ଭୁବନେଶ୍ୱର, ୨୩/୦୨: ମିଳୁନି ରକ୍ତ । ହସ୍ପିଟାଲରେ ରକ୍ତ ଭଣ୍ଡାର ଖାଲି । କଲବଲ ହେଉଛନ୍ତି ରୋଗୀ ଓ ପରିଜନ । ଖୋଜୁଛନ୍ତି, ସୋସିଆଲ ମିଡିଆରେ ଅନୁରୋଧ ବି କରୁଛନ୍ତି । ଯଦି କାହାରି ବ୍ଲଡ ଗ୍ରୁପ୍ ରୋଗୀର ବ୍ଲଡ ଗ୍ରୁପ ସହ ମେଳ ଖାଉଛି, ତେବେ ରକ୍ତ ମିଳୁଛି । ନହେଲେ ଦୁଇରୁ ତିନିଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଗୋଟିଏ ପଟେ ଓଡ଼ିଶାରେ ବର୍ଷକୁ ଆବଶ୍ୟକ ୬ଲକ୍ଷ ୟୁନିଟ୍ ରକ୍ତ । ହେଲେ ସଂଗ୍ରହ ହେଉଛି ସାଢେ ୫ଲକ୍ଷ ୟୁନିଟ୍ । ଆହୁରି ଦରକାର ୫୦ହଜାର ୟୁନିଟ୍ । ହେଲେ ସଂଗ୍ରହ ହୋଇପାରୁନି। ଏହାର କାରଣ ହେଉଛି, ରକ୍ତ ଦାନ ପ୍ରତି ଯୁବପିଢିଙ୍କ ଆଗ୍ରହ କମିବା ଓ ଯେଉଁଭଳି ରକ୍ତଦାନ ଶିବିର ହେବା କଥା, ତାହା ନହେବା । ଏବେ ରାଜ୍ୟରେ ପ୍ରତିଦିନ ଦୁର୍ଘଟଣା ବଢୁଛି । ଏଥିପାଇଁ ରୋଗୀଙ୍କୁ ରକ୍ତ ଦରକାର ।
ସୁପର ସ୍ପେସିଆଲ ଚିକିତ୍ସା, ହେପାଟୋଲୋଜି ଚିକିତ୍ସା, ନ୍ୟୁରୋ ଟ୍ରାନ୍ସପ୍ଲାଣ୍ଟ, କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ, ଓପନ ହାର୍ଟ ସର୍ଜରୀ ଚିକିତ୍ସା ବ୍ୟାପକ ହେଉଛି । ମାତ୍ର ଅଧିକାଂଶ ସମୟରେ ରୋଗୀଙ୍କୁ ରକ୍ତ ମିଳିବାରେ ସମସ୍ୟା ଦେଖାଦେଉଛି । ଥାଲାସେମିଆ, ସିକିଲସେଲ ଏବଂ ଆନିମିଆରେ ଆକ୍ରାନ୍ତ ରୋଗୀମାନେ ରକ୍ତ ଅଭାବର ଶିକାର ହୁଅନ୍ତି । ଏହି ବର୍ଗର ରୋଗୀମାନେ ରକ୍ତ ନେବାର ୧ ମାସ ପରେ ପୁନର୍ବାର ରକ୍ତ ଆବଶ୍ୟକ କରିଥାନ୍ତି । ହେଲେ ସେମାନେ ବି ହଇରାଣ ହୋଇଥିବାର ଅଭିଯୋଗ ଆସୁଛି ।
ସୂଚନା ଅନୁସାରେ, ଏବେ ରାଜ୍ୟରେ ୮୮ଟି ରକ୍ତଭଣ୍ଡାର ଓ ୩୩ଟି ରକ୍ତ ପୃଥକୀକରଣ କେନ୍ଦ୍ର ରହଛି । ସେଥିମଧ୍ୟରେ ସରକାରୀ ରକ୍ତ ଭଣ୍ଡାର ୫୭, ବେସରକାରୀ ରକ୍ତ ଭଣ୍ଡାର ୨୧ଟି ରହିଛି । ସେହିପରି ଭାବରେ ରେଡକ୍ରସର ୨ଟି ରକ୍ତଭଣ୍ଡାର ରହିଥିବାବେଳେ ପିଏସ୍ୟୁରେ ୮ଟି ରକ୍ତ ଭଣ୍ଡାର ରହିଛି । ତଥ୍ୟ କହୁଛି, ଗତ ୩ବର୍ଷ ମଧ୍ୟରେ ରାଜ୍ୟରେ ରକ୍ତ ସଂଗ୍ରହ ପରିମାଣ ପ୍ରାୟ ସମାନ ରହିଛି । ୨୦୨୩ରେ ୫ ଲକ୍ଷ ୩୯ହଜାର ୩୮୮ ୟୁନିଟ, ୨୦୨୪ରେ ୫ଲକ୍ଷ ୬୧ ହଜାର ୩୬୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ୨୦୨୫ରେ ୫ ଲକ୍ଷ ୭୭ ହଜାର ୫୮୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରାଜ୍ୟରେ ରକ୍ତ ସଂଗ୍ରହ ପରିମାଣ ବଢୁନି । ଏହାର କାରଣ ଅନେକ ଅଛି । ହେଲେ ମୁଖ୍ୟ କାରଣ ହେଉଛି ଶିବିର କମିଯିବା । ତେଣୁ ସରକାର ବିଭିନ୍ନ କ୍ଲବ, ପୂଜା ମଣ୍ଡପ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧିକ ଶିବିର ପାଇଁ ପ୍ରୋତ୍ସାହନ ଯୋଗାନ୍ତୁ ।
ଆଗକୁ ଖରାଦିନ ଆସୁଛି । ବିଶେଷକରି ଏପ୍ରିଲ୍, ମେ ଓ ଜୁନ୍ ମାସରେ ଅଧିକ ଖରା ହେବା ସହ ରକ୍ତ ଅଭାବ ଦେଖାଦେବ । ଖରାଦିନେ ରକ୍ତ ସଂଗ୍ରହ ନହେବାର କାରଣ ଅନେକ ରହିଛି । ଏହିଦିନରେ ରକ୍ତଦାତା ରକ୍ତ ଦେବାକୁ ଆଗ୍ରହ ଦେଖାନ୍ତିନି । ଗରମ ଯୋଗୁ ଶିବିର ହୁଏନି, କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି ହୁଏ । ତେଣୁ ରକ୍ତ ଅଭାବ ଦେଖାଦିଏ । ହେଲେ ଏଭଳି ସମୟରେ କିଭଳି ରକ୍ତ ଅଭାବ ଦୂର ହେବ ସେଥିପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ରୋଗୀ ମହଲରେ ଅଭିଯୋଗ ହେଉଛି। ଏବେ ଖରା ଦିନ ଆରମ୍ଭରୁ ଅଧିକ ରକ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ରକ୍ତ ନିରାପତ୍ତା ବିଭାଗର ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ରଙ୍କ କହିବା କଥା, ରାଜ୍ୟରେ ରକ୍ତ ସଂଗ୍ରହ ପରିମାଣ ବଢାଇବାକୁ ଆମେ ଯୋଜନା କରିଛୁ । ଏଥିପାଇଁ ଜିଲ୍ଲାସ୍ତରରେ ପ୍ରତିମାସରେ ରକ୍ତ ସଂଗ୍ରହ ଶିବିର କରିବାକୁ ଯୋଜନା ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଅଧିକରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ଯୋଡି କିପରି ରକ୍ତ ସଂଗ୍ରହ ପରିମାଣ ବଢିବ ସେନେଇ ଆଲୋଚନା ହୋଇଛି ।
ଭୁବନେଶ୍ୱର ରେଡକ୍ରସ ଶାଖାର ଡା. ଲକ୍ଷ୍ମଣ ସ୍ୱାଇଁ କହିଛନ୍ତି, ପ୍ରତିବର୍ଷ କଟକ, ଭୁବନେଶ୍ୱରରେ ୧ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବିଭିନ୍ନ ହସ୍ପିଟାଲକୁ ଦିଆଯାଉଛି । ଏବେ ଆମେ ଗୋଟିଏ କଲେଜକୁ ବର୍ଷକୁ ୨ଥର ଲେଖାଏଁ କ୍ୟାମ୍ପ କରିବାକୁ ପରାମର୍ଶ ଦେଇଛୁ । ଡା. ସ୍ୱାଇଁ କହିଛନ୍ତି, ବର୍ତ୍ତମାନ ରେଡକ୍ରସରେ ରକ୍ତର ପୃଥକୀକରଣକୁ ଗୁରୁତ୍ୱ ଦିଆଯାଇଛି । ଏଠାରେ ୯୦ ପ୍ରତିଶତ ପ୍ଲାଜମା, ପ୍ଲେଟଲେଟ, ପ୍ୟାକଡ୍ ରେଡ ବ୍ଲଡ ସେଲ୍ସ (ପିଆରବିସି) ମହଜୁଦ ରଖାଯାଉଛି । ଫଳରେ ଗୁରୁତ୍ୱପୂର୍ଣ୍ଣ ସମୟରେ ରୋଗୀ ଅଲଗା ଅଲଗା ରକ୍ତ ପାଉଛନ୍ତି । ବଡ଼କଥା ହେଉଛି, ରକ୍ତ ଜଲ୍ଦି କ୍ୟାମ୍ପରୁ ଆସିବ ଦରକାର । ୨ରୁ ୪ଘଣ୍ଟା ମଧ୍ୟରେ ରକ୍ତ ପୃଥକୀକରଣ ହୋଇପାରିବ । ହେଲେ ସମୟ ଗଡ଼ିଗଲେ ଆଉ ହେବନି ।
ଆହୁରି ପଢ଼ନ୍ତୁ :- ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ : ସକାଳ ୬ଟା ୨୦ରୁ ହାଣ୍ଡିଛାଡ, ଅପରାହ୍ନ ୩ଟାରେ ଗ୍ରହଣ ସ୍ପର୍ଶ
ଥାଲାସେମିଆ ଆଣ୍ଡ ସିକିଲସେଲ ସୋସାଇଟି ଓଡ଼ିଶା ଶାଖାର ସଭାପତି ନିରାକାର ପଣ୍ଡା କହିଛନ୍ତି, ସିକିଲସେଲ୍ ଓ ଥାଲାସେମିଆ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ରକ୍ତ ଭଣ୍ଡାର ରହୁ । ଏନେଇ ଆମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି କରିଆସୁଛୁ । ଅଧିକରୁ ଅଧିକ ରକ୍ତଦାତା ଆଗେଇ ଆସନ୍ତୁ । ସିକିଲସେଲ୍, ଥାଲାସେମିଆ ରୋଗୀଙ୍କ ପାଇଁ ନିର୍ଦ୍ଦିଷ୍ଟ ରକ୍ତଦାତା ରୁହନ୍ତୁ । ସୋସିଆଲ ମିଡିଆରେ ସକ୍ରିୟ ହେବା ଦରକାର । ଯେପରିକି ଅଭିଭାବକମାନେ ଠିକ୍ ସମୟରେ ରକ୍ତ ପାଇବେ । ନଷ୍ଟ ହେଉଛି ରକ୍ତ ଯେତିକି ସଂଗ୍ରହ ହେଉଛି, ସେଥିରୁ ୧ ପ୍ରତିଶତ ନଷ୍ଟ ହେଉଛି । ବର୍ତ୍ତମାନ ସମୟରେ ଜଣେ ରକ୍ତଦାତା ସର୍ବାଧିକ ୩୦୦ ଏମ୍ଏଲ୍ ପର୍ଯ୍ୟନ୍ତ ରକ୍ତ ଦେଉଛି । ସେଥିପାଇଁ ୩୦୦ ଏମ୍ଏଲ୍ର ରକ୍ତଥଳି (ପ୍ୟାକେଟ୍)ରହିଛି । ଏହାଠୁ ଅଧିକ ବଡ଼ ପ୍ୟାକେଟ ନାହିଁ କି ଓଡ଼ିଶାରେ ତିଆରି ହୋଇନି । ଯଦି ଜରୁରି ସମୟରେ କୌଣସି ଛୋଟ ପିଲାଙ୍କୁ ରକ୍ତ ଦରକାର ଓ ସେସମୟରେ କୌଣସି ରକ୍ତଦାତା ମିଳୁନାହାନ୍ତି ତେବେ ସେହି ୩୦୦ ଏମ୍ଏଲ୍ ପ୍ୟାକେଟରୁ ହିଁ ରକ୍ତ ଦିଆଯାଏ । ସର୍ବାଧିକ ୧୦୦ ଏମ୍ଏଲ୍ ରକ୍ତ ନେବା ପରେ ଆଉ ରକ୍ତ ଦରକାର ପଡ଼େନି । ସେଭଳି ସ୍ଥିତିରେ ବାକି ୨ଶହ ଏମ୍ଏଲ୍ ରକ୍ତ ନଷ୍ଟ ହେଉଛି । ଏହାର ପ୍ରତିକାର ପାଇଁ ଅସୁସ୍ଥ ଛୋଟ ପିଲାଙ୍କୁ ସତେଜ ରକ୍ତ ଦିଆଯାଉଛି । ଏହାପରେ ଯଦି ରକ୍ତରେ ଏଚଆଇଭି, ହେପାଟାଇଟସ ‘ବି’ କିମ୍ବା ‘ସି’ ଥାଏ, ତେବେ ସେକ୍ଷେତ୍ରରେ ରକ୍ତ ନଷ୍ଟ କରାଯିବା ବାଧ୍ୟ ବୋଲି ଜଣେ ଅଧିକାରୀ କହିଛନ୍ତି । ଆକଳନ ଅନୁସାରେ ପ୍ରାୟ ୫୫ହଜାର ୟୁନିଟ ରକ୍ତ କାମରେ ଆସୁନି।