ଜାତୀୟ ଜୁନିୟର ହକି: ଓଡ଼ିଶା ଚାମ୍ପିଅନ

ଭୁବନେଶ୍ୱର, ୨୮ ।୨ (ବ୍ୟୁରୋ): ହକି ଇଣ୍ଡିଆ ଆନୁକୂଲ୍ୟରେ ଔରଙ୍ଗାବାଦରେ ଚାଲିଥିବା ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିଅନସିପ୍ (ଡିଭିଜନ ଏ’)ରେ ଓଡ଼ିଶା ଚାମ୍ପିଅନ ହୋଇଛି । ଓଡ଼ିଶା ଫାଇନାଲ୍ରେ ୪-୩ ସୁଟଆଉଟ୍ ଗୋଲ୍ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି । ବ୍ରୋଞ୍ଜ ପଦକ ମୁକାବିଲାରେ ହରିଆନା ୨-୧ରେ ମଧ୍ୟ ପ୍ରଦେଶକୁ ପରାଜିତ କରିଥିଲା ।
ଓଡ଼ିଶା-ୟୁପି: ଫାଇନାଲ୍ ମ୍ୟାଚ୍ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । କାରଣ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲେ । ଫଳରେ ସୁଟଆଉଟ୍ରେ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଖେଳର ପ୍ରଥମ କ୍ୱାର୍ଟର ଗୋଲ୍ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରର ଶେଷ ମୁହୂର୍ତ୍ତରେ ଓଡ଼ିଶା ପ୍ରଥମ ଗୋଲ୍ ସ୍କୋର କରି ଅଗ୍ରଣୀ ହାସଲ କରିଥିଲା । ସୁଶାନ୍ତ ଟପ୍ପୋ ଏହି ଗୋଲ୍ ସ୍କୋର କରିଥିଲେ । ତୃତୀୟ କ୍ୱାର୍ଟରରେ (୪୪ତମ ମିନିଟ୍) ଉତ୍ତର ପ୍ରଦେଶ ଗୋଲ ପରିଶୋଧ କରିଥିଲା । ପରେ ଆଉ ମ୍ୟାଚ୍ରେ ଗୋଲ ସମ୍ଭବ ନହେବାରୁ ୧-୧ରେ ଅମୀମାଂସିତ ରହିଥିଲା ।
ଗୋଲକିପର ସାହିଲ କୁମାର ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯୋଗୁ ଓଡ଼ିଶା ଟାଇଟଲ ବିଜୟୀ ହୋଇଥିଲା । ପ୍ରକାଶ ଧୀର, ସୁଶୀଲ ଧାୱନକର, ଲାବନ ଲୁଗୁନ ଓ କ୍ରିଷ୍ଣା ତିର୍କୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲେ ।