ଭୁବନେଶ୍ୱର,୨୯/୦୫ ସୋମବାର ସରୁଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ହେଲେ ତାଙ୍କ ସ୍ଥାନରେ କିଏ ନୂଆ ରାଜ୍ୟପାଳ ହେବ ତାହା ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ତେଣୁ ପ୍ରଫେସର ଲାଲ୍ ପୁଣି ତାଙ୍କ ପଦବୀରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
୨୦୧୮ ମେ’ ୨୫ରେ ସେ ରାଜ୍ୟପାଳ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ମଲ୍ଲିକ ସେ ସମୟରେ ବିହାର ସହିତ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ । ପ୍ରଫେସର ଲାଲ୍ ଗଣିତ ବିଭାଗର ଜଣେ ସୁନାମଧନ୍ୟ ପ୍ରଫେସର । ହରିଆଣା ବିଜେପିର ରାଜ୍ୟ ସଭାପତି ତଥା ହରିଆଣା ବିକାଶ ପାର୍ଟି ଓ ବିଜେପିର ମିଳିତ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ୨୫ତମ ରାଜ୍ୟପାଳ ଭାବେ ଓଡ଼ିଶାର ଦାୟିତ୍ୱ ଭାର ସମ୍ଭାଳିଥିଲେ । ତାଙ୍କ କାର୍ଯ୍ୟକାଳ ବିବାଦୀୟ ନଥିଲା । କୋଭିଡ୍ ଯୋଗୁଁ ସେ ତାଙ୍କର ପତ୍ନୀ ସୁଶିଳା ଦେବୀଙ୍କୁ ହରାଇଥିଲେ । ତଥାପି ସେହି ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିନଥିଲେ ।