ଭୁବନେଶ୍ବର,୧୧/୧୦: ଓଡ଼ିଶାରେ ମଦୁଆଙ୍କ ହାର ଜାତୀୟସ୍ତର ଠାରୁ ଢେର ଅଧିକ । ପୂର୍ବ ଅପେକ୍ଷା ଏବେ ରାଜ୍ୟରେ ମଦ୍ୟପଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ରିପୋର୍ଟ କହୁଛି ରାଜ୍ୟରେ ୪.୩% ମହିଳା (୧୫ବର୍ଷରୁ ଅଧିକ) ମଦ୍ୟପାନ କରୁଛନ୍ତି । ସର୍ଭେ ରିପୋର୍ଟ କହୁଛି, ଜାତୀୟ ସ୍ତରରେ ୧୫ବର୍ଷରୁ ଉଦ୍ଧ୍ୱର୍ ମହିଳା-ଯୁବତୀଙ୍କ ଭିତରୁ ମାତ୍ର ୧.୩% ମଦ୍ୟପାନ କରୁଛନ୍ତି । ପୁରୁଷଙ୍କ କ୍ଷେତ୍ରରେ ଏହା ୧୮.୮% । ୧୫ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ଭିତରୁ ଓଡ଼ିଶାରେ ୪.୩% ମଦ ପିଉଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୨୮.୮% ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି ।

 ହେଲେ ଆମ ରାଜ୍ୟର ଓଡ଼ିଶା ମଦମୁକ୍ତ ଅଭିଯାନ ରିପୋର୍ଟ କହୁଛି, ଓଡ଼ିଶାରେ ୧୫ବର୍ଷରୁ ଉଦ୍ଧ୍ୱର୍ ବୟସର ମହିଳ-ଯୁବତୀଙ୍କ ମଧ୍ୟରୁ ୪୦% ମଦ୍ୟପାନ କରୁଛନ୍ତି । କେବଳ ମଦ ନୁହେଁ, ତମାଖୁ ସେବନ କ୍ଷେତ୍ରରେ ବି ଓଡ଼ିଶା ଜାତୀୟ ସ୍ତରଠାରୁ ଢେର ଆଗରେ ରହିଛି । ସର୍ବଭାରତୀୟ ସ୍ତରରେ ୧୫ବର୍ଷରୁ ଉଦ୍ଧ୍ୱର୍ ବୟସର ୮.୯% ମହିଳା ତମାଖୁ ସେବନ କରୁଛନ୍ତି । ପୁରୁଷମାନଙ୍କ କ୍ଷେତ୍ରରେ ଏହି ହାର ୩୮% । ଓଡ଼ିଶାରେ ୧୫ବର୍ଷ ବୟସରୁ ଊଦ୍ଧ୍ୱର୍ ମହିଳା-ଯୁବତୀଙ୍କ ମଧ୍ୟରୁ ୨୬% ତମାଖୁ ସେବନ କରୁଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୫୧% । ସବୁଠାରୁ ଉଦ୍‌ବେଗଜନକ ତଥ୍ୟ ହେଉଛି ଯେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ତମାଖୁ ଓ ମଦ୍ୟପାନ ହାର ଆମ ରାଜ୍ୟରେ ଅଧିକ ।