PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ପଞ୍ଚମ ବିଜୟ; ବିଜେଡି ୧୧୩ରେ ଆଗୁଆ, ତିନି ଚତୁର୍ଥାଂଶ ଆସନ ଦଖଲ

ଭୁବନେଶ୍ୱର,୨୩ ।୫(ବ୍ୟୁରୋ): ସାରା ଦେଶରେ ମୋଦି ଝଡ଼ । ଉଡ଼ିଗଲେ ସବୁ ଜାତୀୟ ଏବଂ ଆଞ୍ଚଳିକ ଦଳ । ହେଲେ ନବୀନଙ୍କ ବିଜୁ ଜନତା ଦଳର ଚେର ହଲିଲା ନାହିଁ । ଲଗାତାର୍‌ ପଞ୍ଚମ ଥର ଲାଗି ଓଡ଼ିଶାକୁ ଦଖଲ କରି ଇତିହାସ ରଚିଛି । ବିଧାନସଭାରେ ତିନି ଚତୁର୍ଥାଂଶରୁ ଅଧିକ ଆସନ ଅକ୍ତିଆର କରିଛି ।

ଖବର ଲେଖା ହେଲା ବେଳକୁ ୧୪୬ରୁ ୧୧୩ ଆସନରେ ବିଜୟ ବାନା ଉଡ଼ାଇବା ସ୍ଥିତିରେ ଥିଲେ ବିଜେଡି ପ୍ରାର୍ଥୀ । ରାତି ୧୨ଟା ସୁଦ୍ଧା ୧୦୦ ଆସନରେ ବିଜୟୀ ହୋଇଥିଲା ବେଳେ ୧୩ଟିରେ ଦଳୀୟ ପ୍ରାର୍ଥୀ ଆଗେଇଥିଲେ । ବିଜେପି ୧୮ଟିରେ ବିଜୟ ସହ ୪ଟିରେ ଆସନରେ ଆଗୁଆ ଥିଲା । କଂଗ୍ରେସକୁ ହଟାଇ ପ୍ରଥମ ଥର ଲାଗି ଦଳ ବିଧାନସଭାରେ ପ୍ରମୁଖ ବିରୋଧୀ ଦଳ ସ୍ଥାନକୁ କବ୍‌ଜା କରିଛି । ଲୋକସଭାରେ କିନ୍ତୁ ବିଜେପି ଖେଦି ଯାଇଛି ବିଜେଡି ଗଡ଼ ଭିତରକୁ ।

କଂଗ୍ରେସ ୮ଟି ଆସନରେ ବିଜୟ ସହ ଗୋଟିଏରେ ଆଗୁଆ ରହିଛି । ଦଳର ପ୍ରାୟ ସମସ୍ତ ମହାଦ୍ରୁମ ଧରାଶାୟୀ ହୋଇଛନ୍ତି ପିସିସି ସଭାପତିଙ୍କ ସମେତ । କେବଳ ରାୟଗଡ଼ାରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ବଣାଇରେ ସିପିଆଇଏମ୍‌ ପ୍ରାର୍ଥୀ ଆଗୁଆ ଅଛନ୍ତି । ନିଜେ ନବୀନ ଦୁଇଟି ଯାକ ଆସନ ବିଜେପୁର ଓ ହିଂଜିଳିରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୧୪ ନିର୍ବାଚନ ତୁଳନାରେ ବିଜେଡି ଆସନ ସଂଖ୍ୟା ତିନି ଚାରିଟି କମିପାରେ । କିନ୍ତୁ ଭୋଟ ହାର ବଢ଼ିଛି । ଗତ ବିଧାନସଭା ନିର୍ବାଚନରେ ଦଳ ୪୩.୪ ପ୍ରତିଶତ ଭୋଟ ପାଇଥିଲା । ଦଳ ଜିତିଥିଲା ୧୧୭ ଆସନ । ଏଥର ୪୪.୭ ପ୍ରତିଶତ ଭୋଟ ହାତେଇ ୧୧୩ଟିରେ ଜିତିବା ସ୍ଥିତିରେ ରହିଛି ।
ବିଜେପି ଭୋଟ ହାର କିନ୍ତୁ ଚମକାଇ ଦେଲା ଭଳି ବଢ଼ିଛି । ୧୮ ପ୍ରତିଶତରୁ ୩୨.୫ ପ୍ରତିଶତକୁ ଲମ୍ଫ ମାରିଛି । ୨୧ଟି ଆଗୁଆ ଆସନକୁ ବାଦ୍‌ ଦେଲେ ୮୩ଟି ସ୍ଥାନରେ ଦଳ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । କଡ଼ା ଟକ୍କର ଦେଇଛି ବିଜେଡିକୁ ।
କଂଗ୍ରେସ ଭୋଟ ଭାଗ ପାଖାପାଖି ୧୦ ପ୍ରତିଶତ ଖସି ଯାଇଛି । ୨୫. ୭ ରୁ ୧୫.୯ ପ୍ରତିଶତକୁ ହ୍ରାସ ପାଇଛି । ମାତ୍ର ୩୦ଟି ଆସନରେ ଦଳ ଦୁଇ ନମ୍ବର ସ୍ଥାନରେ ରହିଛି ।
ବିଜେଡିର ବିରାଟ ବିଜୟ ପରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ବିଜୟର ଶ୍ରେୟ ସେ ଓଡ଼ିଶାବାସୀଙ୍କୁ ଦେଇଛନ୍ତି । ନବୀନ ନିବାସରେ ବିପୁଳ ସମ୍ବର୍ଦ୍ଧନା ପର୍ବ ଭିତରେ ଗଣମାଧ୍ୟମ ସାମ୍ନାକୁ ଆସି ନବୀନ କହିଛନ୍ତି, ଧନ୍ୟବାଦ ଓଡ଼ିଶା । ବାରମ୍ବାର ବିଜେଡିକୁ ଆଶୀର୍ବାଦ ଦେଉଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି । ଦଳର ସମସ୍ତ କର୍ମୀ ଓ ନେତାମାନେ ନିର୍ବାଚନ ପାଇଁ କଠିନ ପରିଶ୍ରମ କରିଥିଲେ । ଏଥିପାଇଁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ । ସଭିଙ୍କ ପରିଶ୍ରମ ଓ ସହଯୋଗ ଯୋଗୁ ଏ ସଫଳତା ମିଳିଛି । ଏଥର ନିର୍ବାଚନରେ ମହିଳାମାନେ ବହୁ ସଂଖ୍ୟାରେ ବିଜେଡିକୁ ସମର୍ଥନ ଜଣାଇଛନ୍ତି । ସେମାନଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ନବୀନ କହିଛନ୍ତି ।
କେନ୍ଦ୍ରରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବା ସମ୍ପର୍କରେ ନବୀନ କହିଛନ୍ତି, ଏହି ସଫଳତା ପାଇଁ ସେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀ ରାଜନୀତିରେ ବିଜେଡି କି ଭୂମିକା ନେବ, ସରକାରରେ ସାମିଲ ହେବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ନବୀନ । ଏ ପ୍ରଶ୍ନର ଉତ୍ତରରେ ଅପେକ୍ଷା କର କହି ନବୀନ ପୁଣି ସସ୍‌ପେନ୍ସ ବଢ଼ାଇଛନ୍ତି ।
ନବୀନଙ୍କୁ ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଭଲ ଫଳ ଦେଇଛି । ଉତ୍ତର ଓଡ଼ିଶା ଓ ପଶ୍ଚିମରେ ବିଜେପିକୁ ଉତ୍ସାହଜକ ଫଳ ଦେଇଛି । ତେବେ ନବୀନଙ୍କର ବହୁ ହେଭିୱେଟ୍‌ ନେତା ଏଥର ଚିତପଟାଙ୍ଗ ମାରିଲା ଭଳି ଲାଗୁଛି । ମନ୍ତ୍ରୀ ମହେଶ୍ୱର ମହାନ୍ତି ପୁରୀ ଆସନରେ ହାରି ଯାଇଛନ୍ତି । ସଂଜୟ କୁମାର ଦାସବର୍ମା ମଧ୍ୟ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିଛନ୍ତି । କଟକରେ ଦେବାଶିଷ ସାମନ୍ତରାୟ, ବାରିପଦାରେ ସରୋଜିନୀ ହେମ୍ବ୍ରମ, ରାୟଗଡ଼ାରେ ଲାଲବିହାରୀ ହିମିରିକା ପରାଜୟ ବରଣ କରିଛନ୍ତି । କଂଗ୍ରେସ ଛାଡ଼ି ବିଜେଡି କ୍ୟାମ୍ପକୁ ଆସିଥିବା ଯୋଗେଶ ସିଂହ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ ଠାରୁ ସାଢ଼େ ୮ ହଜାର ଭୋଟରେ ହାରିଛନ୍ତି ।
ବିଜେଡିରୁ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ସୂର୍ଯ୍ୟ ପାତ୍ରଙ୍କ ସହ ପ୍ରୀତିରଂଜନ ଘଡ଼ାଇ, ନବ ଦାସ, ଅମର ଶତପଥୀ, ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ବିଜୟୀ ଘୋଷିତ ହୋଇଛନ୍ତି ।
ବିଜେପି ପ୍ରାର୍ଥୀମାନେ ସମ୍ବଲପୁର, ପୁରୀ, ବଡ଼ସାହି, ସାରସକଣା, ବାଲେଶ୍ୱର, ବାରିପଦା, ବ୍ରହ୍ମଗିରି, ଧାମନଗର, ଯଶୀପୁର, କଣ୍ଟାମାଳ, କେନ୍ଦୁଝର, ଲୋଇସିଂହା, ମାଲକାନଗିରି, ନୀଳଗିରି, ପାରଳାଖେମୁଣ୍ଡି, ରେଙ୍ଗାଳି, ରାଜଗାଙ୍ଗପୁର, ତଳସରା, ଉମରକୋଟ ଆସନରେ ଆଗରେ ରହିଛି ।
କଂଗ୍ରେସ ବାରବାଟୀ-କଟକ, ବଲାଙ୍ଗୀର, ଜଟଣୀ, ଜୟପୁର, କଣ୍ଟାବାଞ୍ଝୀ, ଖରିଆର, ମୋହନା ଓ ସାନଖେମୁଣ୍ଡି ଆଦି ଆସନରେ ଆଗରେ ରହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ଘସିପୁରା ଓ ଭଣ୍ଡାରୀପୋଖରୀରୁ ପରାଜୟ ବରଣ କରିଛନ୍ତି ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତି ଚାଲୁ ରହିଛି । ଅଳ୍ପ କିଛି ଆସନରେ ଗଣତି ଶେଷ ହୋଇ ଫଳାଫଳ ଆସିଛି । ଚୂଡ଼ାନ୍ତ ଫଳ ହିଁ କହିବ କେଉଁ ଦଳକୁ କେତେ ଆସନ ମିଳିବ ।

ଲୋକସଭାରେ ବିଜେଡି ୧୨, ବିଜେପି ୮, କଂଗ୍ରେସ ୧
ଭୁବନେଶ୍ୱର,୨୩ ।୫(ବ୍ୟୁରୋ): ବିଧାନସଭା ଭୋଟରେ କମାଲ ଦେଖାଇଥିବା ବିଜେଡିକୁ ଲୋକସଭା ନିର୍ବାଚନରେ ଗତ ଥର ଭଳି ସଳତା ମିଳି ନାହିଁ । ଦଳ ହାତରୁ ୭ଟି ଆସନ ଛଡ଼ାଇ ନେଇଛି ବିଜେପି । ୧୨ଟି ଆସନରେ ଦଳ ଆଗୁଆ ଥିଲା । ବିଜେପି ୮ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଥିଲା ଖବର ଲେଖା ହେଲା ବେଳକୁ (ରାତି ୧୨) । ବିଜେଡି ଦ୍ରୁମ କୁହାଯାଉଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚିତ୍‌ପଟାଙ୍ଗ ମାରିଛନ୍ତି । ସବୁଠାରୁ ସମ୍ମାନସ୍ପଦ ଭୁବନେଶ୍ୱର ଲୋକସଭା ଆସନ ମଧ୍ୟ ଖସି ଯାଇଛି ବିଜେଡି ହାତରୁ । ବିଜେଡିରୁ ବିଦା ହୋଇ ବିଜେପି ହାତ ଧରିଥିବା ହାଇ ପ୍ରେ।।ଇଲ୍‌ ବୈଜୟନ୍ତ ପଣ୍ଡା ବିପୁଳ ଭୋଟ ବ୍ୟବଧାନରେ ହାରିଛନ୍ତି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ । ପାଖାପାଖି ୧ ଲକ୍ଷ ୩୦ ହଜାର ଭୋଟ ପଛରେ ପଡ଼ିଥିଲେ ।

କିନ୍ତୁ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଚମକପ୍ରଦ ବିଜୟ ହାସଲ କରିଛନ୍ତି । ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ସୁନ୍ଦରଗଡ଼ ଲୋକସଭାରେ । ପଶ୍ଚିମ ଓଡ଼ିଶାର ୫ଟି ଯାକ ଆସନରେ ଆଗୁଆ ଥିଲା ବିଜେପି ରାତି ୧୨ଟା ବେଳକୁ । ବରଗଡ଼ ଆସନରେ ୫୬ ହଜାର ଭୋଟ୍‌ରେ ଆଗୁଆ ଥିଲେ ସୁରେଶ ପୂଜାରୀ ।
କଳାହାଣ୍ଡି, ବଲାଙ୍ଗୀର ଓ ସମ୍ବଲପୁର ଆସନରେ ଖୁବ୍‌ କମ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ଆଗରେ ଥିଲା ବିଜେପି । ବଲାଙ୍ଗୀରରେ ୫ ହଜାର, ସମ୍ବଲପୁରରେ ୯ ହଜାର ଏବଂ କଳାହାଣ୍ଡିରେ ୨୨ ହଜାର ଭୋଟରେ ଆଗେଇଥିଲା ଦଳ । ମୟୂରଭଞ୍ଜ ଏବଂ ବାଲେଶ୍ୱର ଆସନରେ ମଧ୍ୟ ୨୦ରୁ ୩୬ ହଜାର ଭୋଟ ଆଗରେ ଥିଲା । କୋରାପୁଟ ଆସନରେ ରାତି ସାଢ଼େ ୧୨ଟା ସୁଦ୍ଧା କଂଗ୍ରେସର ସପ୍ତଗିରି ଉଲାକା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ଠାରୁ ପ୍ରାୟ ୫ ହଜାର ଭୋଟରେ ଆଗରେ ଥିଲେ । ବିଜେଡିର ସବୁଠାରୁ ବିଶାଳ ବିଜୟ ଅଭିମୁଖେ ଆଗେଇଛନ୍ତି ଜଗତସିଂହପୁର ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲ୍ଲିକ । ୨ ଲକ୍ଷ ୩୨ ହଜାର ଭୋଟରେ ଆଗୁଆ ଅଛନ୍ତି । ହାଣ୍ଡିଶାଳରୁ ଲୋକସଭା ପ୍ରାର୍ଥୀ ବନିଥିବା ପ୍ରମିଳା ବିଷୋୟୀ ୨ ଲକ୍ଷ, କଟକରୁ ଭର୍ତ୍ତୃହରି ମହତାବ ୧ ଲକ୍ଷ ୧୧ ହଜାର, ଯାଜପୁରରୁ ଶର୍ମିଷ୍ଠା ସେଠୀ ୧ ଲକ୍ଷ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ୧ ଲକ୍ଷ ୩୭ ହଜାର, କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁ ୬୫ ହଜାର, ନବରଙ୍ଗପୁରରୁ ରମେଶ ମାଝୀ ୪୭ ହଜାର, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ ୯୦ ହଜାର ଭୋଟରେ ଆଗେଇଛନ୍ତି । ଭଦ୍ରକରୁ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ୩୪ ହଜାର ଭୋଟରେ ଆଗେଇଥିବା ବେଳେ ପୁରୀରୁ ପିନାକୀ ମିଶ୍ର ୧୪ ହଜାର, ଢେଙ୍କାନାଳରୁ ମହେଶ ସାହୁ ୩୭ ହଜାର ଭୋଟ ଆଗୁଆ ଥିଲେ ।

୨୦୧୪ରେ ଲୋକସଭା ଭୋଟରେ ବିଜୁ ଜନତା ଦଳର ଭୋଟ ହାର ଥିଲା ୪୪.୧୦ ଧ । ଚଳିତ ନିର୍ବାଚନରେ ବିଜେଡିକୁ ୨% ଭୋଟ ହରାଇବାକୁ ପଡ଼ିଛି । ଦଳର ଭୋଟ ହାର ଛୁଇଁଛି ୪୨.୦୮% ରେ । ବିଜେପି କିନ୍ତୁ ନିଜର ଅକ୍ଲାନ୍ତ ପରିଶ୍ରମରେ ୨୧.୫୦% ଭୋଟହାରକୁ ବଢ଼ାଇ ୩୮.୦୩% ରେ ପହଞ୍ଚାଇବାକୁ ସକ୍ଷମ ହୋଇଛି । କଂଗ୍ରେସର ଭୋଟ ହାର ଅଧା ଖସିଛି । ୧୪ ନିର୍ବାଚନରେ ୨୬% ଭୋଟ ପାଇଥିବା କଂଗ୍ରେସକୁ ଏଥର ମାତ୍ର ୧୩.୦୭%ରେ ଖୁସି ହେବାକୁ ପଡ଼ିଛି । କଂଗ୍ରେସ ଲୋକସଭାରେ ଶୂନରେ ଆଉଟ ହେବା ନିଶ୍ଚିତ ହୋଇପଡ଼ିଛି ।