ସମ୍ବଲପୁର, ୧୫।୪: ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସର ଅନନ୍ୟ ପ୍ରତୀକ, ଶୌର୍ଯ୍ୟ ଓ ପରାକ୍ରମର ଅନ୍ୟ ନାମ ବୀର ସୁରେନ୍ଦ୍ର ସାଏ । ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ସମ୍ବଲପୁରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ସମ୍ବଲପୁର ସହରର ଦଲାଇପଡ଼ାଠାରେ ନିର୍ମିତ ଭବ୍ୟ 'ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ'କୁ ବୁଧବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଏହି ସଂଗ୍ରହାଳୟକୁ ଉଦଘାଟନ କରି କହିଛନ୍ତି ଯେ, ଏହା କେବଳ ଏକ ସଂଗ୍ରହାଳୟ ନୁହେଁ, ବରଂ ଆମର ସ୍ୱାଭିମାନ ଓ ବୀରତ୍ୱର ଗାଥାକୁ ସମ୍ମାନ ଜଣାଇବାର ଏକ ଅନନ୍ୟ ପ୍ରୟାସ । ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ‘ଇଣ୍ଟାକ୍’ର ମିଳିତ ସହଯୋଗରେ ଏହି ସଂଗ୍ରହାଳୟଟି ଅତି ସୁନ୍ଦର ଭାବେ ନିର୍ମାଣ କରାଯାଇଛି । ଏହି ସଂଗ୍ରହାଳୟରେ ସମ୍ବଲପୁରର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅନେକ ଦୁର୍ଲଭ ଫଟୋଚିତ୍ର ପ୍ରଦର୍ଶିତ ହୋଇଛି । ଏଥିସହ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଆଞ୍ଚଳିକ ସଂଗ୍ରାମୀ ଏବଂ ମହାପୁରୁଷମାନଙ୍କର ଜୀବନ୍ତ କଳାଚିତ୍ର ଦର୍ଶକଙ୍କୁ ସେହି ପୁରୁଣା ଦିନର ସ୍ମୃତି ମନେ ପକାଇଦେବ ।
ଏହା ବି ପଢ଼ନ୍ତୁ... ସୁବର୍ଣ୍ଣପୁରରେ ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ; ସ୍କର୍ପିଓ ଭିତରୁ ନକଲି ନୋଟ୍ ଭର୍ତ୍ତି ନାଲି ବ୍ୟାଗ୍ ଜବତ କଲା ପୁଲିସ
୧୦ ହଜାର ବର୍ଷର ପୁରୁଣା ଇତିହାସ:
ସମ୍ବଲପୁରର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ASI) ଅନୁଯାୟୀ ସମ୍ବଲପୁରର ଇତିହାସ ପ୍ରାୟ ୧୦ ହଜାର ବର୍ଷରୁ ଅଧିକ ପୁରୁଣା । ଏଠାକାର ଗୁମ୍ଫା ଚିତ୍ରକଳା ଓ ‘ରକ୍ ଆର୍ଟ’ ଏହାର ସ୍ପଷ୍ଟ ପ୍ରମାଣ ଦିଏ । ମା’ ସମଲେଶ୍ୱରୀଙ୍କ ପୀଠ ଏବଂ ମହାନଦୀ ଅବବାହିକାର ଏହି ମାଟି ଜଙ୍ଗଲ, ଚାଷ ଓ ଲୋକ ସଂସ୍କୃତି ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ବହନ କରିଛି ।
ଜାତୀୟ ଶିକ୍ଷା ନୀତିରେ ସ୍ଥାନ ପାଇବେ ଆଞ୍ଚଳିକ ନାୟକ:
କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି (NEP) ମାଧ୍ୟମରେ ଓଡ଼ିଶାର ଏହି ଆଞ୍ଚଳିକ ସଂଗ୍ରାମୀମାନଙ୍କ ବୀରତ୍ୱ ଗାଥାକୁ ସାରା ଦେଶର ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଯିବ । ସେ ବିଶେଷ ଭାବେ ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ଏହି ସଂଗ୍ରହାଳୟ ପରିଦର୍ଶନ କରି ନିଜ ମାଟିର ଗୌରବ ବିଷୟରେ ଜାଣିବାକୁ ନିମନ୍ତ୍ରଣ ଜଣାଇଛନ୍ତି । ଶିକ୍ଷା ଓ କଳାର ବିକାଶ ପାଇଁ ସମ୍ବଲପୁରରେ ଏକ ନୂତନ ‘ଆର୍ଟ, ମ୍ୟୁଜିକ୍ ଏବଂ କ୍ରାଫ୍ଟ କଲେଜ’ ପ୍ରତିଷ୍ଠା ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି । ଏହା ସହିତ ସ୍ଥାନୀୟ କଳାକାରମାନଙ୍କ ପାଇଁ ନିର୍ମାଣାଧୀନ ଅଡିଟୋରିୟମ୍ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପଞ୍ଚବାଦ୍ୟ, ଡାଲଖାଇ ଏବଂ ରଙ୍ଗବତୀ ପରି ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ଅଧିକ ସମୃଦ୍ଧ କରାଯିବ । କଳାକାରମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମ ସମ୍ବଲପୁରର ସାଂସ୍କୃତିକ ଓ ଐତିହାସିକ ବିଭବକୁ ସୁରକ୍ଷିତ ରଖିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।