ଭୁବନେଶ୍ୱର ୨୭/୧୧: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଚଳିତ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିବେ । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ (୨୮ ନଭେମ୍ବର) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । 

ଡିସେମ୍ବର ୮ ତାରିଖରେ ଅତିରିକ୍ତ ବଜେଟ ନେଇ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଆଗତ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ  ସାମ୍ବାଦିକ ସମ୍ମିଳନୀରେ ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।

ଶୀତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ମଙ୍ଗଳବାର ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଧିବେଶନ ପାଇଁ ବିଧାୟକ ଦଳ ବୈଠକ ଡାକି ତିନି ପ୍ରମୁଖ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ।