PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମଦ ନେଇ ଗୃହରେ ହଙ୍ଗାମା

ଭୁବନେଶ୍ୱର,୨୩/୦୭(ବ୍ୟୁରୋ): ମଦରୁ ଆମେ ଯେତିକି ରାଜସ୍ୱ ପାଉଛୁ, ତା’ଠାରୁ ବେଶି କ୍ଷତି ସହୁନୁ ତ? କେବେ ଏହାର ହିସାବ କରିଛ? ଗୃହରେ ଆଜି ଏଭଳି ଭାବେ ଉଦ୍‌ବେଗ ପ୍ରକାଶ କରିଥିଲେ ବିଧାୟକମାନେ । ବିରୋଧୀ ଓ ଶାସକ ସବୁ ମିଳିତ ସ୍ୱରରେ ମଦ ନେଇ ଉଦ୍‌ବେଗ ଜାହିର କରିଥିଲେ । ରାଜସ୍ୱ ନାଁରେ ମଦ ବିକ୍ରି ବୃଦ୍ଧିକୁ ସବୁ ନାପସନ୍ଦ କରିଥିଲେ ।

ମଦରୁ ରାଜସ୍ୱ ଆୟ ପ୍ରସଙ୍ଗ ନେଇ ଆଜି ଜୋରଦାର ଆଲୋଚନା ହୋଇଥିଲା । ଶାସକ, ବିରୋଧୀ ସବୁ ଏହି ପ୍ରସଙ୍ଗ ନେଇ ସରକାରଙ୍କୁ ପ୍ରଶ୍ନବାଣ ମାରିଥିଲେ । କିଏ କହିଥିଲା, ମଦ ପାଇଁ ଦୁର୍ଘଟଣା ବଢୁଛି ତ ପୁଣି କେହି ଚୋରା ମଦ କାରବାର ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ମଦ ବିକ୍ରିଜନିତ ରାଜସ୍ୱ ସଂଗ୍ରହର ହିସାବ ଦେଇଥିଲେ । ଏହା ସାଙ୍ଗକୁ ମଦ୍ୟପାନ ରୋକିବା ନେଇ ଲୋକଙ୍କୁ ସଚେତନତା କରିବା ନେଇ ସରକାର ପଦକ୍ଷେପ ନେଉଥିବା ବାବଦରେ କହିଥିଲେ । ମାତ୍ର ଏଥିରେ ସନ୍ତୁଷ୍ଟ ହୋଇନଥିଲେ ବିଧାୟକମାନେ । ସରକାରଙ୍କୁ ଘେରିଥିଲେ ।

ଏ ପ୍ରସଙ୍ଗରେ ସରକାରଙ୍କୁ ସବୁଠୁ ବେଶି ତାଗିଦ୍‌ କରିଥିଲେ ଶାସକ ଦଳର ସଭ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେ କହିଲେ, ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ । ଏ ସରକାର ବହୁମତରେ ଆସୁଥିବାବେଳେ ସର୍ବାଧିକ ମହିଳାମାନେ ହିଁ ସମର୍ଥନ କରିଛନ୍ତି । ତେବେ ଅବକାରୀ ନୀତି କାର୍ଯ୍ୟକାରୀ କରିବାବେଳେ ମହିଳାଙ୍କ କଥାକୁ ବିଚାର କରାଯାଉଛି ନା ନାହିଁ? ମଦ ପାଇଁ ଦୁର୍ଘଟଣା ବଢ଼ୁଛି । ଡାକ୍ତରଖାନା ଆଇସିୟୁରେ ଜାଗା ମିଳୁନି । ଏ ସବୁ କ୍ଷତି କଥା ବିଚାରକୁ ନେବା କଥା । ମଦକୁ ସମ୍ପୂର୍ଣ୍ଣ ବାରଣ କଲେ କି କ୍ଷତି ହେବ, ସେ ଦିଗରେ ଅନୁଧ୍ୟାନ କରାଯାଉ ।

ମୂଳ ପ୍ରଶ୍ନକର୍ତ୍ତା ମୋହନ ମାଝୀ କହିଲେ, ଏ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି । ଗୋଟିଏ ପଟେ କହୁଛନ୍ତି, ମଦ୍ୟପାନ ହ୍ରାସ କରିବାକୁ ଜନ ସଚେତନତା କରାଯାଉଛି । ଅନ୍ୟପଟେ ରାଜସ୍ୱ ବୃଦ୍ଧି ନାଁରେ ମଦ ବିକ୍ରି ବୃଦ୍ଧି ପାଇଁ ପୁରସ୍କାର ଦେବା କଥା କହୁଛନ୍ତି । ସରକାରଙ୍କ ସଚେତନତା ଯଥେଷ୍ଟ ନୁହେଁ । ମଦ ଯୋଗୁ ରାଜସ୍ୱ ବଢ଼ିପାରେ, ହେଲେ ଯେଉଁ ସ୍ୱାସ୍ଥ୍ୟଗତ ହାନି ଘଟୁଛି, ସେ କଥାକୁ ଧ୍ୟାନ ଦିଆଯାଉ । ବିଧାୟକ ନୃସିଂହ ସାହୁ ନିଜ ନିର୍ବାଚନମଣ୍ଡଳୀରେ ଚୋରା ମଦ କାରବାର ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ସେ କହିଲେ, ଆମ୍ବପଳାସରେ ଚୋରା ମଦ ତିଆରି ହୋଇ ବିକ୍ରି ହେଉଛି । ମାତ୍ର ଧରପଗଡ଼ ଆଗରୁ ପୁଲିସ-ଅବକାରୀ ବିଭାଗରୁ ସୂଚନା ପହଞ୍ଚି ଯାଉଛି ।

ପ୍ରତାପ କେଶରୀ ଦେବ ମଧ୍ୟ ମଦ କାରବାର ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ମଦ ଉପଦ୍ରବ ରୋକିବା ନେଇ ବିଭିନ୍ନ ଜାଗାରେ ଆନ୍ଦୋଳନ ହେଉଥିବାବେଳେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ।  ସି.ଏସ୍‌.ରାଜନ ଏକ୍କା, ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଶଶୀଭୂଷଣ ବେହେରା ମଧ୍ୟ ଏ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ ।ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କ ଉତ୍ତରରେ ୨୦୦୯-୧୦ରୁ ୨୦୧୮-୧୯ ପର୍ଯ୍ୟନ୍ତ ମଦରୁ କେତେ ରାଜସ୍ୱ ସଂଗ୍ରହ ହୋଇଛି, ତା’ରା ହିସାବ ପ୍ରଦାନ କରିଥିଲେ । ୨୦୦୯-୧୦ରେ ମଦରୁ ୮୪୮ କୋଟି ୯୬ ଲକ୍ଷ ଟଙ୍କା ରାଜସ୍ୱ ମିଳିଥିବାବେଳେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ୨୦୧୮-୧୯ରେ ୩୯୨୫ କୋଟି ୪୧ ଲକ୍ଷ ଟଙ୍କାରେ ପହଞ୍ଚିଛି ।