦେବାକୁ ଶ୍ରୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି ।