ଭୁବନେଶ୍ବର, ୨୦/୦୧:  ବହୁ ପ୍ରତିକ୍ଷିତ ବଜେଟ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଗତ କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ  ୧୦ ହଜାର କୋଟି ଟଙ୍କାର ପାଣ୍ଠି ବଜେଟରେ ବରାଦ ହୋଇଛି । ଏଥିରେ ମାଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ଭିତ୍ତିଭୂମି, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରକୁ ଫୋକସ୍ କରାଯାଇଛି । ଏଥିରୁ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା । ପଞ୍ଚାୟତିରାଜ ବିଭାଗ ପାଇଁ ୩୪ ହଜାର ୧୧୪.୧୪ କୋଟି ଏବଂ ୧୦୦ଟି ମଡେଲ ମଣ୍ଡି ପାଇଁ ବ୍ୟବସ୍ଥା । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ ୧୭,୭୩୬.୯୩ କୋଟି ଏବଂ ଶିକ୍ଷା ପାଇଁ ୧୫,୮୪୯.୩୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ ବରାଦ କରିଛନ୍ତି । ଗୋପବନ୍ଧୁ ଯୋଜନାରେ ଜନଆରୋଗ୍ୟ ଯୋଜନାରେ ୬,୩୦୯ କୋଟି ଟଙ୍କା ଅଟକଳ କରାଯାଇଛି । ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଯୋଜନା ଶୁଭାରମ୍ଭ କରିଛନ୍ତି  । ଏହାଛଡ଼ା ଆର୍ଥିତ୍ ବର୍ଷ ୨୦୨୬-୨୭ ପାଇଁ ବଜେଟରେ ‘ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ’ ବାବଦକୁ ୫ ହଜାର ୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମୁଖମନ୍ତ୍ରୀ ସ୍ମାର୍ଟ ଯୋଜନାରେ ଶହେ କୋଟି ଟଙ୍କା । ସେହିପରି ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପାଇଁ ୭୩୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି । ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା । ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ୫୦୦ କୋଟି ଟଙ୍କା । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।

​​​​​​​

ସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟି:

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟରେ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କୁ ଫୋକସ୍ କରିଛନ୍ତି । ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚାଷୀମାନଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ବ୍ୟାପକ ସହାୟତା ରାଶିର ବଜେଟରେ ବ୍ୟବସ୍ଥା ହୋଇଛି । କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ବଜେଟରେ ପୁଷ୍ଟିଶସ୍ୟର ଚାଷ ଓ ବ୍ୟବହାରକୁ ବୃଦ୍ଧି କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରି ରାଜ୍ୟର ପ୍ରତ୍ୟେକ କୃଷକ ପରିବାରକୁ ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟି ଟଙ୍କା, ସିଏମ୍‌ କିଷାନ ଯୋଜନାରେ ୨୦,୨୩୦ କୋଟି ଟଙ୍କା । କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ ପାଇଁ ୮୪୧ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରାଯାଇଛି  ।

ସୁଭଦ୍ରା ପାଇଁ ୧୦ ହଜାର କୋଟି:

ବଜେଟ-୨୦୨୬-୨୭ରେ ନାରୀ ସଶକ୍ତିକରଣ ପାଇଁ ଉଦ୍ଧିଷ୍ଟ ସୁଭଦ୍ର ଯୋଜନା ସତନ୍ତ୍ର ଫୋକସ୍ ଦିଆଯାଇଛି । ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏଥିରେ ପ୍ରାୟ ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ । ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଏହାସହ ବଜେଟ ଉପସ୍ଥାପନ ବେଳେ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଯୋଜନାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢ଼ାଇବାକୁ ଯୋଜନା କାର୍ଯ୍ୟ କରିବ । ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ । ସ୍ନାତକ ସମାପ୍ତ ପରେ ସେମାନଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ।

​​​​​​​ସୁଭଦ୍ରା ସୁରକ୍ଷା ଯୋଜନା:

ବଜେଟରେ ସୁଭଦ୍ରା ସୁରକ୍ଷା ଯୋଜନାକୁ ମଧ୍ୟ ଗୁରୁତ୍ତ୍ୱ ଦିଆଯାଇଛି। ଏହି ଯୋଜନା ପାଇଁ ୧୧୭ କୋଟି ଟଙ୍କାର ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସାର୍ବଜନୀନ ସୁରକ୍ଷା, ନ୍ୟାୟ ପ୍ରଦାନ ବ୍ୟବସ୍ଥା ଓ ସୁଶାସନକୁ ଶକ୍ତିଶାଳୀ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା-ଆଧାରିତ ଏବଂ ନାଗରିକ-କେନ୍ଦ୍ରିତ ସୁଧାରକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଜରୁରୀକାଳୀନ ପ୍ରତିକ୍ରିୟାକୁ ଆହୁରି ସୁଦୃଢ କରିବା ଏବଂ ପୁଲିସ , ଅଗ୍ନିଶମ ଏବଂ ଚିକିତ୍ସା ସେବାର ଦ୍ରୁତ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ଜରୁରୀକାଳୀନନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ଇଆରଏସଏସ-ଡାଏଲ ୧୧୨) ପାଇଁ ୬୧ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି।​​​​​​​

ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପାଇଁ ୨୩ ହଜାର କୋଟି:

ଚଳିତ ବଜେଟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବାବଦକୁ ୨୩,୧୮୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭ ଶହ ୩୭ କୋଟି ଟଙ୍କା ସାମିଲ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତାବିତ ଏହି ବ୍ୟୟ ମୋଟ୍ ବଜେଟ୍ ଆକାରର ୭.୫ ପ୍ରତିଶତରୁ ଅଧିକ। ଯାହା ଆମର ପ୍ରତିବଦ୍ଧତା, ଅଭିପ୍ରାୟ ଓ କାର୍ଯ୍ୟଧାରାକୁ ପ୍ରତିଫଳିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି, ସରକାର ସମସ୍ତଙ୍କ ପାଇଁ ନ୍ୟାୟୋଚିତ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ସହ ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ଅଭିମୁଖେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ମାଗଣା ଓ ସୁନିଶ୍ଚିତ ସ୍ୱାସ୍ଥ୍ୟ ସେବା, ମାନବ ସମ୍ୱଳର ସୁଦୃଢୀକରଣ, ଅତ୍ୟାଧୁନିକ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ସେବା ଯୋଗାଣର ସମ୍ପ୍ରସାରଣ, ଚିକିତ୍ସା ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ବିନିଯୋଗ, ଆୟୁଷ ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ବହୁବିଧ ଦକ୍ଷତା ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦେଉଛି। ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ଗୁରୁତ୍ୱ ଦିଆଯାଇଛି।

ଗୋପବନ୍ଧୁ ଜନ ଆରୋଗ୍ୟ: ୪ ହଜାର ୨ ଶହ ୭୯ କୋଟି:​​​​​​​

ବଜେଟରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟକ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪ ହଜାର ୨ ଶହ ୭୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ୨୯ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ଚିକିତ୍ସାଳୟର ଏକ ଦେଶବ୍ୟାପୀ ନେଟଓ୍ବାର୍କ ଜରିଆରେ ୧.୦୩ କୋଟି ପରିବାରର ପ୍ରାୟ ୩.୪୬ କୋଟି ବ୍ୟକ୍ତିଙ୍କୁ ସୁନିଶ୍ଚିତ ଏବଂ ନଗଦବିହୀନ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଇଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା ମାଧ୍ୟମରେ ସଧାରଣ ଗରିବ ଲୋକ ଉପକୃତ ହେଉଛନ୍ତି ।

୪ଟି ନୂତନ ବିଶ୍ବବିଦ୍ୟାଳୟ:

ସରକାର ଉଚ୍ଚ ଶିକ୍ଷା ଭିତ୍ତିଭୂମି ଏବଂ ଗୁଣବତ୍ତାକୁ ସୁଦୃଢ କରିବା ଲାଗି ଧ୍ୟାନ କେନ୍ଦ୍ରିତ ନିବେଶ ଜରିଆରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ବିଶ୍ବବିଦ୍ୟାଳୟ, ସରକାରୀ ,କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ୪୭୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ । ଏହି ନୂତନ ଅନୁଷ୍ଠାନ ଗୁଡିକ ଏନଇପି-୨୦୨୦ ଅନୁଯାୟୀ, ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ । ଏବେ ଯାଏଁ ରାଜ୍ୟରେ ୪୪ଟି ସରକାରୀ ବିଶ୍ବବିଦ୍ୟାଳୟ ରହିଛି, ନୂତନ କରି ଖୋଲିବାକୁ ଯାଉଥିବା ୪ ବିଶ୍ବବିଦ୍ୟାଳୟକୁ ମିଶାଇଲେ ଏହି ସଂଖ୍ୟା ୪୮ରେ ପହଞ୍ଚିବ।

ବଜେଟରେ ଉଚ୍ଚଶିକ୍ଷାକୁ ଗୁରୁତ୍ବ:

ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪ ଶହ ୭୦ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସେହିଭଳି ଉଚ୍ଚଶିକ୍ଷା ହାସଲରେ ସମାନ ସୁଯୋଗ ପାଇଁ "ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା"କୁ ଜାରି ରଖିବାକୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଇ-ମେଧାବୃତ୍ତି ଜରିଆରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ୧୫ ହଜାର ଟଙ୍କା ବୃଦ୍ଧିର ବ୍ୟବସ୍ଥା ରହିଛି। ସେହିପରି ବ୍ୟାସକବୀ ଫକୀର ମୋହନ ଛାତ୍ରବୃତ୍ତି ବୃଦ୍ଧି ଯୋଜନାରେ +୩ ଓଡ଼ିଆ ସମ୍ମାନ ପାଇଁ ଛାତ୍ର ପିଛା ୨୦ ହଜାର ଟଙ୍କା ବୃଦ୍ଧି ଏବଂ ସ୍ନାତକୋତ୍ତର ସ୍ତରରେ ୩୦ ହଜାର ଟଙ୍କା ବୃଦ୍ଧିର ବ୍ୟବସ୍ଥା ରହିଛି ।

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଏବଂ ବିଦେଶରେ ସ୍ନାତକୋତ୍ତର ଏବଂ ଡକ୍ଟରାଲ ଅଧ୍ୟୟନ ପାଇଁ ୫୦ ଲକ୍ଷ ଟଙ୍କାର ସୀମା ସହିତ ୫୦ ଜଣ ଅନୁସୂଚିତ ଜାତି/ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଶିକ୍ଷାବୃତ୍ତି ପ୍ରଦାନ କରାଯିବ । ଏହା ବ୍ୟତୀତ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଅଧୀନରେ +୨ ପାସ୍ କରିଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ କିଣିବା ପାଇଁ ବାର୍ଷିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।​​​​​​​

ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା:

ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ରକୁ ସମୟବଦ୍ଧ ଭିଭିରେ ସମ୍ପୂର୍ଣ୍ଣ କରିବା ପାଇଁ ଏକ ନୂତନ ଯୋଜନା "ସମୃଦ୍ଧ ଅଙ୍ଗନୱାଡି ଯୋଜନା" ବଜେଟରେ ପ୍ରସ୍ତାବ ଦିଆଯାଇଛି । ଏହି ନୂତନ ଯୋଜନାରେ କ୍ରେଚ୍ ସୁବିଧା ବିନା ପ୍ରତି କେନ୍ଦ୍ର ପିଛା ୧୫ ଲକ୍ଷ ଟଙ୍କା ଏବଂ କ୍ରେଚ୍ ସୁବିଧା ଥିବା କେନ୍ଦ୍ର ପିଛା ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯିବ । ଏହି ନୂଆ ଯୋଜନା ପାଇଁ ମୁଁ ୨୦୨୬-୨୭ଆର୍ଥିକ ବର୍ଷରେ ୬ ଶହ ୩୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶ୍ରୀଅନ୍ନ ଅଭିଯାନ ପାଇଁ ୪ ଶହ କୋଟି:

ବଜେଟ୍‌ରେ ପୁଷ୍ଟିକର ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’ ବାବଦକୁ ୨୦୨୬-୨୬ ଆର୍ଥିକ ବର୍ଷରେ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ଧାନ ଉପରେ ଅତ୍ୟଧିକ ନିର୍ଭରଶୀଳତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜଳବାୟୁ ସହନଶୀଳ କୃଷିକୁ ପ୍ରାଥମିକତା ଦେଇ ବିଭିନ୍ନ କିସମର ଡାଲି ,ତୈଳ ବୀଜ ଏବଂ ଦେଶୀ ସୁଗନ୍ଧିତ ଓ ଅଣସୁଗନ୍ଧିତ ଧାନ ଚାଷକୁ ପ୍ରୋତ୍ସାହିତ କରାଯାଉଛି । ଏଥିପାଇଁ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ, ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ୪ ଶହ ୬୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।