ଭୁବନେଶ୍ୱର, ୧୧।୧୨: ପୋଲାଣ୍ଡ ଗସ୍ତରେ ଥିବା ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରତିନିଧିମଣ୍ଡଳରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଏକ ପ୍ରତିନିଧି ଦଳ ଗୁରୁବାର ୱାର୍ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ପରିଚାଳନା ନେଇ ଆଲୋଚନା କରିଛନ୍ତି। ଉଭୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ବିଷୟବସ୍ତୁ ନେଇ ଆଲୋଚନା କରିଥିଲେ। 

ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ଓ ଆନ୍ତର୍ଜାତୀୟ ଅଧ୍ୟୟନ ବିଭାଗର ଡିନ୍ ଏବଂ ପ୍ରଫେସରମାନେ ପୋଲାଣ୍ଡର ନିର୍ବାଚନ ପ୍ରଣାଳୀ ବିଷୟରେ ପ୍ରତିନିଧିମଣ୍ଡଳକୁ ସୂଚନା ଦେଇଥିଲେ। ପ୍ରତିନିଧିମଣ୍ଡଳର ସଦସ୍ୟମାନେ ଭାରତୀୟ ନିର୍ବାଚନ ପ୍ରଣାଳୀର ଏକ ତୁଳନାତ୍ମକ ସାରାଂଶ ଉପସ୍ଥାପନ କରିଥିଲେ। ଏହାର ବିବିଧତା ଏବଂ ଏହାର ଅନନ୍ୟ ସଂଘୀୟ ଗଠନ ଉପରେ ଆଲୋକପାତ କରିଥିଲେ। ପ୍ରତିନିଦି ଦଳ ସାମ୍ବିଧାନିକ ଢାଞ୍ଚା ବିଷୟରେ ବିସ୍ତୃତ ଭାବରେ କହିଥିଲେ।  ସଂସଦ, ରାଜ୍ୟ ବିଧାନସଭା  ପାଇଁ   ଜାତୀୟ ଏବଂ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନା କରି ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଗଣତାନ୍ତ୍ରିକ ଆକାଂକ୍ଷାକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିଥାଏ ବୋଲି କହିଥିଲେ।

ଅତିରିକ୍ତ ସଚିବ ଏବଂ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଶତ୍ରୁଘ୍ନ କର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଯାହା ନିର୍ବାଚନ ଅଧିକାରୀଙ୍କ ଦକ୍ଷତାକୁ ସୁଦୃଢ଼ କରିବା ଏବଂ ଆନ୍ତର୍ଜାତୀୟ ଜ୍ଞାନ ଆଦାନପ୍ରଦାନକୁ ସହଜ କରିବା ପାଇଁ ଏକ ପ୍ରମୁଖ ପ୍ରତିଷ୍ଠାନ ଭାବରେ ଉଭା ହୋଇଛି ବୋଲି କହିଥିଲେ । ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ନିର୍ବାଚନୀ ଅଖଣ୍ଡତା ବଜାୟ ରଖିବା, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଭୋଟରଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

ଏହି ପ୍ରତିନିଧି ମଣ୍ଡଳରେ ଶ୍ରୀ କରଙ୍କ ସହିତ, ଅତିରିକ୍ତ ସଚିବ ଏବଂ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ପ୍ରମୋଦ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜ, ଭୁବନେଶ୍ୱର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ସ୍ତରୀୟ ଅଧିକାରୀ ଚିନ୍ମୟ କୁମାର ସୀଠ୍ ପ୍ରତିନିଧି ଦଳରେ ରହିଛନ୍ତି।