ଭୁବନେଶ୍ୱର ୧୧/୧୨( ମୁକେଶ ପରିଡ଼ା): ଶୀତ ଅଧିବେଶନ ପୂରା ଥଣ୍ଡା ରହିଲା । ଆରମ୍ଭ ହୋଇ ସରିଗଲା, ଜଣାପଡ଼ିଲାନି । ଏମିତିବି ୨୯ଦିନିଆ ଅଧିବେଶନ ୧୧ ଦିନରେ ଶେଷ ହୋଇଗଲା । ଅଧିବେଶନ ଏତେ ଆଗୁଆ ବନ୍ଦ ହେଲେ ବି ବିରୋଧୀ ଦଳର ସେଭଳି ଆପତ୍ତି ନଥିଲା । ଗୃହ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ହେଲାବେଳକୁ ଶାସକ-ବିରୋଧୀ ଦଳ ସବୁ ଖୁସ୍ ଥିଲେ । ମୋଟା ଦରମା ବୃଦ୍ଧିରେ ସମସ୍ତେ ଗଦଗଦ ।
ନୂଆପଡ଼ା ଉପନିର୍ବାଚନରେ ବିରୋଧୀ ଦଳ ଶକ୍ତ ଝଟ୍କା ପାଇବା ପରେ ଅଭିଯୋଗର ପାହାଡ଼ ଛିଡ଼ା କରିଥିଲେ ସରକାର ବିରୋଧରେ । ଭୋଟ ଅନିୟମିତତା, ସରକାରୀ କଳର ଅପବ୍ୟବହାରରୁ ନେଇ ସିଧା ଭୋଟ ଚୋରି ପର୍ଯ୍ୟନ୍ତ ଅଭିଯୋଗ ଉଠାଇଥିଲେ । ଲାଗୁଥିଲା, ଏଥର ଶୀତ ଅଧିବେଶନରେ ନୂଆପଡ଼ା କମ୍ପନ ଅନୁଭୂତ ହେବ । ସବୁ ତଗଡ଼ା ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ଦଳ ସରକାରଙ୍କୁ ଅଣନିଃଶ୍ୱାସୀ କରି ପକାଇବେ । କିନ୍ତୁ, ବିରୋଧୀ ଦଳ ସେମିତି ଆକ୍ରମଣ କଲେନି । ଗଲା ବଜେଟ ଅଧିବେଶନ ଓ ମୌସୁମୀ ଅଧିବେଶନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଲାଗୁଥିଲେ ବିରୋଧୀ ଦଳ । ଆକ୍ରାମଣାତ୍ମକ ଆଭିମୁଖ୍ୟ ବଦଳରେ ଏଥର ରକ୍ଷାତ୍ମକ ଢଙ୍ଗରେ ଓହ୍ଲାଇଥିଲେ ବିରୋଧୀ ଦଳ । ନା ନାରାବାଜି ନା ହଟ୍ଟଗୋଳ ।
ଗୃହ ଦିନଟିଏ ବି ସରଗରମ ଲାଗୁନଥିଲା । ଏକଦମ ନରମ ସମାଲୋଚନାରେ ସରିଗଲା ପୂରା ଅଧିବେଶନ । ମାତ୍ର ଗୋଟିଏ ଦିନ ବିରୋଧୀ ଦଳ ଫଁ ଦେଖାଇଥିଲେ । ସଂରକ୍ଷଣ ସମ୍ପର୍କିତ ସଂକଳ୍ପ ପାଇଁ ସୁଯୋଗ ନ ମିଳିବାରୁ କଂଗ୍ରେସ ଦଳ ଓଳିଏ ହଟ୍ଟଗୋଳ କରିଥିଲା । ସେହିପରି ସେଇଦିନ ଜାତିର ପିତା ଗାନ୍ଧିଜୀଙ୍କୁ ନେଇ ସରକାରୀ ଦଳ ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟରୁ ଉଭୟ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରତିବାଦ କରିଥିଲେ । ବାସ୍, ତା’ ପରେ ଆଉ ଶୁଭିନଥିଲା ନାରାବାଜି । ବିରୋଧୀ ଦଳ ସବୁ ପ୍ରସଙ୍ଗକୁ କେବଳ ଛୁଇଁ ଦେଇ ପଳାଇବା ଭଳି ଉପସ୍ଥାପନ କରିଥିଲେ । କୌଣସି ପ୍ରସଙ୍ଗକୁ ଲମ୍ବା ଟାଣିବାକୁ ଚେଷ୍ଟା ବି କରିନଥିଲେ।
ଗତକାଲି ବିଧାନସଭାରେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତି ସମ୍ବେଦନଶୀଳ ପ୍ରସଙ୍ଗ ‘ମାଲକାନଗିରି’ କଥା ଉଠାଇଥିଲେ । କହିଲେ, ଏବେ ମାଲକାନଗିରି ଜଳୁଛି, ଏହା ଆଉ ଏକ କନ୍ଧମାଳ ନ ହେଉ । ରଣେନ୍ଦ୍ରଙ୍କ ଉଦବେଗଭରା ଭାବରୁ ଲାଗିଲା, ବୋଧେ ଏଇଠୁ ଝପଟି ଆସିବେ ବିରୋଧୀ ଦଳ । ମାଲକାନଗିରି ପ୍ରସଙ୍ଗରେ ଗୃହରେ ତୁମ୍ବି ତୋଫାନ କରି ସରକାରଙ୍କୁ ଆକ୍ରମଣ କରିବେ । ମାତ୍ର ସେମିତି କିଛି ହେଲାନି । ବିଜେଡି କିମ୍ବା କଂଗ୍ରେସ କେହି ଏହାକୁ ବଡ଼ ପ୍ରସଙ୍ଗ କରିବାକୁ ଚାହିଁଲେନି । ଧାନ କିଣା ବିଳମ୍ବ ଓ ମଣ୍ଡି ସମସ୍ୟା ନେଇ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହେଲା । ବିରୋଧୀ ଦଳ ଅଭିଯୋଗ ବର୍ଷା କଲେ । ଶାସକ ଦଳ ଓ ମନ୍ତ୍ରୀ ବି ମୁହଁତୋଡ଼ ଜବାବ ରଖିଲେ । କିନ୍ତୁ, ଏଭଳି ଏକ ବଡ଼ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଯେମିତି ଟାଣ ସ୍ୱର ଉପସ୍ଥାପନ କରିବା କଥା, ତାହା ଦେଖିବାକୁ ମିଳିଲାନି ।
ବଜେଟ ଓ ମୌସୁମୀ ଅଧିବେଶନକୁ ଧୋଇ ଦେଇଥିଲା ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ପ୍ରସଙ୍ଗ । ମାତ୍ର ମାଲକାନଗିରିରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା, ଦୁଇ ଗାଁରେ ଗୋଷ୍ଠୀ ସଂଘର୍ଷରୁ ଭୟାନକ ସ୍ଥିତି ଉପୁଜିବା ଭଳି ଘଟଣାରେ ବିରୋଧୀ ଦଳ ଦୃଢ଼ ସ୍ୱର ଉଠାଇ ନ ଥିଲା । ଜେଲରୁ ଦୁର୍ଦ୍ଦାନ୍ତ ଅପରାଧୀ ଖସିବା, ଏସଆଇ ନିଯୁକ୍ତି ଦୁର୍ନୀତି ଓ ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ୍ ଭଳି ପ୍ରସଙ୍ଗ ବି ଗୌଣ ହୋଇଗଲା ।
ଖାଲି କ’ଣ ସେତିକି, ରାସନ କାର୍ଡ, ଅନ୍ୱେଷା ଯୋଜନା, ମହାନଦୀ ଜଳ ବିବାଦ, ସଂରକ୍ଷଣ ପ୍ରସଙ୍ଗ ଖାଲି ନାଁକୁ ଆସିଲା, ପଳେଇଲା । ଭୋଟ ଅନିୟମିତତା, ଭୋଟ ଚୋରିକୁ ନେଇ ଉପନିର୍ବାଚନ ଫଳାଫଳ ପରେ ଚିତ୍କାର କରୁଥିବା ବିରୋଧୀ ଦଳ ଏ ପ୍ରସଙ୍ଗକୁ ବି ଭୁଲିଗଲେ । ଅନୁଭୂତ ହେଉଥିଲା, ଯେମିତି ନୂଆପଡ଼ାରେ ଶୋଚନୀୟ ପରାଜୟରେ ବିରୋଧୀ ଦଳର ମନୋବଳ ଭାଙ୍ଗି ପଡ଼ିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମାତ୍ର ଦୁଇ ଥର ଗୃହକୁ ଆସିଥିଲେ । ଏହାକୁ ନେଇ ଶାସକ ଦଳ ଓ ମୁଖ୍ୟମନ୍ତ୍ରୀ ସିଧା ବିରୋଧୀ ଦଳଙ୍କୁ ଟାର୍ଗେଟ କରିଥିଲେ । ବିଜେଡିରୁ ବରିଷ୍ଠ ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ, ଗଣେଶ୍ୱର ବେହେରା ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରି ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ବେଶ୍ ଶାଣିତ ଆକ୍ରମଣ କରିଥିଲେ ସରକାରଙ୍କୁ। ଅସୁସ୍ଥତା ପାଇଁ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ଅଧିବେଶନକୁ ଆସିନଥିଲେ । ତାରାଙ୍କ ଅନୁପସ୍ଥିତିରେ କଂଗ୍ରେସ ସେତେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ପାରିନଥିଲା । ଦଳ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକ୍କା ଏବଂ ସୋଫିଆ ଫିର୍ଦ୍ଦୋସ ମୁଖ୍ୟ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ।
ଶାସକ ଦଳ ଓ ସରକାର ପୂର୍ବାପେକ୍ଷା ଅଧିକ ଆତ୍ମବିଶ୍ୱାସୀ ଲାଗୁଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେବେ ବିବୃତି ରଖିଥିଲେ, ସରକାରଙ୍କ ସଫଳତା ଚିତ୍ର ରଖିବା ସହ ବିରୋଧୀ ଦଳଙ୍କୁ ସିଧା ଶାଣିତ ଆକ୍ରମଣ କରିଥିଲେ । ୨୪ ବର୍ଷ ସରକାର ଓ ନୂଆପଡ଼ା ଫଳକୁ ନେଇ ବିରୋଧୀ ଦଳଙ୍କୁ ତାଙ୍କ ସ୍ଥିତି ଖସୁଥିବା ମନେ ପକାଇ ଦେଇଛନ୍ତି ଶାସକ ଦଳ ସଭ୍ୟ । ବିଧାୟକ ବାବୁ ସିଂ, ଟଙ୍କଧର ତ୍ରିପାଠୀ, ପଦ୍ମଲୋଚନ ପଣ୍ଡା, ପ୍ରତାପ ନାୟକ ବିଭିନ୍ନ ଆଲୋଚନାବେଳେ ବିରୋଧୀ ଦଳକୁ କଡ଼ା ଜବାବ ଦେଇଛନ୍ତି । ଏମିତିକି ଅଧିକାଂଶ ମନ୍ତ୍ରୀମାନେ ବେଶ୍ ପ୍ରସ୍ତୁତି ସହ ବିରୋଧୀ ଦଳର ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ।