ଭୁବନେଶ୍ବର, ୨୪/୧ : ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସର ବିବାଦ । କେତେବେଳେ ପିସିସି ସଭାପତି ପାଇଁ କଳି ତ ଆଉ କେତେବେଳେ କିଏ ଦେଲାଣି ଦଳ ବିରୋଧୀ ମନ୍ତବ୍ୟ । ଦଳର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଦଳରୁ ନିଲମ୍ବିତ ହେଲା ଦିନରୁ ଲଗାତାର ଟାର୍ଗେଟ କରି ଆସୁଛନ୍ତି । ଏବେ ଦଳର ୪୧ ନେତା ସମୂହଭାବେ କଂଗ୍ରେସ ଛାଡ଼ିଛନ୍ତି । ତେବେ ଏମାନେ ସମସ୍ତେ ମହମ୍ମଦ ମୋକିମଙ୍କ ସମର୍ଥକ ବୋଲି ସୂଚନା ମିଳିଛି । ସେପଟେ ଏହି ୪୧ ଜଣଙ୍କ ମଧ୍ୟମରେ ରହିଛନ୍ତି ମୁଖପାତ୍ର, ଯୁବ ନେତା,ପୂର୍ବତନ ପିସିସି ସଂପାଦକ, ପୂର୍ବତନ କର୍ପୋରେଟର ଏବଂ ବ୍ଲକ ଅଧ୍ୟକ୍ଷ ।

​​​​​​​

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହିସବୁ ତୃଣମୂଳ ସ୍ତରର ନେତାଙ୍କ ଇସ୍ତଫା ଦେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ସେପଟେ ମହମ୍ମଦ ମୋକିମ ନୂଆ ଦଳ ଗଠନ କରିବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି । ନିକଟରେ ରାଜଧାନୀରେ ଏକ ଯୁବ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଏବେ ପୁଣି ୪୧ ଜଣ ସମର୍ଥକ ସମୂହଭାବେ ଦଳ ଛାଡ଼ିବା ଆଗାମୀ ଦିନରେ କଂଗ୍ରେସ ଉପରେ କଣ ପ୍ରଭାବ ପକାଉଛି ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ଏହାସହ ପଢ଼ନ୍ତୁ : ଦିବ୍ୟାଙ୍ଗ କୋଟାରେ ଚାକିରି ପାଇବେ ବୋଲି କାଟିଦେଲେ ଗୋଡ଼, ଏମିତି ଧରିଲା ପୁଲିସ..