ଓଡ଼ିଶା ଆସିବ ବିଦେଶୀ ପୁଞ୍ଜି: ୨୨ ହଜାର କୋଟିର ନିବେଶ ପାଇଁ ଶିଳ୍ପପତିଙ୍କ ପ୍ରତିଶ୍ରୁତି, ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୩୦/୦୬ ଓଡ଼ିଶାରେ ହେବ ପାଖାପାଖି ୨୨ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ । ଆଉ ସୃଷ୍ଟି ହେବ ୧୯ ହଜାର ନିଯୁକ୍ତି ସୁଯୋଗ । ବୁଧବାର ଦୁବାଇରେ ଆୟୋଜିତ ନିବେଶକ ସମ୍ମେଳନରୁ ଏପରି ସୂଚନା ମିଳିଛି । ୟୁଏଇ, ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ଦେଶଗୁଡିକରୁ ୧୫୦ ଜଣ ଶିଳ୍ପପତି ଏହି ସମ୍ମେଳନରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାର ଉଚ୍ଚସ୍ତରୀୟ ଟିମ୍ ସହ ଆଲୋଚନା ପରେ ନିବେଶ ପାଇଁ ଅନେକ ଶିଳ୍ପପତି ଆଗ୍ରହ ପ୍ରକାଶ କରିଛନ୍ତି । ମୁଖ୍ୟତଃ ନିର୍ମାଣ ଶିଳ୍ପ, ହୋଟେଲ୍, ଲଜିଷ୍ଟିକସ୍, କେମିକାଲସ୍, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିଦେଶୀ ନିବେଶକ ପୁଞ୍ଜି ଖଟାଇବାକୁ ସହମତି ପ୍ରକାଶ କରିଛନ୍ତି ।

ଓଡ଼ିଶା ସରକାର ଓ ଫିକିର ମିଳିତ ଉଦ୍ୟମରେ ଦୁବାଇର ହୋଟେଲ୍ ଓବରୟରେ ବୁଧବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା ଏହି ସମ୍ମେଳନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଦେଶୀ ଶିଳ୍ପପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ନିମନ୍ତ୍ରଣ କରିଛନ୍ତି । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଆୟୋଜିତ ହେବ ବୋଲି ନବୀନ ଘୋଷଣା କରିଛନ୍ତି । ଧାତବ ଶିଳ୍ପ, କେମିକାଲସ୍ ଓ ପେଟ୍ରୋକେମିକାଲସ୍, ଟେକ୍ସଟାଇଲସ୍, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍ସ ଓ କ୍ଲିନ୍ ଏନର୍ଜି ଶିଳ୍ପକୁ ଏଥିରେ ଗୁରୁତ୍ୱ ଦିଆଯିବ । ଏହି କନକ୍ଲେଭରେ ଯୋଗ ଦେବାକୁ ୟୁଏଇ, ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ଦେଶଗୁଡିକର ନିବେଶକମାନଙ୍କୁ ନବୀନ ଆମନ୍ତ୍ରଣ କରିଛନ୍ତି ।

ସମ୍ମେଳନରେ ଉଦବୋଧନ ଦେଇ ନବୀନ କହିଲେ ଓଡ଼ିଶାରେ ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ରହିଛି । ଭାରତରେ ଗଚ୍ଛିତ ଖଣିଜ ପଦାର୍ଥର ସିଂହଭାଗ ଆମ ପାଖେ ଅଛି । ଦେଶର ୯୬% କ୍ରୋମାଇଟ୍, ୯୨% ନିକେଲ, ୫୩% ବକସାଇଟ୍, ୪୫% ମାଙ୍ଗାନିଜ୍, ୩୫% ଲୌହ ଓର୍ ଓ ୨୩% କୋଇଲା ଓଡ଼ିଶାରେ ରହିଛି । ଷ୍ଟିଲ୍, ଫେରୋ ଆଲୟ, ଆଲୁମିନା ଓ ଆଲୁମିନିୟମ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ଭାରତର ୧୧% ଜଳସମ୍ପଦ ଆମ ରାଜ୍ୟରେ ଅଛି । ଏଥି ସହ ୪୮୦ କିଲୋମିଟର ସମୁଦ୍ର ଉପକୂଳ ବନ୍ଦର ଶିଳ୍ପ ସ୍ଥାପନ ପାଇଁ ବେଶ ଉପଯୋଗୀ । ଆମ ରାଜ୍ୟରେ ଦକ୍ଷ ମାନବସମ୍ବଳ, ଉଚ୍ଚମାନର ବୈଷୟିକ ଶିକ୍ଷାନୁଷ୍ଠାନ, ୱାଲର୍ଡ ସ୍କିଲ୍ ସେଣ୍ଟର ରହିଛି । ଓଡ଼ିଶାରେ ପୁଂଜିନିବେଶ ପାଇଁ ଥିବା ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା, ଜମି ଯୋଗାଣ ସ୍ୱତନ୍ତ୍ର ନୀତି, ବିଦ୍ୟୁତ୍ ଓ ଜଳଯୋଗାଣ ପାଇଁ ରହିଥିବା ସରଳ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଅବଗତ କରାଇଥିଲେ ।

ସମ୍ମେଳନରେ ଓଡ଼ିଶାରୁ ଏକ ଉଚ୍ଚସ୍ତରୀୟ ଟିମ୍ ଯୋଗ ଦେଇ ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ଅନୁକୂଳ ବାତାବରଣ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଏଥି ସହ ପ୍ରମୁଖ ଶିଳ୍ପସଂସ୍ଥା ପ୍ରତିନିଧିମାନଙ୍କ ସହ ବିଜନେସ୍ ଟୁ ବିଜନେସ୍ ଆଲୋଚନା କରିଥିଲେ । ବହୁ ସଂଖ୍ୟକ ନିବେଶକ ଓଡ଼ିଶାରେ ବିଦେଶୀ ବିନିଯୋଗ ପାଇଁ ସହମତି ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦିଆଯାଇଛି। ଓଡ଼ିଶା ଟିମ୍ରେ ଜେଏସ୍ଡବ୍ଲୁ ସିମେଣ୍ଟ ଏମ୍ଡି ପାର୍ଥ ଜିନ୍ଦଲ, ପାରାଦୀପ ଫସଫେଟସ୍ ଲିମିଟେଡ୍ ଅଧ୍ୟକ୍ଷ ସରୋଜ ପୋଦାର, ହିଣ୍ଡାଲକୋ ଏମଡି ସତୀଶ ପାଇ, ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଇଓ ଦିଲୀପ ଓମେନ୍, ବେଦାନ୍ତ ଲିମିଟେଡ୍ ସିଇଓ ରାହୁଲ ଶର୍ମା, ଇମଫା ଏମଡି ଶୁଭ୍ରକାନ୍ତ ପଣ୍ଡା, ଆଇଓସିଏଲ୍ ନିର୍ଦ୍ଦେଶକ ସୁଜୟ ଚୌଧୁରୀ, ଡିଏନ୍ ହୋମସ୍ ଏମଡି ଜଗଦୀଶ ନାୟକ, ବିୱାନ୍ ବିଜନେସ୍ ହାଉସ୍ ନିର୍ଦ୍ଦେଶକ ଭବତୋଷ ସାହୁ, ଟାଟା ଷ୍ଟିଲ୍ ଏସ୍ଇଜେଡ୍ ଏମ୍ଡି ପ୍ରଶାନ୍ତ ମଲ୍ଲିକ, ଟାଟା ଷ୍ଟିଲ ଲିମିଟେଡ୍ ଉପସଭାପତି ଚାଣକ୍ୟ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ ଯେ ୨୦୧୬ ଓ ୨୦୧୮ ମସିହାରେ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦୁଇଟି ସଂସ୍କରଣ ଆୟୋଜିତ ହୋଇଥିଲା । ଏଥିରେ ଦେଶ ଭିତରୁ ବଡ଼ ବଡ଼ ଶିଳ୍ପପତି ଓ ନିବେଶକ ଯୋଗ ଦେଇ ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ କରିଛନ୍ତି । ଏବେ ଦୁବାଇରେ ଏହି ସମ୍ମେଳନ ଆୟୋଜନ କରାଯାଇ ବିଦେଶୀ ପୁଞ୍ଜିନିବେଶକୁ ଫୋକସ୍ କରାଯାଇଛି । ପ୍ରଥମ ଥର ପାଇଁ ଓଡ଼ିଶା ଭଳି ଏକ ରାଜ୍ୟ ବିଦେଶରେ ଏପରି ସମ୍ମେଳନ କରିବାରେ ସଫଳତା ହାସଲ କରିଛି ।